jayashree

ବ୍ଲକସ୍ତରୀୟ ଚକ୍ଷୁ ପରୀକ୍ଷା ଶିବିର ସୁନେତ୍ର ଅନୁଷ୍ଠିତ

ଡୁଙ୍ଗୁରିପାଲି, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକର ସରକାରୀ ଉଚ୍ଚ ବିଦ୍ୟାଳୟ, ଶୁଖାଠାରେ ଶିକ୍ଷା ଓ ସ୍ୱାସ୍ଥ୍ୟ ବିଭାଗର ମିଳିତ ଆନୁକୂଲ୍ୟରେ ବ୍ଲକସ୍ତରୀୟ ସୁନେତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଡୁଙ୍ଗୁରିପାଲି ବ୍ଲକର ଇଚ୍ଛାପୁର, ଶୁଖା, ସର୍ଗୁଲ, ଚେରୁପାଲି, ଡୁଙ୍ଗୁରିପାଲି, ଚିନାଯୁରି ଓ ସହଲା ଏହିପରି ୭ଟି କ୍ଲଷ୍ଟରର ୩୫୮ ଜଣ ଛାତ୍ରଛାତ୍ରୀମାନଙ୍କ ଚକ୍ଷୁ ପରୀକ୍ଷା କରାଯାଇଥିଲା । ସେଥିମଧ୍ୟରୁ ୧୮୨ ଜଣ ଛାତ୍ରଛାତ୍ରୀ ଚଷମା ପାଇଁ ମନୋନୀତ ହୋଇଥିଲେ । ପରବର୍ତ୍ତୀ ସମୟରେ ସମସ୍ତଙ୍କୁ ଚଷମା ପ୍ରଦାନ କରାଯିବ । ୧୨ ଜଣ ଛାତ୍ରଛାତ୍ରୀଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ସୁବର୍ଣ୍ଣପୁରକୁ ଉତ୍ତମ ଚିକିତ୍ସା ପାଇଁ ଯିବାକୁ ଡାକ୍ତର ପରାମର୍ଶ ଦେଇଛନ୍ତି ଏବଂ ୫୮ ଜଣଙ୍କୁ ମୁକ୍ତରେ ଔଷଧ ଦିଆଯିବା ପାଇଁ କହିଛନ୍ତି । ଶୁଖା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଜୟକୃଷ୍ଣ ପଧାନ ଉକ୍ତ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ । ଡୁଙ୍ଗୁରିପାଲି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର, ବିନିକା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ତଥା ମହାନଦୀ ନେତ୍ର ଚିକିତ୍ସାଳୟ, ବୀରମହାରାଜପୁରର ଡାକ୍ତରଗଣ ଛାତ୍ରଛାତ୍ରୀମାନଙ୍କ ଚକ୍ଷୁ ପରୀକ୍ଷା କରିଥିଲେ । ଗୋଷ୍ଠୀ ସମ୍ବଳ ଶିକ୍ଷକ ମନୋଜ କୁମାର ସାହୁ, ସୀତାରାମ ପଧାନ, ଅନ୍ତର୍ନିବେଶୀ ସ୍ବେଚ୍ଛାସେବୀ ଲୋଚନ ସାହୁ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ସରକାରୀ ଉଚ୍ଚ ବିଦ୍ୟାଳୟ ଶୁଖାର ସମସ୍ତ ଶିକ୍ଷକ, କର୍ମଚାରୀ, ସିଆର୍ସିସି ସୁରେଶ କୁମାର ନାୟକ, ସୁଧାଂଶୁ ସାହୁ, ଥବୀର ଦୋରା, ଚିତ୍ତରଞ୍ଜନ ଠାକୁର ଓ ଦିଲୀପ କୁମାର ପଧାନ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । କାର୍ଯ୍ୟକ୍ରମଟି ସମସ୍ତଙ୍କ ସହଯୋଗରେ ଶାନ୍ତି ଶୃଙ୍ଖଳାର ସହ ସଫଳ ହୋଇଥିଲା ।

Leave A Reply

Your email address will not be published.