କ୍ଲଷ୍ଟର ସ୍ତରୀୟ ଶିଶୁ ପ୍ରତିଭା ମହୋତ୍ସବ : ନୃତ୍ୟ, ସଙ୍ଗୀତରେ ଦୁଲୁକିଲା ସୁରଭି

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ବିଜେପୁର ବ୍ଲକର ବିଭିନ୍ନ କ୍ଲଷ୍ଟରରେ ଶିଶୁ ପ୍ରତିଭା ମହୋତ୍ସବ ସୁରଭି ଅନୁଷ୍ଠିତ ହୋଇଯାଇଛି । ବାନ୍ଦୁପାଲି କ୍ଲଷ୍ଟରର ବଲଣ୍ଡା ସେବାଶ୍ରମ ବିଦ୍ୟାଳୟରେ ସିଆର୍‌ସିସି ସୀତାରାମ ଦୀପଙ୍କ ଆବାହକତ୍ଵରେ ତଥା ସ୍କୁଲର ପ୍ରଧାନ ଶିକ୍ଷକ ନିଲାମ୍ବର ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ଦିବାକର ବରିହା ମୁଖ୍ୟ ଅତିଥି, ସନ୍ତୋଷ ବାଗ, କୈଳାସ ରାଜହଂସ, ଅନିରୁଦ୍ଧ ସାହୁ, ଗୌତମ କନ୍ଧେର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ । ଏହି ଅବସରରେ ବିଶିଷ୍ଟ ହାସ୍ୟ ଅଭିନେତା ବିନ୍ଦୁ ମଲ୍ଲିକ ସମସ୍ତଙ୍କୁ ହସାଇ ହସାଇ ବେଦମ କରି ଦେଇଥିଲେ । ଯୋଖିପାଲି କ୍ଲଷ୍ଟରର ପୁଞ୍ଜିପଥର ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ସିଆର୍‌ସିସି ତ୍ରିନାଥ ସେଠଙ୍କ ଆବାହକତ୍ଵରେ ତଥା ପ୍ରଧାନ ଶିକ୍ଷକ ସୀତାକାନ୍ତ ବଢେଇଙ୍କ ଅଧ୍ୟକ୍ଷତାରେ ଡୁଙ୍ଗୁରିପାଲି କଲେଜର ପ୍ରାକ୍ତନ ଅଧ୍ୟକ୍ଷ ସାମନ୍ତ ସାହୁ, ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ଦିବାକର ବରିହା, ପଞ୍ଚମ ଦଣ୍ଡାସନା, ସିଆର୍‌ସିସି ରାଜେଶ୍ୱର ବେହେରା ପ୍ରମୁଖ ଯୋଗଦେଇ କୁନି ପ୍ରତିଭା ମାନଙ୍କୁ ଉତ୍ସାହିତ କରିଥିଲେ । ଶିକ୍ଷକ କୃଷ୍ଣଚନ୍ଦ୍ର ନାଏକ ସଭାକୁ ପରିଚାଳନା କରିଥିଲେ । ବଡବାଉଁଶେନ କ୍ଲଷ୍ଟରର ମହୁଲପାଲି ସରକାରୀ ପ୍ରାଥମିକ ବିଦ୍ୟାଳୟରେ ସିଆର୍‌ସିସି ଦୁର୍ବାଦଳ ବଡଗୋଛିଆଙ୍କ ଆବାହକତ୍ଵରେ ତଥା ପ୍ରଧାନ ଶିକ୍ଷକ ଧର୍ମରାଜ ବାରିକଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ସରପଞ୍ଚ ମଙ୍ଗଳୁ ସାହୁ, ଯୋଖିପାଲି ସରପଞ୍ଚ ସବିତା ସାହୁ ଅତିଥି ଭାବେ ଯୋଗ ଦେଇଥିଲେ । ଟି.ଗଣ୍ଡପାଲି କ୍ଲଷ୍ଟରର ଧୁମାପାଲି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସିଆର୍‌ସିସି ପ୍ରଭାତ ରଂଜନ ସାହୁଙ୍କ ଅବାହକତ୍ୱ ତଥା ପ୍ରଧାନ ଶିକ୍ଷକ ମୁକୁନ୍ଦ ପାଣ୍ଡେଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ ସ୍କୁଲ ଚେୟାରମେନ ଦୁର୍ଯ୍ୟୋଧନ ମେହେର ମୁଖ୍ୟ ଅତିଥି, ଶଶି ଭୂଷଣ ସାହୁ, ସିଆର୍‌ସିସି ସୀତାରାମ ଦୀପ ଅତିଥି ଭାବେ ଯୋଗ ଦେଇଥିଲେ । ଦଳଗତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଟି.ଗଣ୍ଡପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଥମ, ଚାରପାଲି ଉଚ୍ଚ ବିଦ୍ୟାଳୟ ଦ୍ୱିତୀୟ ଓ ଧୁମାପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ତୃତୀୟ ହୋଇଥିଲେ । ଶିକ୍ଷକ ସଂଘର ସଭାପତି ସନ୍ତୋଷ ବାଗ, ବାଲାଜୀ ରାଓମୋରେ, କଳାକାର ରାଜେଶ୍ୱର ବେହେରା ବିଚାରକ ଦାୟିତ୍ଵ ସଂପାଦନ କରିଥିଲେ । ଶିକ୍ଷକ ଦୁର୍ଲ୍ଲଭ ମେହେର ସମାରୋହକୁ ସଂଯୋଜନା କରିଥିଲେ । ସୌମ୍ୟରଂଜନ ପଧାନ, ଅମୀୟ ପ୍ରସାଦ ଭୋଇ, ସିଆର୍‌ସିସି ଡୋଳାମଣି କୁମ୍ଭାର, ପଦ୍ମନାଭ ଦାଶଙ୍କ ସମେତ ଶିକ୍ଷକ ଶିକ୍ଷୟିତ୍ରୀଗଣ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.