ନବରଙ୍ଗପୁର : ନବରଙ୍ଗପୁର ଜିଲା ନନ୍ଦାହାଣ୍ଡି ପଞ୍ଚାୟତ ସମିତି କାର୍ଯ୍ୟାଳୟର ସଭା ଗୃହରେ ବ୍ଲକସ୍ତରୀୟ ଯୁଗ୍ମ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ବ୍ଲକର ବିଭିନ୍ନ ପ୍ରାନ୍ତରୁ ଆସିଥିବା ୪୦ ଜଣଙ୍କର ଅଭିଯୋଗ ପତ୍ର ପଞ୍ଜିକୃତ ହୋଇଥିଲା । ସେଥିମଧ୍ୟରୁ ୫ ଗୋଟି ଗୋଷ୍ଠୀ ଗତ ହୋଇଥିବା ବେଳେ ବଳକା ୩୫ଗୋଟି ବ୍ୟକ୍ତିଗତ ଆପତ୍ତି, ଅଭିଯୋଗ ଥିଲା । ଜମିଜମା, ବାର୍ଦ୍ଧକ୍ୟ ଭତ୍ତା, ଶିକ୍ଷା ବ୍ୟବସ୍ଥା, ସ୍ୱାସ୍ଥ୍ୟସେବା, ରାସ୍ତା ନିର୍ମାଣ, ମରାମତି, ପ୍ରଧାନମନ୍ତ୍ରୀ ଆବାସ, ନନ୍ଦାହାଣ୍ଡିରେ ନୂତନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ନିର୍ମାଣ, ବିବାହ ପ୍ରମାଣ ପତ୍ର ପ୍ରଦାନ, ପଞ୍ଚାୟତ କାମର ବକେଆ ପାଉଣା, ଦିବ୍ୟାଙ୍ଗ ପ୍ରମାଣ ପତ୍ର ଇତ୍ୟାଦି ସଂକ୍ରାନ୍ତୀୟ ଅଭିଯୋଗର ଶୁଣାଣି ହୋଇଥିଲା । ଲୋକଙ୍କ ଅଭିଯୋଗ ଜିଲାପାଳ ଡଃ କମଳ ଲୋଚନ ମିଶ୍ର ଶୁଣିବା ସହିତ ଏହାର ତୁରନ୍ତ ଆଶୁ ସମାଧାନ ପାଇଁ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦେଶ ଦେଇଥିଲେ । ଏଥିସହିତ ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ ତରଫରୁ ଉପସ୍ଥିତ ଥିବା ଦିବ୍ୟାଙ୍ଗ ମାନଙ୍କୁ ୧୨ଗୋଟି ହୁଇଲ ଚୈର୍, ଦୁଇ ଗୋଟି ଟ୍ରାଇ ସାଇକେଲ, ଦୁଇ ଗୋଟି ଟେରା ପେଡ ଜିଲ୍ଲାପାଳ ଡକ୍ଟର ମିଶ୍ରଙ୍କ ଦ୍ଵାରା ପ୍ରଦାନ କରାଯାଇଥିଲା । ଏହି କାର୍ୟ୍ୟକ୍ରମରେ ଆରକ୍ଷୀ ଅଧୀକ୍ଷକ ଏସ୍ ସୁଶ୍ରୀ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ରତ୍ନାକର ସାହୁ, ନନ୍ଦାହାଣ୍ଡି ପଞ୍ଚାୟତ ସମିତି ଅଧ୍ୟକ୍ଷ, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଜିଲ୍ଲା ପରିଷଦ ସଭ୍ୟ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡକ୍ଟର କାଳୀ ପ୍ରସାଦ ବେହେରା, ପ୍ରକଳ୍ପ ପ୍ରଶାସକ, ସମନ୍ୱିତ ଜନଜାତି ଉନ୍ନୟନ ବିଭାଗ ଅଭିମନ୍ୟୁ ମାଝୀ, ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ନାଗ, ଅଧିକ୍ଷଣ ଯନ୍ତ୍ରୀ ପୂର୍ତ୍ତ ବିଭାଗ ପ୍ରଫୁଲ୍ଲ କୁମାର ମିଶ୍ର, ଜିଲ୍ଲା ସମାଜିକ ସୁରକ୍ଷା ଅଧିକାରୀ ସୁଧାଂଶୁ ପାତ୍ରଙ୍କ ସମେତ ଜିଲ୍ଲାସ୍ତରୀୟ ବିଭିନ୍ନ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ ।