ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ସୁନାବେଶରେ ଝଲସି ଉଠିଲେ ଶ୍ରୀଜୀଉ । ଛତ୍ରପୁର ସହରର ତାଡେପଲ୍ଲୀ ସାହି ସ୍ଥିତ ରାଜାଘର ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିର ପକ୍ଷରୁ ରଥ ଉପରେ ଶ୍ରୀଜୀଉଙ୍କ ସୁନାବେଶ ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ପାରମ୍ପରିକରୀତିରେ ମହାପ୍ରଭୁ ଶ୍ରୀଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରା, ସୁଦର୍ଶନ ଠାକୁରଙ୍କ ସୁନାବେଶ ଲୀଳା ଶୃଙ୍ଖଳିତ ଭାବେ ବୁଧବାର ସମାହିତ ହୋଇଯାଇଛି । ଏହି ମନ୍ଦିରରେ ପ୍ରତିବର୍ଷ ସୁନାବେଶ ଏଵଂ ଉତ୍କଳୀୟ ସଂସ୍କୃତି ସମ୍ପନ୍ନ ନୃତ୍ୟ ସଙ୍ଗୀତ କାର୍ଯ୍ୟକ୍ରମର ଆୟୋଜନ ହୋଇଥାଏ । ଚଳିତ ବର୍ଷ ସୁନାବେଶ ଦେଖିବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ସହ କଡ଼ା ସୁରକ୍ଷା ମଧ୍ୟରେ ଶ୍ରୀଜୀଉଙ୍କ ସୁନାବେଶର ଅୟୋଜନ ହୋଇଥିଲା । ଚତୁର୍ଦ୍ଧାମୂର୍ତ୍ତିଙ୍କ ସୁନାବେଶ ଦେଖି ଭକ୍ତଜନ ଭାବ-ବିହ୍ୱଳ ହୋଇ ଉଠିଥିଲେ । ଅଗଣିତ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ହୋଇଛି । ମହାପ୍ରଭୁଙ୍କ ମହଣ ମହଣ ସୁନା ଅଳଙ୍କାରରେ ଭରପୂର ହୋଇଥିବା ଶ୍ରୀଜୀଉଙ୍କ ସୁନାବେଶ ଦେଖି ଭକ୍ତଗଣ ଆତ୍ମବିଭୋର ହୋଇ ପଡ଼ିଥିଲେ । ସେହିପରି ଛତ୍ରପୁର ସହରର ଦାସିରୀ ଜଗନ୍ନାଥ ମନ୍ଦିରର ଏଵଂ ସୀତାରାମପଲ୍ଲୀର ପଣ୍ଡାରଥରେ ମହାପ୍ରଭୁ ଶ୍ରୀଜଗନ୍ନାଥ-ପତିତପାବନ ଠାକୁରଙ୍କ ସୁନାବେଶ ଲୀଳା ସ୍ୱରୂପ ରୋପ୍ୟ ଓ କିଛି ସୁନା ଅଳଙ୍କାର ଗହଣା ଆଦି ଠାକୁରଙ୍କୁ ଲାଗି ହୋଇଥିବା ଦେଖାଦେଇଛି । ସହରର ମୁଖ୍ୟ ସଡ଼କପଥ ବଡ଼ବଜାର ଓ ମଝିବଜାରରେ ଦଣ୍ଡାୟମାନ ହୋଇଥିବା ଦୁଇଟି ରଥ ଉପରେ ଶ୍ରୀଜୀଉଙ୍କ ସୁନାବେଶ ଦେଖିବା ପାଇଁ ଅଗଣିତ ଭକ୍ତଙ୍କ ସମାଗମ ହୋଇଥିବା ଦେଖାଦେଇଛି । ଏହି ଅବସରରେ ବଜାର ଉପରେ ବୁଧବାର ରାତିରେ ଭଜନ ସମାରୋହ ଅନୁଷ୍ଠିତ ହୋଇ ସ୍ଥାନଟି ସରଗରମ ହୋଇଥିବା ଦେଖାଦେଇଛି ।