
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲା ପ୍ରଶାସନ ତରଫରୁ ଯୁଗ୍ମ ଜଣ ଅଭିଯୋଗ ଶୁଣାଣି ଶିବିର ସଇଁତଲା ବ୍ଲକ ମୁଖ୍ୟାଳୟଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅଭିଯୋଗ ଶିବିରରେ ଜିଲ୍ଲାପାଳ ଚଞ୍ଚଳ ରାଣା, ଆରକ୍ଷୀ ଅଧିକ୍ଷକ ରିଷିକେଶ ଖିଲାରୀ, ମୁଖ୍ୟ ଉନୟନ ଅଧିକାରୀ ସୁଶାନ୍ତ ସିଂ ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗ ଶୁଣାଣି କରିଥିଲେ । ଉପଖଣ୍ଡ ଅନ୍ତର୍ଗତ ସମସ୍ତ ବିଡିଓ, ତହସିଲଦାରମାନେ ଉପସ୍ଥିତ ଥିଲେ । ଏହି ଯୁଗ୍ମ ଜନ-ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ସମୁଦାୟ ୫୨ ଗୋଟି ଅଭିଯୋଗ ଦରଖାସ୍ତ ଦାଖଲ ହୋଇଥିଲା । ତନ୍ମଧ୍ୟରୁ ୪୧ ଗୋଟି ବ୍ୟକ୍ତିଗତ ଅଭିଯୋଗମୂଳକ ଦରଖାସ୍ତ ହୋଇଥିବା ବେଳେ ଅବଶିଷ୍ଟ ୧୧ ଗୋଟି ସାମୁହିକ ଦରଖାସ୍ତ ଦାଖଲ ହୋଇଥିଲା । ଗୋଟିଏ ଅଭିଯୋଗର ଶୁଣାଣି ତତ୍କ୍ଷଣାତ ଫଇସଲା ହୋଇଥିବା ବେଳେ ବାକି ଅଭିଯୋଗ ଗୁଡିକର ଶୁଣାଣି ଯଥାଶୀଘ୍ର ସମାଧାନ କରିବାକୁ ଅତିରିକ୍ତ-ଜିଲ୍ଲାପାଳ, ଆରକ୍ଷୀ ଅଧିକ୍ଷକ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଯୁଗ୍ମ ଜନ-ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ସହାୟତା ବାବଦରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୩୦୦୦୦ ଟଙ୍କାର ଆର୍ଥିକ ସହାୟତା ମଞ୍ଜୁର କରାଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦର ଅତିରିକ୍ତ ପ୍ରକଳ୍ପ ନିର୍ଦେଶକ ତରଣି ସୁନା, ଡେପୁଟି କଲେକ୍ଟର ସଚିଦାନନ୍ଦ ମିଶ୍ର, ଜିଲ୍ଲା ମଙ୍ଗଳ ଅଧିକାରୀ ଅଲେଖ ବିଶ୍ଵାଳ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ କୁବେର ଚନ୍ଦ୍ର ମହନ୍ତ, ଜିଲ୍ଲା ପଞ୍ଚାୟତ ଅଧିକାରୀ ପ୍ରମୋଦ କୁମାର ମିଶ୍ର, ଜିଲ୍ଲା ଶିକ୍ଷାଧିକାରୀ ଧ୍ରୁବ ଚରଣ ବେହେରା, କିଲଟାରୀର ସ୍ନିଗଧା ରାଣୀ ତ୍ରିପାଠୀ, ଡିସିପିଓ ଲକ୍ଷ୍ମୀ ସିଂ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଶୁଣାଣି ଶିବିରରେ ଜିଲ୍ଲାପ୍ରଶାସନ ତରଫରୁ ବେଟି ବଚାଓ ବେଟି ପଢାଓ ଯୋଜନାରେ ଘରେ ପ୍ରଥମ ଝିଅ ଜନ୍ମ ନେଇଥିବା ପରିବାରକୁ କିଟ୍ ସମେତ ମାନପତ୍ର ପ୍ରଦାନ କରାଯାଇଥିଲା ।