ବଲାଙ୍ଗିର, (ଦେବାଶିଷ ମିଶ୍ର) : ସକଳ ରୂପ ଅରୁପର ଆଧାର, ବେଶ ବହୁଳ ଓ ବିଭିନ୍ନତାର ପରିପୂର୍ଣ୍ଣ ଜଗତର ନାଥ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ପ୍ରସିଦ୍ଧ ସୁନାବେଶ ଗୁରୁବାର ଦିନ ସ୍ଥାନୀୟ ଟିକ୍ରାପଡାଠାରେ ଶ୍ରୀକ୍ଷେତ୍ର ଚାନ୍ଦ ମନ୍ଦିରରେ ଅନୁଷ୍ଠିତ ହୋଇଯାଇଛି । ପବିତ୍ର ଆଷାଢ ଶୁକ୍ଳ ବଡଏକାଦଶୀ ଦିନ ଅନୁଷ୍ଠିତ ହୋଇଥିବା ଏହି ବେଶକୁ ବଡ ତଡଉ ବା ରାଜ ରାଜେଶ୍ୱର ବେଶ ମଧ୍ୟ କୁହାଯାଏ । ଏହି ଜାତିର ଅଧିଶ୍ୱର ଭାବରେ ଓ ସକଳ ଐଶ୍ୱର୍ଯ୍ୟର ଅଧିକାରୀ ଭାବେ ଶ୍ରୀ ଜୀଉ ସୁବର୍ଣ୍ଣ ଅଳଙ୍କାର ଧାରଣ କରିଥାନ୍ତି । ବେଶ ହେଉଛି ଏକ ବିଶେଷ ମାନସିକତା, ଭାବବସ୍ଥା ତଥା ପ୍ରକୃତିର ପ୍ରତିଫଳନ । ଶ୍ରୀ ଜଗନ୍ନାଥଙ୍କର ୨୪ଟି ବେଶ ମଧ୍ୟରୁ ସର୍ବଶ୍ରେଷ୍ଠ ଏହି ସୁନାବେଶର ମହାତ୍ମ୍ୟ ଗାନ କରିବା ଅସମ୍ଭବ । ତେବେ ଏହି ବେଶରେ ଜଗନ୍ନାଥଙ୍କୁ ଦର୍ଶନ କଲେ କୋଟି ତିର୍ଥ ପୁଣ୍ୟ ଫଳ ମିଳିବା ସହିତ ସମସ୍ତ ପାତକ ନାଶ ଯାଇ ମୋକ୍ଷ ପ୍ରାପ୍ତ ମିଳେ ବୋଲି ବିଶ୍ୱାସ ରହିଛି । ସେଥିପାଇଁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ, ଭକ୍ତ, ଦର୍ଶକମାନେ ସନ୍ଧ୍ୟା ଘଣ୍ଟା ୪ଟା ପରେ ଚାନ୍ଦ ମନ୍ଦିରକୁ ଯାଇ ରାତ୍ରିର ବିଳମ୍ବିତ ପ୍ରହର ପର୍ଯ୍ୟନ୍ତ ଶ୍ରୀ ଜୀଉଙ୍କ ସୁନାବେଶ ଦର୍ଶନ କରି ଅପାର ଆନନ୍ଦ ଲାଭ କରିଥିଲେ । ସୁନାବେଶ ଉପଲକ୍ଷେ ଚାନ୍ଦ ମନ୍ଦିର ରଥ କମିଟି ପକ୍ଷରୁ ଜିଲ୍ଲାର ପ୍ରତିଷ୍ଠିତ ସାଂସ୍କୃତିକ ଅନୁଷ୍ଠାନ ଶ୍ରୀକ୍ଷେତ୍ର ଭଜନ ସନ୍ଧ୍ୟାର ଭଜନ କାର୍ଯ୍ୟକ୍ରମ ସମାବେଶ ଭକ୍ତିପ୍ରାଣ ଦର୍ଶକ ମଣ୍ଡଳୀକୁ ସେଠାରେ ବାନ୍ଧି ରଖିବାରେ ବିଶେଷ ସହାୟକ ହୋଇ ପରିବେଶକୁ ଆହୁରି ମନ୍ତ୍ରମୁଗ୍ଧ କରିଦେଇଥିଲା । ଶ୍ରୀକ୍ଷେତ୍ର ଭଜନ ସନ୍ଧ୍ୟା ନୂଆପଡାର ବରିଷ୍ଠ ତଥା ପ୍ରତିଷ୍ଠାତା ଧନେଶ୍ୱର ଦାସ ନିର୍ଦ୍ଦେଶନାରେ କଳାକାରମାନେ ମହାପ୍ରଭୁ ଜଗନ୍ନାଥଙ୍କର ଭଜନ ପରିବେଷଣ କରିଥିଲେ । ମହାପ୍ରଭୁଙ୍କୁ ସୁନାବେଶରେ ସଜାଇ ଥିଲେ ନିମାଇ ଚରଣ ହାତୀ, ସତ୍ୟନାରାୟଣ ଶତପଥୀ ଓ ଦ୍ୱିଜରାଜ ମିଶ୍ର । ପରିଶେଷରେ ରଥ କମିଟି ସଭାପତି ପ୍ରଦୀପ ଚାନ୍ଦ ସମବେତ ଭକ୍ତ ବ୍ରଜ ତ୍ରିପାଠୀ, ରଞ୍ଜିତ ପଣ୍ଡା, ଅଶୋକ ଚାନ୍ଦ, ମହେନ୍ଦ୍ର ବାଗ, ପଦ୍ମଲୋଚନ ଯୋଷୀ, ସୁଧିର ଚାନ୍ଦ, ରାଜ କୁମାର ମିଶ୍ର, ଅନିଲ ଠାକୁର, ଛାୟାକାନ୍ତ ସାହୁ, ରାଜୀବ ମିଶ୍ର, ସୁଧିର ତ୍ରିପାଠି, ଜଗନ୍ନାଥ ମନ୍ଦିର ପୂଜକ କୃଷ୍ଣଚନ୍ଦ୍ର ମିଶ୍ର ତଥା ରାମ ମନ୍ଦିର ପୂଜା କମିଟିର କର୍ମକର୍ତ୍ତାଙ୍କ ଅକୁଣ୍ଠିତ ସହଯୋଗ ପାଇଁ କୃତଜ୍ଞତା ଜ୍ଞାପନ କରି ଆଗାମୀ ଦିନରେ ସମସ୍ତଙ୍କର ସହଯୋଗ କାମନା କରିଥିଲେ ।