ପ୍ରାଚୀର ପତ୍ରିକା “ସୃଜନ ସୁରଭି” ଉନ୍ମୋଚିତ

ତୁଷୁରା, (କେପିଏନ୍‌ଏସ୍‌) : ସରକାରୀ ବାଳକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ତୁଷୁରାଠାରେ ବିଦ୍ୟଦାତା ଶ୍ରୀ ଗଜାନନଙ୍କ ପୂଜନୋତ୍ସବ ଉପଲକ୍ଷେ ବିଦ୍ୟାଳୟର ପ୍ରାଚୀର ପତ୍ରିକା “ସୃଜନ ସୁରଭି” ଉନ୍ମୋଚିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ପୂର୍ବଛାତ୍ର ରାଧା ରମଣ କେଡିଆ ଯୋଗ ଦେଇ ପୂଜାର୍ଚ୍ଚନା ପୂର୍ବକ ଉନ୍ମୋଚନ କରିଥିଲେ । ସମ୍ମାନିତ ଅତିଥି ଭାବେ ଏନ୍.ଏ.ସି ଉପାଧ୍ୟକ୍ଷା ମାମି ଦାସ ଓ ଜନନୀ ଧରୁଆ ଯୋଗ ଦେଇଥିଲେ । ଏଥିରେ ପ୍ରଧାନ ଶିକ୍ଷକ ଡ. ହେମନ୍ତ କୁମାର ଦାଶ ମୁଖ୍ୟ ସଂପାଦକ ଥିବାବେଳେ ସହକାରୀ ଶିକ୍ଷୟିତ୍ରୀ ବିନ୍ଦୁ ମାହାଣା ସଂପାଦିକା ରହିଛନ୍ତି । ସଂପାଦନା ମଣ୍ଡଳୀରେ ସହକାରୀ ଶିକ୍ଷୟିତ୍ରୀ ପ୍ରଶାନ୍ତି ଦାସ, ରଞ୍ଜିତା ନାଗ ଓ ଆକାଂକ୍ଷା ରାଣୀ ଯୋଶୀ ରହି ସମସ୍ତ କାର୍ଯ୍ୟ ସମ୍ପାଦନ କରିଥିଲେ । ଏଥିପାଇଁ ଗୁଡଭେଲା ବିଇଓ ନମିତା ରାଣୀ ଭୋଇ ଓ ତୁଷୁରା ସିଆର୍‌ସିସି ଜଗମୋହନ ତ୍ରିପାଠୀ ଶୁଭେଚ୍ଛା ବାର୍ତ୍ତା ପଠାଇଛନ୍ତି । ପ୍ରାଚୀର ପତ୍ରିକାରେ ମୁଖ୍ୟ ସଂପାଦକଙ୍କ କଲମରୁ ପଦେ, ଶୁଭେଚ୍ଛା ବାର୍ତ୍ତା, ନୀତିବାଣୀ, କବିତା, ଗୀତ, ଚିତ୍ର, ଜାଣିବା କଥା, ମଜାକଥା, କ୍ଷୁଦ୍ର ଗଳ୍ପ, ଧନ୍ଦା, ଢଗଢମାଳି ଆଦି ସ୍ଥାନିତ ହୋଇ ଶିଶୁ ମାନଙ୍କର ସୃଜନ ଶକ୍ତିର ବିକାଶର ବାର୍ତ୍ତା ବହନ କରୁଛି । ପ୍ରଥମ ଥର ପାଇଁ ବିଦ୍ୟାଳୟରେ ପ୍ରାଚୀର ପତ୍ରିକା ଉନ୍ମୋଚିତ ହୋଇଥିବାରୁ ପୂର୍ବତନ ଛାତ୍ରଛାତ୍ରୀ, ଶିକ୍ଷାବିତ୍ ତଥା ବୁଦ୍ଧିଜୀବିମାନେ ପ୍ରଧାନ ଶିକ୍ଷକ ଡ଼. ଦାଶଙ୍କୁ ଭୂୟସୀ ପ୍ରଶଂସା କରୁଛନ୍ତି ।

jittmm
Leave A Reply

Your email address will not be published.