ବଲାଙ୍ଗିର, (କେପିଏନ୍ଏସ୍) : ଆଦିବାସୀ ସଂସ୍କୃତି ଓ ପରମ୍ପରାର ଭିନ୍ନ ଏକ ପର୍ବ ହେଉଛି ସୁଲିଆ ମହୋତ୍ସବ । ବଲାଙ୍ଗିର ଜିଲ୍ଲାର ଦେଓଗାଁ ବ୍ଲକ କୁଲୁତାପଡ଼ା ଗ୍ରାମ ପଞ୍ଚାୟତ କୁମୁରିଆ ଗ୍ରାମରେ ପ୍ରତିବର୍ଷ ବଡ଼ ଧୁମ୍ଧାମ୍ରେ ସୁଲିଆ ଯାତ୍ରା ତଥା ସୁଲିଆ ମହୋତ୍ସବ ଅନୁଷ୍ଠିତ ହୋଇଥାଏ । ଚଳିତ ବର୍ଷ ମଧ୍ୟ ବଡ଼ ଧୁମ୍ଧାମ୍ରେ ସୁଲିଆ ମହୋତ୍ସବ ଅନୁଷ୍ଠିତ ହେବ ବୋଲି ସୁଲିଆ ମହୋତ୍ସବ କମିଟି ପକ୍ଷରୁ ଆଜି ବଲାଙ୍ଗିର ସାମ୍ବାଦି ଭବନ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ସାମ୍ବାଦିକ ସମ୍ମିଳନୀରେ ସୁଲିଆ ମହୋତ୍ସବ କମିଟିର ସଦସ୍ୟ ମାନଙ୍କ ଉପସ୍ଥିତିରେ ବଲାଙ୍ଗିର ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବରେ ଗୁରୁଶ୍ରୀ ଡକ୍ଟର ଘାସିରାମ ମିଶ୍ର, ରସରାଜ ଅଚ୍ୟୁତ ପୁରୋହିତ, ବଡବାହାଲ ପଞ୍ଚାୟତର ସରପଞ୍ଚ ଶ୍ରୀମତି ଜ୍ୟୋସ୍ନାମୟୀ ରଣା, କୁଲୁତାପଡ଼ା ସରପଞ୍ଚ ଦୁଷ୍ମନ୍ତ ସାହୁ, ରବୀନ୍ଦ୍ର ସାହୁ ପ୍ରମୁଖ ଯୋଗ ଦେଇଥିଲେ । ଆସନ୍ତା ଜାନୁଆରୀ ମାସର ୫, ୬ ଓ ୭ ତାରିଖରେ ସୁଲିଆ ମହୋତ୍ସବ ଅନୁଷ୍ଠିତ ହେବାକୁ କମିଟି ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ନିଷ୍ପତି ନିଆଯିବା ସହ ମହୋତ୍ସବକୁ ବଡ଼ ଧୁମ୍ଧାମ୍ରେ ପାଳନ କରାଯିବା ପାଇଁ ଅଞ୍ଚଳର ଜଣାଶୁଣା ଲକ୍ଷ୍ମଣ ମେହେର ସୂଚନା ଦେଇଛନ୍ତି । ଏହି ଅବସରରେ କମିଟି ପକ୍ଷରୁ ଏକ ଲୋଗୋ ମଧ୍ୟ ଉନ୍ମୋଚନ କରାଯାଇଥିଲା ।