ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ଖମନଖୋଲ ପଞ୍ଚାୟତ ପୁରୁଭଟ୍ଟା କ୍ଲଷ୍ଟରର ରାଇପାଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି-୨୦୨୫ ଅନୁଷ୍ଠିତ ହୋଇଯାଇଛି । ପୁରୁଭଟ୍ଟା ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ସୂର୍ଯ୍ୟ ନାରାୟଣ ଫତେସିଂହଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ କ୍ଲଷ୍ଟରର ମୋଟ ୭ଟି ବିଦ୍ୟାଳୟରୁ ୧୫୦ରୁ ଅଧିକ ଛାତ୍ରଛାତ୍ରୀ ଯୋଗଦେଇ ତର୍କ, ବକ୍ତୃତା, ଚିତ୍ରାଙ୍କନ, ହସ୍ତାକ୍ଷର ଲିଖନ, ସୃଜନ ଶୀଳ ଲିଖନ, ପ୍ରବନ୍ଧ ଲିଖନ, ସଂଗୀତ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଭଳି ବିଭିନ୍ନ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ । ରାଇପାଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ରୂପେଶ କୁମାର ଷଡ଼ଙ୍ଗୀଙ୍କ ସଭାପତିତ୍ୱରେ ଆୟୋଜିତ ଉଦଘାଟନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ସରପଞ୍ଚ ଚାନ୍ଦୁଲାଲ ମଲ୍ଲିକ ଯୋଗଦେଇ ଦୀପ ଧୂପ ପ୍ରଜ୍ୱଳନ କରି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଏଥିରେ ଅନ୍ୟ ଅତିଥିମାନଙ୍କ ମଧ୍ୟରେ ସମ୍ମାନିତ ଅତିଥି ଭାବେ ଲଣ୍ଡାଗାଁ କ୍ଲଷ୍ଟର ଆଞ୍ଚଳିକ ସାଧନ କର୍ମୀ ସଂଯୋଜକ ରମେଶ ଚନ୍ଦ୍ର ସୁବୁଦ୍ଧି ପ୍ରମୁଖ ଉପସ୍ଥିତ ରହି ସୁରଭି କାର୍ଯ୍ୟକ୍ରମର ଉଦେଶ୍ୟ ଏବଂ ଆନନ୍ଦମୟ ଶିକ୍ଷା ପିଲାଙ୍କ ପ୍ରତିଭାକୁ ବିକଶିତ କରିଥିବା ମତ ରଖିଥିଲେ । ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ଵ ଲାଭ କରିଥିବା ଛାତ୍ରଛାତ୍ରୀମାନଙ୍କୁ ଅତିଥିଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । ଏଥିରେ କ୍ଲଷ୍ଟରର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ପ୍ରମୁଖ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ ।