ଶୁଣ୍ଢି ସମାଜର କୁଳପତି ହେଲେ ପୂର୍ବତନ ବଙ୍ଗୋମୁଣ୍ଡା ବ୍ଲକ ଅଧ୍ୟକ୍ଷ ପୂର୍ଣ୍ଣଚନ୍ଦ୍ର ବେହେରା

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ନିଖିଳ ଉତ୍କଳ ସୁବର୍ଣ୍ଣଗ୍ରାହୀ ଶୁଣ୍ଢି ସମାଜର ୨ ଦିନିଆ ମହାସଭା ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ମହାସଭାରେ ଓଡିଶାର କୋଣ ଅନୁକୋଣରୁ ଲୋକେ ଶହ ଶହ ସଂଖ୍ୟାରେ ମହାସଭାରେ ଯୋଗଦାନ କରିଥିଲେ । ପ୍ରଥମେ ଶୁଣ୍ଢି ସମାଜର ଇଷ୍ଟଦେବୀ ସୁବର୍ଣ୍ଣଗ୍ରାହୀଙ୍କୁ ପୂଜାର୍ଚ୍ଚନା କରି ସଭକାର୍ଯ୍ୟ ଆରମ୍ଭ ହୋଇଥିଲା । ଏହି ସଭାରେ ସମାଜରେ ପ୍ରଚଳିତ ବିଭିନ୍ନ ପ୍ରକାର ନିୟମ କାନୁନକୁ ସଂଶୋଧନ କରି ଆଗାମୀ ଦିନରେ ଏକ ସୁସ୍ଥ ସମାଜ ଓ ଶକ୍ତିଶାଳୀ ଶୁଣ୍ଢି ସମାଜ ଗଠନ କରିବା ପାଇଁ ଉପସ୍ଥିତ ମଞ୍ଚାସୀନ ବକ୍ତା ଓ ଶୁଣ୍ଢି ସମାଜର ମାନ୍ୟଗଣ୍ୟ ବ୍ୟକ୍ତି ଗୁରୁତ୍ତ୍ୱ ଆରୋପ କରିଥିଲେ । ପରିଶେଷରେ ସର୍ବ ସମ୍ମତି କ୍ରମେ ନିଖିଳ ଉତ୍କଳ ସୁବର୍ଣ୍ଣଗ୍ରାହୀ ଶୁଣ୍ଢି ସମାଜର ଏକ ପରିଚାଳନା କମିଟି ଗଠନ କରାଯାଇଥିଲା । ଉକ୍ତ କମିଟିରେ ପୂର୍ବତନ ବଙ୍ଗୋମୁଣ୍ଡା ବ୍ଲକ ଅଧ୍ୟକ୍ଷ ସମାଜସେବୀ ପୂର୍ଣ୍ଣଚନ୍ଦ୍ର ବେହେରାଙ୍କୁ ସର୍ବ ସମ୍ମତି କ୍ରମେ ଅଲ୍‌ ଓଡିଶା ପ୍ରାନ୍ତ ଶୁଣ୍ଢି ସମାଜର କୁଳପତି ଭାବେ ଚୟନ କରାଯାଇଛି । ସେହିପରି ଉପ କୁଳପତି ଭାବେ ଦଶମୁ ବେହେରା, ତାରିଣୀସେନ ବେହେରା, ସମ୍ପାଦକ ହରିହର ବେହେରା, ସହ ସମ୍ପାଦକ ପୁଲସ୍ତି ବେହେରା, କ୍ଷୀତିଶ ବେହେରା, କୋଷାଧ୍ୟକ୍ଷ ଡମ୍ବରୁ ବେହେରାଙ୍କୁ ମନୋନୀତ କରି ଶୁଣ୍ଢି ସମାଜର ସମସ୍ତ ଦାୟିତ୍ୱଭାର ପ୍ରଦାନ କରାଯାଇଛି । ନବ ନିର୍ବାଚିତ କୁଳପତି ତଥା ସଭାପତିଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟୁଛି ।

Leave A Reply

Your email address will not be published.