
ଜିନୋମ୍ ସମ୍ପାଦିତ ଧାନର ଦୁଇଟି ନୂତନ କିସମ ସମ୍ପର୍କରେ ସାମ୍ବାଦିକ ସମ୍ମିଳନୀରେ ସୂଚନା ପ୍ରଦାନ କରିଛନ୍ତି କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂହ ଚୌହାନ
- ଏହି ନୂତନ କିସମଗୁଡ଼ିକ ଦେଶରେ ଦ୍ୱିତୀୟ ସବୁଜ ବିପ୍ଳବ ଆଣିବାରେ ପ୍ରମୁଖ ଭୂମିକା ଗ୍ରହଣ କରିବ – ଶିବରାଜ ସିଂହ ଚୌହାନ
- ନୂତନ କିସମଗୁଡ଼ିକ କେବଳ ଉତ୍ପାଦନ ସମୟ ହ୍ରାସ କରିବ ନାହିଁ ବରଂ ଅମଳ ବୃଦ୍ଧି କରିବ ଏବଂ ଜଳସେଚନ ପାଇଁ ପାଣି ସଞ୍ଚୟ କରିବ – ଶିବରାଜ ସିଂହ
- ଚାଷୀମାନଙ୍କ ନିକଟରେ ନୂତନ କିସମ ଯଥାଶୀଘ୍ର ପହଞ୍ଚାଇବା ଉପରେ ଧ୍ୟାନ ପ୍ରଦାନ – ଶିବରାଜ ସିଂହ ଚୌହାନ
- ପ୍ରତ୍ୟେକ ପରିସ୍ଥିତି ପାଇଁ ଭାରତରେ ପର୍ଯ୍ୟାପ୍ତ ଖାଦ୍ୟଶସ୍ୟ ଅଛି – ଶିବରାଜ ସିଂହ
ନୂଆଦିଲ୍ଲୀ, (ପିଆଇବି) : ନୂଆଦିଲ୍ଲୀର ଭାରତୀୟ କୃଷି ଗବେଷଣା ପରିଷଦ (ଆଇସିଏଆର୍)ରେ ଦେଶରେ ବିକଶିତ ବିଶ୍ୱର ପ୍ରଥମ ଦୁଇଟି ଜିନୋମ୍ ସମ୍ପାଦିତ ଧାନ କିସମର ଘୋଷଣା ପରେ କେନ୍ଦ୍ର କୃଷି, କୃଷକ କଲ୍ୟାଣ ଏବଂ ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ ସିଂହ ଚୌହାନ ଆଜି ଗଣମାଧ୍ୟମକୁ ଏ ସମ୍ପର୍କରେ ବିସ୍ତୃତ ସୂଚନା ଦେଇଛନ୍ତି । ସେ କହିଥିଲେ ଯେ ଏହି ନୂତନ କିସମଗୁଡ଼ିକ ଦେଶରେ ଦ୍ୱିତୀୟ ସବୁଜ ବିପ୍ଳବ ଆଣିବାରେ ପ୍ରମୁଖ ଭୂମିକା ଗ୍ରହଣ କରିବ । ଯଥାଶୀଘ୍ର ଚାଷୀମାନଙ୍କ ପାଖରେ ନୂତନ କିସମ ପହଞ୍ଚାଇବା ଉପରେ ଧ୍ୟାନ ପ୍ରଦାନ କରିବା ପାଇଁ ଶିବରାଜ ସିଂହ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି । ଏକ ସାମ୍ବାଦିକ ସମ୍ମିଳନୀରେ ଉଦବୋଧନ ଦେଇ କେନ୍ଦ୍ର ମନ୍ତ୍ରୀ ଶିବରାଜ ସିଂହ ଚୌହାନ ସୂଚନା ଦେଇଛନ୍ତି ଯେ ବୈଜ୍ଞାନିକମାନେ ଦୁଇଟି ନୂତନ ଧାନ କିସମ ବିକଶିତ କରିଛନ୍ତି, ଯାହା ମଧ୍ୟରୁ ଗୋଟିଏ ହେଉଛି କମଳା (ଡିଆର୍ଆର୍ ଧାନ ୧୦୦): ଯାହାକୁ ଆଇସିଏଆର୍-ଭାରତୀୟ କୃଷି ଗବେଷଣା ପରିଷଦ (ଆଇସିଏଆର୍-ଆଇଆଇଆର୍ଆର୍), ହାଇଦ୍ରାବାଦ ଜିନୋମ୍ ଏଡିଟିଂ ମାଧ୍ୟମରେ ସାମ୍ବା ମହସୁରୀ (ବିପିଟି ୫୨୦୪), ଏକ ଲୋକପ୍ରିୟ ସୂକ୍ଷ୍ମ ଦାନାଯୁକ୍ତ କିସମରେ ଶସ୍ୟ ସଂଖ୍ୟା ବୃଦ୍ଧି କରିବା ପାଇଁ ବିକଶିତ କରିଛନ୍ତି । ନୂତନ କିସମ କମଳାର ଅମଳ ଭଲ, ମରୁଡ଼ି ସହନଶୀଳତା, ନାଇଟ୍ରୋଜେନ ବ୍ୟବହାର ଦକ୍ଷତା ଏବଂ ଏହାର ମୂଳ କିସମ ସାମ୍ବା ମାହସୁରୀ (ବିପିଟି ୫୨୦୪) ଅପେକ୍ଷା ୨୦ ଦିନ ପୂର୍ବରୁ ପରିପକ୍ୱତା ହାସଲ କରେ । ସର୍ବଭାରତୀୟ ପରୀକ୍ଷଣରେ ଡିଆର୍ଆର୍ ଧନ ୧୦୦ (କମଳା)ର ହାରାହାରି ଉତ୍ପାଦନ ହେକ୍ଟର ପ୍ରତି ୫.୩ ଟନ୍ ଥିଲା । ଯାହା ସାମ୍ବା ମାହସୁରୀ (୪.୫ ଟନ୍) ଅପେକ୍ଷା ୧୯% ଅଧିକ ଥିଲା । ଦ୍ୱିତୀୟ ଧାନ କିସମ, ପୁସା ଡିଏସ୍ଟି ଚାଉଳ ୧ ବିଷୟରେ ଆଲୋଚନା କରି ଶିବରାଜ ସିଂହ କହିଛନ୍ତି ଯେ ନୂଆଦିଲ୍ଲୀର ପୁସା ସଂସ୍ଥାନର ଆଇସିଏଆର୍ ଲୋକପ୍ରିୟ ଧାନ କିସମ ଏମଟିୟୁ ୧୦୧୦ ରେ ମରୁଡ଼ି ପ୍ରତିରୋଧ ଏବଂ ଲୁଣ ସହନଶୀଳତା ପାଇଁ ଦାୟୀ “ଡିଏସଟି” ଜିନ୍କୁ ସମ୍ପାଦନ କରି ଏକ ନୂତନ ପ୍ରକାର ଡିଏସ୍ଟି ଚାଉଳ ୧ ବିକଶିତ କରିଛି । ସେ କହିଛନ୍ତି ଯେ ଏମ୍ଟିୟୁ୧୦୧୦ ଚାଷୀଙ୍କ ମଧ୍ୟରେ ବହୁତ ଲୋକପ୍ରିୟ କାରଣ ଏଥିରେ ଲମ୍ବା ସୂକ୍ଷ୍ମ ଶସ୍ୟ ଅଛି, ଯାହା ଦକ୍ଷିଣ ଭାରତରେ ରବି ଋତୁର ଧାନ ଚାଷ ପାଇଁ ଅତ୍ୟନ୍ତ ଉପଯୁକ୍ତ । ଏହା ମରୁଡ଼ି ଏବଂ ଲବଣାକ୍ତତା ସମେତ ଅନେକ ଅଜୈବିକ ଚାପ ପ୍ରତି ସମ୍ବେଦନଶୀଳ । ଲୁଣିଆ ଏବଂ କ୍ଷାରୀୟ ମାଟିରେ ପୁସା ଡିଏସ୍ଟି ଧାନ ୧, ଏମ୍ଟିୟୁ ୧୦୧୦ ଅପେକ୍ଷା ୨୦% ଅଧିକ ଅମଳ ଦିଏ । କେନ୍ଦ୍ରମନ୍ତ୍ରୀ ଶ୍ରୀ ଚୌହାନ ସୂଚନା ଦେଇଛନ୍ତି ଯେ ଏହି କିସମ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, କର୍ଣ୍ଣାଟକ, ତାମିଲନାଡୁ, ପୁଡୁଚେରୀ, କେରଳ, ଛତିଶଗଡ଼, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ଓଡ଼ିଶା, ଝାଡ଼ଖଣ୍ଡ, ବିହାର, ଉତ୍ତର ପ୍ରଦେଶ ଏବଂ ପଶ୍ଚିମବଙ୍ଗ ପାଇଁ ବିକଶିତ କରାଯାଇଛି । ସେ କହିଥିଲେ ଯେ ସୁପାରିଶ କରାଯାଇଥିବା ପ୍ରାୟ ୫୦ ଲକ୍ଷ ହେକ୍ଟର ଅଞ୍ଚଳରେ ଏହି କିସମଗୁଡିକ ଚାଷ କଲେ ୪.୫ ଲକ୍ଷ ଟନ୍ ଅଧିକ ଧାନ ଉତ୍ପାଦନ ହେବ । ସବୁଜ ଗୃହ ଗ୍ୟାସ ନିର୍ଗମନ ୨୦ ପ୍ରତିଶତ ଅର୍ଥାତ୍ ୩୨୦୦ ଟନ୍ ହ୍ରାସ ପାଇବ । ଏହା ବ୍ୟତୀତ, ଅବଧି ୨୦ ଦିନ ହ୍ରାସ ପାଇବା ଯୋଗୁଁ, ତିନୋଟି ଜଳସେଚନ କମ୍ ଆବଶ୍ୟକ ହେବ, ଯାହା ଦ୍ଵାରା ମୋଟ ୭୫୦୦ ନିୟୁତ ଘନ ମିଟର ଜଳସେଚନ ଜଳ ସଞ୍ଚୟ ହେବ, ଯାହା ଅନ୍ୟ ଫସଲ ପାଇଁ ଉପଯୋଗୀ ହେବ । ଏହି କିସମଗୁଡ଼ିକର ଶୀଘ୍ର ପରିପକ୍ୱତା ହେତୁ, ପରବର୍ତ୍ତୀ ଫସଲର ବୁଣା ସମୟସୀମା ମଧ୍ୟରେ କରାଯାଇପାରିବ ଏବଂ ବହୁ-ଫସଲ ପ୍ରଣାଳୀ ଗ୍ରହଣ କରାଯାଇପାରିବ । ଶ୍ରୀ ଚୌହାନ କହିଥିଲେ ଯେ ମୋର ପୂର୍ଣ୍ଣ ବିଶ୍ୱାସ ଯେ ଏହି କିସମଗୁଡ଼ିକ ଦେଶରେ ଦ୍ୱିତୀୟ ସବୁଜ ବିପ୍ଳବ ଆଣିବାରେ ପ୍ରମୁଖ ଭୂମିକା ଗ୍ରହଣ କରିବେ । ସାମ୍ବାଦିକ ସମ୍ମିଳନୀ ସମୟରେ, ଖାଦ୍ୟ ସୁରକ୍ଷାର ପ୍ରଶ୍ନରେ, କେନ୍ଦ୍ର ମନ୍ତ୍ରୀ ଶିବରାଜ ସିଂହ କହିଥିଲେ ଯେ ଯେକୌଣସି ସଙ୍କଟପୂର୍ଣ୍ଣ ପରିସ୍ଥିତି ପାଇଁ ଭାରତରେ ପର୍ଯ୍ୟାପ୍ତ ଖାଦ୍ୟଶସ୍ୟ ରହିଛି । କେନ୍ଦ୍ର ମନ୍ତ୍ରୀ ଶ୍ରୀ ଚୌହାନ କହିଛନ୍ତି ଯେ ଉତ୍ପାଦନ କ୍ଷମତା ବୃଦ୍ଧି ଲକ୍ଷ୍ୟ ନେଇ କାର୍ଯ୍ୟ ଦ୍ରୁତ ଗତିରେ ଚାଲିଛି ଏବଂ ନୂତନ କିସମଗୁଡ଼ିକ ଯଥାଶୀଘ୍ର ଚାଷୀଙ୍କ ପାଖରେ ପହଞ୍ଚିବା ପାଇଁ ସମସ୍ତ ପ୍ରୟାସ କରାଯାଉଛି ।