ସୁଦପଡା ନିର୍ମଳା ହୋଟେଲରେ ସୁନା ସଫା କରି ଦେବି କହି ଲୁଟି ନେଲେ ସୁନା ଚେନ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରରେ ଠକାମୀ, ଭଣ୍ଡାମୀ ତଥା ଚୋରି ଡକାୟତି ବଢି ଚାଲିଥିବା ବେଳେ ଆଜି ସହରର ସୁଦପଡା ନିର୍ମଳା ହୋଟେଲରେ ସୁନା ସଫା କରି ଦେବି କହି ଦୁଇ ଜଣ ଦୁର୍ବୃତ୍ତ ସୁନା ଚେନ୍‌ ଲୁଟି ନେଇଥିବା ଜଣାପଡିଛି । ଏହାକୁ ନେଇ ଟାଉନ ଥାନାରେ ମଧ୍ୟ ଏକ ମାମଲା ରୁଜୁ ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁସାରେ ନିର୍ମଳା ହୋଟେଲରେ ମାଲିକାଣୀ କାର୍ତ୍ୟାୟନୀ ବସିଥିବା ବେଳେ ହିନ୍ଦୀ ଭାଷାରେ କଥା ହେଉଥିବା ଦୁଇ ଜଣ ଯୁବକ ହେଟେଲକୁ ଆସି ଗୁଟ୍‌କା କିଣି ଖାଇଥିଲେ ଏବଂ ଆମେ ପତଂଜଳିରୁ ଆସିଛୁ ବୋଲି କହି ତୁମ ସୁନା ଚେନ୍‌ ଦିଅ ଆମେ ସଫା କରି ଦେବୁ ବୋଲି ମାଲିକାଣୀ କାର୍ତ୍ୟାୟନୀଙ୍କୁ ମାଗିଥିଲେ । ସେ ବହୁବାର ମନା କରିବା ପରେ ମଧ୍ୟ ଦୁଇ ଦୁର୍ବୃତ୍ତ ତାଙ୍କୁ ବାରମ୍ବାର ନାନା ପ୍ରଲୋଭନ ଦେଖାଇ ସୁନା ଚେନ୍‌ ମାଗିଥିଲେ । ଶେଷରେ ସେ ବାଧ୍ୟ ହୋଇ ସଫା କରିବା ଉଦେଶ୍ୟରେ ବେକରୁ ସୁନା ଚେନ୍‌ କାଢି ସେମାନଙ୍କ ହାତକୁ ବଢାଇ ଦେଇଥିଲେ । ଦୁର୍ବୃତ୍ତମାନେ ସୁନା ଚେନ୍‌କୁ ସାମାନ୍ୟ ଘଷାଘଷି କରି ଅଟା ଗୁଣ୍ଡର ଏକ ପୁଡିଆ କାର୍ତ୍ୟାୟାନୀଙ୍କ ହାତକୁ ବଢାଇ ଦେଇଥିଲେ ଓ ଏହି ପୁଡିଆକୁ ୨୦ ମିନିଟ୍‌ ପରେ ଖୋଲିବ, ଦେଖିବ ତମ ସୁନା୍‌ ଚେନ୍‌ ପୁରା ଚକ୍‌ ଚକ୍‌ ହୋଇ ଝଟକିବ ବୋଲି କହି ଘଟଣାସ୍ଥଳରୁ ଫେରାର୍‌ ମାରିବାରେ ସଫଳ ହୋଇଥିଲେ । ଏପଟେ କାର୍ତ୍ୟାୟାନୀ ବ୍ୟସ୍ତ ହୋଇ ପାଂଚ ମିନିଟ ପରେ ପୁଡିଆ ଖୋଲି ଦେଖିବା ବେଳକୁ ସେଥିରେ ସୁନା ଚେନ୍‌ ନଥିଲା, କେବଳ ଅଟା ଗୁଣ୍ଡ ରହିଥିଲା । ସେତେବେଳକୁ ଦୁର୍ବୃତ୍ତମାନେ ଚମ୍ପଟ ମାରି ସାରିଥିଲେ । ଏନେଇ ହେଟେଲ ମାଲିକାଣୀ କାର୍ତ୍ୟାୟାନୀ ଟାଉନ ଥାନାରେ ଲିଖିତ ଅଭିଯୋଗ କରିଥିବା କହିଛନ୍ତି ।

Leave A Reply

Your email address will not be published.