ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଲୋକାର୍ପିତ ହେଲା ଲୋୟର ସୁକ୍‌ତେଲ ଜଳସେଚନ ପ୍ରକଳ୍ପ

ବଲାଙ୍ଗିର, (କେପିଏନ୍‌ଏସ୍‌) : ନବୀନ ଓଡ଼ିଶାର ବିକାଶ ଧାରାରେ ଆଜି ଯୋଡ଼ି ହୋଇଯାଇଛି ଲୋୟର ସୁକ୍‌ତେଲ ଜଳସେଚନ ପ୍ରକଳ୍ପ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କରକମଳରେ ଆଜି ଉଦ୍‌ଘାଟିତ ହୋଇଛି ବହୁ ପ୍ରତୀକ୍ଷିତ ବଲାଙ୍ଗିର ଜିଲ୍ଲାର ଜୀବନ ରେଖା ଲୋୟର ସୁକ୍‌ତେଲ ଡେମ୍‌ । ଏହି ପ୍ରକଳ୍ପକୁ ଲୋକାର୍ପିତ କରି ବଲାଙ୍ଗିର ଜିଲ୍ଲାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ୨ ହଜାର ୭ ଶହ ୨୩ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ଦ୍ୱାରା ୧ଲକ୍ଷ ଏକର ଜମି ସେଚାଂଚଳରେ ପରିଣତ ହେବ । ସଂପୃକ୍ତ ୫ ହଜାର ୨ ଶହ ୮୪ କିଲୋମିଟର ଦୀର୍ଘ ଜଳସେଚନ ବ୍ୟବସ୍ଥା ଦ୍ୱାରା ସୁବର୍ଣ୍ଣପୁର ସହ ବଲାଙ୍ଗିର ଜିଲ୍ଲାର ୨ ଶହରୁ ଅଧିକ ଗ୍ରାମର ୮୦ ହଜାରରୁ ଅଧିକ କୃଷକଙ୍କ ପାଇଁ ଜଳସେଚନ ସୁବିଧା ପ୍ରାପ୍ତ ହୋଇପାରିଛି । ବଲାଙ୍ଗିର ଜିଲ୍ଲାର ୨ଟି ସହରାଂଚଳର ୭୦ ହଜାର ଜନସଂଖ୍ୟା ପାଇଁ ପାନୀୟ ଜଳ ବ୍ୟବସ୍ଥା ହୋଇପାରିଛି ଲୋୟର୍‌ ସୁକ୍‌ତେଲ ଜଳସେଚନ ପ୍ରକଳ୍ପ ଦ୍ୱାରା । ଏଥିସହିତ ମୁଖ୍ୟମନ୍ତ୍ରୀ ବଲାଙ୍ଗିର ଜିଲ୍ଲାରେ ୩୦୫ କୋଟି ଟଙ୍କାର ୬୯ଟି ଭିତ୍ତିଭୂମି ଉନ୍ନୟନ ପ୍ରକଳ୍ପର ଉଦ୍‌ଘାଟନ କରିଛନ୍ତି । ସେହିପରି ଜିଲ୍ଲାରେ ୨ ହଜାର ୨ ଶହ ୨୦ କୋଟି ଟଙ୍କାର ୧୧୨ଟି ଭିତ୍ତିଭୂମି ଉନ୍ନୟନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । କୃଷି, ଜଳସେଚନ, ଜୀବିକା, ପାନୀୟ ଜଳ ଯୋଗାଣ ସହିତ ଭିତ୍ତିଭୂମି ଉନ୍ନୟନ କ୍ଷେତ୍ରରେ ଆଜି ବିକାଶର ଆଗଧାଡ଼ିରେ ବଲାଙ୍ଗିର ବୋଲି କୁହାଯାଇଛି ।

Leave A Reply

Your email address will not be published.