ରବିବାର ଦିନ ଶିକ୍ଷାନୁଷ୍ଠାନ ନ ଖୋଲିବାକୁ ଦାବୀ

ଭୁବନେଶ୍ୱର : ଆସନ୍ତା ୮ ତାରିଖରୁ ରାଜ୍ୟରେ ସ୍କୁଲ ଖୋଲିବ ବୋଲି ଘୋଷଣା ହୋଇଛି । ସବୁଦିନ ପାଠ ପଢ଼ାଇବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ମାତ୍ର ରବିବାର ପାଠ ପଢ଼ାକୁ ଶିକ୍ଷକମାନେ ନାପସନ୍ଦ କରିଛନ୍ତି । ସରକାରଙ୍କ ସ୍କୁଲ ଖୋଲିବା ନିଷ୍ପତ୍ତିକୁ ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀମାନେ ମିଳିତ ମଞ୍ଚ ସ୍ୱାଗତ ଜଣାଇଛନ୍ତି । ରବିବାର ଗୋଟିଏ ଦିନ ଶିକ୍ଷାନୁଷ୍ଠାନ ବନ୍ଦ କରିବାକୁ ମଞ୍ଚ କହିଛିି । କୋଭିଡ୍‌ ମହାମାରୀ ଯୋଗୁ ଦୀର୍ଘଦିନ ଧରି ସ୍କୁଲ ଓ କଲେଜ ବନ୍ଦ ହୋଇଥିଲେ ମଧ୍ୟ ଶିକ୍ଷକମାନେ କୋଭିଡ୍‌ କାର୍ୟ୍ୟ କରିବା ସହିତ ଅନ୍‌ଲାଇନ ଶିକ୍ଷାଦାନ ଜାରି ରଖିଥିଲେ । ବର୍ତ୍ତମାନର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଶିକ୍ଷକମାନେ ଯଥା ସମ୍ଭବ ପିଲାମାନଙ୍କୁ ଶିକ୍ଷାଦାନ କରି ପରୀକ୍ଷା ପାଇଁ ପ୍ରସ୍ତୁତ କରିବାକୁ ସଙ୍କଳ୍ପବଦ୍ଧ । କିନ୍ତୁ ସପ୍ତାହରେ ମାତ୍ର ଗୋଟିଏ ଦିନ ଛୁଟି ଦିଆ ନ ଗଲେ ଏହା ଶିକ୍ଷକ ତଥା ଛାତ୍ରୀଛାତ୍ରଙ୍କ ମାନସିକ ସନ୍ତୁଳନ ନଷ୍ଟ କରିବ ।
ଏହାଛଡ଼ା ଜାନୁୟାରୀ ୩ରେ ପ୍ରକାଶିତ ବିଜ୍ଞପ୍ତିରେ ଉଚ୍ଚଶିକ୍ଷା ବିଭାଗ ରବିବାର ଅନୁଷ୍ଠାନ ବନ୍ଦ କରିବାକୁ ନିଷ୍ପତ୍ତି ନେଇଥିବା ବେଳେ ଗଣଶିକ୍ଷା ବିଭାଗ ଜାନୁୟାରୀ ୨ରେ ଶିକ୍ଷାନୁଷ୍ଠାନ ଖୋଲିବାକୁ ଘୋଷଣା କରିଛି । ଏହାଦ୍ୱାରା ଉଭୟ ବିଭାଗ ମଧ୍ୟରେ ସମନ୍ୱୟ ନ ଥିବା ସ୍ପଷ୍ଟ ବାରି ହେଉଛି । ଯେଉଁ ଅନୁଷ୍ଠାନରେ ଯୁକ୍ତ ଦୁଇ ଓ ଯୁକ୍ତ ୩ ମିଳିତ ଭାବେ ଶିକ୍ଷାଦାନ କରାଯାଉଛି ସେଠାରେ ଶିକ୍ଷକମାନେ ଦ୍ୱନ୍ଦ୍ୱରେ ପଡୁଛନ୍ତି । ଏହାଛଡ଼ା ପ୍ରଶ୍ନପତ୍ର ଢାଞ୍ଚା କିପରି ହେବ ଓ କେତେ ମାର୍କର ସଂକ୍ଷିପ୍ତ ପ୍ରଶ୍ନ ଓ କେତେ ମାର୍କର ଦୀର୍ଘ ପ୍ରଶ୍ନ ରହିବ ତାହା ବିଭାଗ ଶୀଘ୍ର ଘୋଷଣା କଲେ ସେହି ଅନୁଯାୟୀ ଛାତ୍ରୀଛାତ୍ରଙ୍କୁ ପ୍ରସ୍ତୁତ କରିବା ସହଜ ହେବ ବୋଲି ମିଳିତ ମଞ୍ଚ ପକ୍ଷରୁ କୁହାଯାଇଛି । ସପ୍ତାହରେ କେବଳ ଗୋଟିଏ ଦିନ ଛୁଟି ଦେବାକୁ ମିଳିତ ମଞ୍ଚ ପକ୍ଷରୁ ଆବାହକ ଗୋଲକ ନାୟକ, ପ୍ରକାଶ ଚନ୍ଦ୍ର ମହାନ୍ତି, ପବିତ୍ର ମହଲା, ଗଗନ ବେଉରା, ବିନୋଦ ପାଣିଗ୍ରାହୀ ପ୍ରମୁଖ ଦାବି କରିଛନ୍ତି ।

Leave A Reply

Your email address will not be published.