
ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନ ଶୁଣାଣୀରେ ବିଦ୍ୟୁତ ସଂସ୍ପର୍ଶରେ ଆସି ଗାଈ ବଳଦ ମୃତ୍ୟୁ ମାମଲା : ସାତ ଦିନ ଭିତରେ ସମାଧାନ କରିବାକୁ ନିର୍ଦ୍ଦେଶ ଦେଲେ ଏଡିଏମ୍

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଆଜି ସ୍ଥାନୀୟ ବ୍ଲକ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପବିତ୍ର ବେହେରା ଏଡିଏମ୍ ବଲାଙ୍ଗିର, ତରଣୀ ସୁନା ପିଡି ବଲାଙ୍ଗିର, ଟିଟିଲାଗଡ଼ ଉପଜିଲ୍ଲାପାଳ ପଦ୍ମନାଭ ସାମନ୍ତରାୟ ଉପସ୍ଥିତ ରହି ଲୋକଙ୍କ ଅଭିଯୋଗ ଶୁଣିଥିଲେ । ଏହି ଅଭିଯୋଗ ଶୁଣାଣୀରେ ବିଦ୍ୟୁତ ସଂସ୍ପର୍ଶରେ ଆସି ସିହୀନି ଗାଁ ର ପ୍ରସନ୍ନ ବାଗଙ୍କ ଗର୍ଭବତୀ ଗାଈ, ବାନ୍ଧୂପଲା ଗ୍ରାମର ଧ୍ରୁବ ବଗର୍ତ୍ତିଙ୍କ ବଳଦର ମୃତ୍ୟୁ ହୋଇଥିବା ବେଳେ ଥାନାରେ ଏତଲା ଦେବା ସହ ଟିପିଡଲ୍ୟୁଓଡିଏଲ୍ କାର୍ଯ୍ୟାଳୟରେ ମଧ୍ୟ ଲେଖି ଜଣାଇଥିଲେ । ଦୀର୍ଘ ମାସ ବିତି ଯାଇଥିଲେ ହେଁ କିଛି କ୍ଷତିପୂରଣ ନ ମିଳିବାରୁ ଆଜି ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଜନ ଶୁଣାଣୀକୁ ଆସି ଅଭିଯୋଗ କରିଥିଲେ । ଏମାନଙ୍କ ସହ ସରପଞ୍ଚ ସଂଘ ରାଜ୍ୟ କାର୍ଯ୍ୟକାରୀ ସଭାପତି ବୀରବର ସାହୁ ମଧ୍ୟ ଉପସ୍ଥିତ ଥିଲେ । ତେବେ ଏସ୍ଡିଓଙ୍କୁ ଡ଼ାକି ସାତ ଦିନ ଭିତରେ ଏହାର ସମାଧାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ ଏଡିଏମ୍ । ଏହି ଶୁଣାଣୀରେ ଜିଲ୍ଲାର ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ । ଟିଟିଲାଗଡ଼ ବିଡ଼ିଓ ଚନ୍ଦ୍ରମଣି ନାଗ, ଏସ୍ଡିପିଓ ଯଶୋବନ୍ତ ନାରାୟଣ ପ୍ରଧାନ, ଜିଲ୍ଲା ଶିକ୍ଷା ଅଧିକାରୀ, ଟିଟିଲାଗଡ଼ ଶିକ୍ଷା ଅଧିକାରୀ, ଟିଟିଲାଗଡ଼ ବନଖଣ୍ଡ ଅଧିକାରୀ ସଚିଦାନନ୍ଦ ସୁବୁଦ୍ଧି ଓ ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ଥିଲେ ।