centurian jitm

ଭାରତର ଶୀର୍ଷ ଗେମ୍‌ ନିର୍ମାତାଙ୍କୁ ୱେଭ୍ସ ଶିଖର ସମ୍ମିଳନୀରେ ଚମକିବା ପାଇଁ ମିଳିବ ସୁଯୋଗ

nschool

• ଶ୍ରେଷ୍ଠ ବିବେଚିତ ୧୦ ପ୍ରତିଯୋଗୀ ୱେଭ୍ସରେ ସେମାନଙ୍କର ଗେମ୍‌ ପ୍ରକଳ୍ପ ଉପସ୍ଥାପନ କରିବେ
• ଶୀର୍ଷ ତିନି ଜଣ ପ୍ରତିଯୋଗୀଙ୍କୁ ମିଳିବ ୭ ଲକ୍ଷ ଟଙ୍କାର ଆର୍ଥିକ ପୁରସ୍କାର

ନୂଆଦିଲ୍ଲୀ, (ପିଆଇବି) : ଭାରତର ଶୀର୍ଷ ଯୁବ ଗେମ୍ ନିର୍ମାତାମାନଙ୍କୁ ସର୍ବୋତ୍ତମ ସୁଯୋଗ ପ୍ରଦାନ କରିବା ଲାଗି ବିଶ୍ୱ ଅଡିଓ ଭିଜୁଆଲ ଏବଂ ମନୋରଞ୍ଜନ ଶିଖର ସମ୍ମିଳନୀ-ୱେଭ୍‌ରେ ମଞ୍ଚ ପ୍ରସ୍ତୁତ ହୋଇସାରିଛି । କ୍ରିଏଟ୍‌ ଇନ୍‌ ଇଣ୍ଡିଆ ଚାଲେଞ୍ଜ : ସିଜନ୍‌ ୧ ଅଧୀନରେ ଆୟୋଜିତ ରୋଡ୍‌ ଟୁ ଗେମ୍‌ ଜାମ୍‌ ପ୍ରତିଯୋଗିତାରେ ସାରା ଦେଶରୁ ବଛା ହୋଇଥିବା ଶୀର୍ଷ ୧୦ ଜଣ ଗେମ୍‌ ଡେଭଲପର୍ସ ୱେଭ୍ସ ସମ୍ମିଳନୀରେ ସେମାନଙ୍କର ପ୍ରତିଭା ପ୍ରଦର୍ଶନ କରିବେ । ଆସନ୍ତା ମଇ ୧ରୁ ୪ ତାରିଖ ପର୍ଯ୍ୟନ୍ତ ମୁମ୍ବାରେ ୱେଭ୍ସ ସମ୍ମିଳନୀ ଆୟୋଜନ କରାଯିବ । ଏଥିରେ ପ୍ରତିଭାସମ୍ପନ୍ନ ଗେମ୍‌ ନିର୍ମାତା ବା ଡେଭଲପର୍ସମାନଙ୍କର ସୃଜନଶୀଳତାର ଭବିଷ୍ୟତର ଗେମିଂ ପାଇଁ ମାର୍ଗ ନିର୍ଦ୍ଧାରଣ କରିବ । ଗେମ୍‌ ଡେଭଲପର୍ ଆସୋସିଏସନ୍‌ ଅଫ୍‌ ଇଣ୍ଡିଆ ଦ୍ୱାରା କେଜିଇଏନ ସହଯୋଗରେ ଆୟୋଜିତ ରୋଡ୍‌ ଟୁ ଗେମ୍‌ ଜାମ୍‌ ଭାରତର ଗେମ୍‌ ଡେଭଲପର୍ସଙ୍କୁ ସେମାନଙ୍କର ସୃଜନଶୀଳତା ଓ ନବୋନ୍ମେଷ ପ୍ରଦର୍ଶନ କରିବା ନିମନ୍ତେ ଆକର୍ଷଣୀୟ ସୁଯୋଗ ପ୍ରଦାନ କରିବ । ପ୍ରତିଭାମାନଙ୍କୁ ଜାତୀୟ ସ୍ତରର ମଞ୍ଚ ପ୍ରଦାନ କରି ଏହି ପ୍ରତିଯୋଗିତା ସୃଜନଶୀଳତାକୁ ପ୍ରୋତ୍ସାହନ ଦେବା, ସହଭାଗିତାକୁ ବଢ଼ାଇବା ଏବଂ ଭାରତରେ ଗେମ୍‌ ଡେଭଲପମେଣ୍ଟ ଇକୋସିଷ୍ଟମକୁ ସୁଦୃଢ଼ କରିବା ଲାଗି ଅଭିନବ ସୁଯୋଗ ପ୍ରଦାନ କରିବାକୁ ଯାଉଛି । ରୋଡ୍‌ ଟୁ ଗେମ୍‌ ଜାମ୍‌ ପ୍ରତିଯୋଗିତା ଦେଶର ୪୫୩ଟି ସହରର ୧୬୫୦ କଲେଜରେ ଆୟୋଜିତ ହୋଇଥିଲା । ଏଥିରେ ୫,୫୦୦ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । ଏକାଧିକ ପର୍ଯ୍ୟାୟରେ ଚୟନ ପ୍ରକ୍ରିୟା ପରେ ୧୭୫ଟି ଦଳ ସେମାନଙ୍କର ମୌଳିକ ଗେମ୍‌ ଦାଖଲ କରିଥିଲେ । ଏହାକୁ ଗେମିଂ ଉଦ୍ୟୋଗର ଅଭିଜ୍ଞ ପେସାଦାରମାନେ ମୂଲ୍ୟାଙ୍କନ କରିଥିଲେ । ଶେଷରେ ୧୦ ଜଣ ଚୂଡ଼ାନ୍ତ ପ୍ରତିଯୋଗୀଙ୍କୁ ୱେଭ୍‌ ଶିଖର ସମ୍ମିଳନୀରେ ସେମାନଙ୍କର ଗେମ୍‌ ବିକାଶ ପ୍ରତିଭା ପ୍ରଦର୍ଶନ କରିବାର ସୁଯୋଗ ମିଳିବାକୁ ଯାଉଛି । ମୁମ୍ବାଇ ଠାରେ ହେବାକୁ ଥିବା ୱେଭ୍‌ ସମ୍ମିଳନୀରେ ଭାଗ ନେବା ପାଇଁ ଚୂଡ଼ାନ୍ତ ପ୍ରତିଯୋଗୀଙ୍କୁ ସମସ୍ତ ଖର୍ଚ୍ଚ ଯୋଗାଇ ଦିଆଯିବ । ସେମାନେ ବିଶ୍ୱସ୍ତରୀୟ ଉଦ୍ୟୋଗର ବିଚାରକମାନଙ୍କ ଆଗରେ ସେମାନଙ୍କର ଗେମଗୁଡ଼ିକୁ ପ୍ରଦର୍ଶିତ କରିବେ । ଶ୍ରେଷ୍ଠ ବିବେଚିତ ତିନୋଟି ଗେମ୍‌ ଦଳକୁ ଆର୍ଥିକ ପୁରସ୍କାର ଦିଆଯିବ । ପ୍ରଥମ ପୁରସ୍କାର ଭାବେ ୩.୫ ଲକ୍ଷ, ଦ୍ୱିତୀୟ ପୁରସ୍କାର ଭାବେ ୨ ଲକ୍ଷ ଏବଂ ତୃତୀୟ ପୁରସ୍କାର ଭାବେ ୧.୫ ଲକ୍ଷ ଟଙ୍କା ଦିଆଯିବ । ଆଧୁନିକ ଗେମ୍‌ ବିକାଶ କ୍ଷେତ୍ରରେ ଭାରତ ଦ୍ରୁତ ଗତିରେ ଏକ ବିଶ୍ୱ ମହାଶକ୍ତି ହେବା ଦିଗରେ ଅଗ୍ରସର ହେଉଛି । ଭାରତର ଅଗ୍ରଣୀ ଇଣ୍ଟରଆକ୍ଟିଭ୍‌ ମିଡିଆ ଓ ଗେମିଂ ଭେଞ୍ଚର କ୍ୟାପିଟାଲ ଫାର୍ମ ଲ୍ୟୁମିକାଇର ସଦ୍ୟତମ ରିପୋର୍ଟ ମୁତାବକ ଦେଶରେ ସାଢ଼େ ୫କୋଟି ଗେମର୍‌ ରହିଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ୧କୋଟି ୭୫ ଲକ୍ଷ ଲୋକ୍‌ ଗେମ୍‌ କ୍ରେତା ଅଛନ୍ତି । ଶସ୍ତା ଡାଟା କାରଣରୁ ଗେମ୍‌ ୟୁଜର୍‌ଙ୍କ ସଂଖ୍ୟା ବୃଦ୍ଧି ପାଉଛି । ମୋବାଇଲ୍‌ ଗେମିଂ ସଂସ୍କୃତି ବିକଶିତ ହୋଇଥିବା ବେଳେ ୩୫ ବର୍ଷରୁ କମ ବୟସ୍କ ୬୫ ପ୍ରତିଶତ ଲୋକ ଗେମିଂ ସମ୍ପୃକ୍ତ ରହୁଥିବା ଜଣାଯାଇଛି । ମୁମ୍ବାଇରେ ଅନୁଷ୍ଠିତ ହେବାକୁ ଥିବା ୱେଭସ୍ ଶିଖର ସମ୍ମିଳନୀରେ ଶ୍ରେଷ୍ଠ ୧୦ଟି ଦଳ ସେମାନଙ୍କ ଗେମ୍ ଉପସ୍ଥାପନ କରିବା ପାଇଁ ପ୍ରସ୍ତୁତ ହେଉଥିବା ବେଳେ, ସେମାନଙ୍କ ଯାତ୍ରା ଭାରତକୁ କେବଳ ଏକ ଜୀବନ୍ତ ଗେମିଂ ବଜାର ଭାବେ ନୁହେଁ, ବରଂ ମୂଳ ତଥା ବିଶ୍ୱସ୍ତରୀୟ ଗେମ୍ ସୃଷ୍ଟିର ଏକ ମହାଶକ୍ତି କେନ୍ଦ୍ର ଭାବେ ପ୍ରତିଷ୍ଠିତ କରିବା ଲାଗି ଏକ ବ୍ୟାପକ ଜାତୀୟ ଆକାଂକ୍ଷାକୁ ପ୍ରତିଫଳିତ କରୁଛି ।

Leave A Reply

Your email address will not be published.