କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ଦେଶର ଅନ୍ୟାନ୍ୟ ରାଜ୍ୟ ଭଳି ଓଡ଼ିଶାରେ ସାମ୍ବାଦିକମାନଙ୍କୁ ଅବସର ପରେ ପେନ୍ସନ୍ ଯୋଗାଇଦେବା ସହ ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ କରିବା ଲାଗି ଓଡ଼ିଶା ସାମ୍ବାଦିକ ୟୁନିଅନ୍ (ଓୟୁଜେ)ର ଜିଲ୍ଲା ଶାଖା କଳାହାଣ୍ଡି ଜିଲ୍ଲା ସାମ୍ବାଦିକ ୟୁନିୟନ୍ ଦାବି କରିଛି । ଏହି ମର୍ମରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ୟୁନିୟନ୍ ପକ୍ଷରୁ କଳାହାଣ୍ଡି ଅତିରିକ୍ତ ଜିଲ୍ଲାପାଳଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ରାଜ୍ୟରେ ସାମ୍ବାଦିକମାନଙ୍କ ସୁରକ୍ଷା ଓ ସାମାଜିକ ନିରାପତ୍ତା ଜରୁରୀ ହୋଇପଡିଛି । ଇତି ମଧ୍ୟରେ ହରିୟାଣା, ମଧ୍ୟପ୍ରଦେଶ, ଉତ୍ତରାଖଣ୍ଡ, ତାମିଲନାଡୁ ଆଦି ଅନେକ ରାଜ୍ୟ ଅବସରପ୍ରାପ୍ତ ସାମ୍ବାଦିକମାନଙ୍କ ଲାଗି ମାସିକ ପେନ୍ସନ୍ ଯୋଜନା ଲାଗୁ କରିସାରିଛନ୍ତି । ପୂର୍ବରୁ ଏହାକୁ ଲାଗୁ କରିଥିବା କେତେକ ରାଜ୍ୟ ଏବେ ଏହାର ପରିମାଣକୁ ବଢ଼ାଇବାକୁ ଯାଉଛନ୍ତି । ସେହିପରି ମହାରାଷ୍ଟ୍ର ଓ ଛତିଶଗଡ ଭଳି ରାଜ୍ୟ ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ କରି ସାରିଥିବା ବେଳେ ଅନ୍ୟ କେତେକ ରାଜ୍ୟରେ ଏହା ବିଚାରାଧୀନ ରହିଛି । କୋଭିଡ୍ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେଭଳି ସାମ୍ବାଦିକମାନଙ୍କୁ ସମ୍ମୁଖ କରୋନା ଯୋଦ୍ଧା ଭାବେ ଘୋଷଣା କରିଥିଲେ ଓ କରୋନାରେ ପ୍ରାଣ ହରାଇଥିବା ସାମ୍ବାଦିକଙ୍କ ପରିବାରକୁ ୧୫ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଯୋଗାଇ ଦେଇଥିଲେ ତାହା ବେଶ୍ ପ୍ରଶଂସନୀୟ । ସେହିଭଳି ୟୁନିୟନ୍ର ଦାବି କ୍ରମେ ସ୍ୱାସ୍ଥ୍ୟ ବୀମାରାଶିକୁ ଦୁଇଲକ୍ଷ ଟଙ୍କାରୁ ୫ଲକ୍ଷ ଟଙ୍କାକୁ ବୃଦ୍ଧି କରାଯିବାକୁ ନେଇ ମଧ୍ୟ ୟୁନିୟନ୍ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛି । ଏହି ପରିପ୍ରେକ୍ଷୀରେ ଅବସର ପରେ ଅସହାୟ ଅବସ୍ଥାର ସମ୍ମୁଖୀନ ହେଉଥିବା ସାମ୍ବାଦିକମାନଙ୍କୁ ସାମାଜିକ ନିରାପତ୍ତା ବ୍ୟବସ୍ଥା ମଧ୍ୟକୁ ଆଣି ତୁରନ୍ତ ମାସିକ ଅନ୍ୟୁନ ୨୦ ହଜାର ଟଙ୍କାର ପେନ୍ସନ୍ ଯୋଗାଇ ଦେବାକୁ ଓୟୁଜେ ଦାବି ରଖିଛି । ଏହି ଦାବିକୁ ନେଇ ଓୟୁଜେ ସାଧାରଣ ସମ୍ପାଦକ କମ୍ବୁପାଣି ମିଶ୍ରଙ୍କ ନେତୃତ୍ୱରେ ସାମ୍ବାଦିକମାନଙ୍କ ଏକ ପ୍ରତିନିଧି ଦଳ କଳାହାଣ୍ଡି ଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟ ସରକାର ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଜିଲ୍ଲା ସାଧାରଣ ସଂପାଦକ ସନ୍ତୋଷ କୁମାର ସିଂହଦେଓ, ସଂପାଦକ ରାଜକୁମାର ସିଂହଦେଓ, ହେମନ୍ତ କୁମାର ସାହୁ, ସୁଶୀଲ କୁମାର ବାଗ, ଶିବାନନ୍ଦ ନାଏକ, ସୁଶାନ୍ତ କୁମାର ଦଳେଇ, ବରିଷ୍ଠ ସଦସ୍ୟ କିଶୋର ନାଏକ, ବରିଷ୍ଠ ସାମ୍ବାଦିକ ସ୍ୱାଧୀନ ପାତ୍ର, ଦେବେନ୍ଦ୍ର ବିଶି, ସ୍ନିଗ୍ଧାରାଣୀ ସିଂହ, ଶୁଭମ ରୋହିଲା, ଅଜିତ କୁମାର ଯାଦବ, କିଶନ ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ ।