ବଲାଙ୍ଗିର, (କେପିଏନ୍ଏସ୍) : ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଜିଲ୍ଲା ସଦରମହକୁମା ସ୍ଥିତ ଜିଲ୍ଲା ପଞ୍ଚାୟତ ସାଧନ କେନ୍ଦ୍ରର ବୈଠକ ଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅଭିଯୋଗ ଶୁଣାଣିରେ ଜିଲ୍ଲାପାଳ ଗୌରବ ଶିବାଜୀ ଇସଲୱାର ଏବଂ ଆରକ୍ଷୀ ଅଧିକ୍ଷକ ଅଭିଳାଷ ଜି ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଲୋକଙ୍କ ସମସ୍ୟା ଓ ଅଭିଯୋଗ ଶୁଣିଥିଲେ । ସମସ୍ତ ବିଭାଗର ଅଧିକାରୀମାନେ ଉପସ୍ଥିତ ରହି ଦାଖଲ ହୋଇଥିବା ଅଭିଯୋଗ ପତ୍ରଗୁଡ଼ିକର ତୁରନ୍ତ ସମାଧାନ ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିଛନ୍ତି । ପଞ୍ଚାୟତ ଅଞ୍ଚଳର ବିଭିନ୍ନ ଗାଁରୁ ଆସିଥିବା ଲୋକମାନେ ନିଜ ନିଜ ସମସ୍ୟା ଉପସ୍ଥାପନ କରିଥିଲେ । ଜିଲ୍ଲାପାଳ ସମସ୍ତ ଅଭିଯୋଗ ଶୁଣିବା ପରେ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ଏକ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ସେଗୁଡିକ ସମାଧାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ଶିବିରରେ ମୋଟ ୩୨ଟି ଅଭିଯୋଗ ପତ୍ର ପଞ୍ଜୀକୃତ ହୋଇଛି । ତନ୍ମଧ୍ୟରୁ ବ୍ୟକ୍ତିଗତ ସମସ୍ୟା ସମ୍ବନ୍ଧୀୟ ୩୧ଟି ଏବଂ ସାମୁହିକ ୧ଟି ଅଭିଯୋଗ ପତ୍ର ଗ୍ରହଣ କରାଯାଇଛି । ୫ଟି ଅଭିଯୋଗର ତୁରନ୍ତ ସମାଧାନ କରାଯାଇଥିଲା । ଏହି ଅଭିଯୋଗ ଶୁଣାଣି ଶିବିରରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲାପରିଷଦ ତରଣି ସୁନା, ଉପଜିଲ୍ଲାପାଳ ଆଲୋକ କୁମାର ପଟେଲଙ୍କ ସହ ଅନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀଗଣ ଉପସ୍ଥିତ ରହି ଜନସାଧାରଣଙ୍କ ସମସ୍ୟା ବୁଝିଥିଲେ ।