ମହାକୁମ୍ଭ ୨୦୨୫ : ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ଡିଜିଟାଲ ପ୍ରଦର୍ଶନୀ ମାଧ୍ୟମରେ ଆୟୁଷ୍ମାନ ଭାରତ ଭଳି ସରକାରୀ କଲ୍ୟାଣକାରୀ ଯୋଜନା ଏବଂ ମହିଳା ସଶକ୍ତୀକରଣ ପାଇଁ ପଦକ୍ଷେପ ବିଷୟରେ ମୂଲ୍ୟବାନ ସୂଚନା ପ୍ରଦାନ କରାଯାଉଛି

ନୂଆଦିଲ୍ଲୀ, (ପିଆଇବି) : ‘ମହିଳା ସଶକ୍ତୀକରଣ ହେଉଛି ରାଷ୍ଟ୍ରର ଉନ୍ନତି’ ନୀତିକୁ ଅନୁସରଣ କରି ଭାରତ ସରକାର ମହିଳାଙ୍କ ସାମାଜିକ-ଅର୍ଥନୈତିକ ସଶକ୍ତୀକରଣ ପାଇଁ ଅନେକ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରିଛନ୍ତି । ମହାକୁମ୍ଭ ସମୟରେ ପ୍ରୟାଗରାଜର ତ୍ରିବେଣୀ ମାର୍ଗ ପ୍ରଦର୍ଶନୀ ଅଞ୍ଚଳରେ ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଦ୍ୱାରା ଆୟୋଜିତ ଏକ ଡିଜିଟାଲ ପ୍ରଦର୍ଶନୀ ମାଧ୍ୟମରେ ଏହି ଯୋଜନା, ନୀତି ଏବଂ କାର୍ଯ୍ୟକ୍ରମ ବିଷୟରେ ସୂଚନା ଆକର୍ଷଣୀୟ ଭାବରେ ଉପସ୍ଥାପନ କରାଯାଉଛି । ଏହି ପ୍ରଦର୍ଶନୀରେ ନାରୀ ଶକ୍ତି ବନ୍ଦନ ଆଇନ ଏବଂ ନମୋ ଡ୍ରୋନ ଦିଦି ଯୋଜନା ଭଳି ବିଭିନ୍ନ ଯୋଜନା ପ୍ରଦର୍ଶିତ ହୋଇଛି, ଯାହା ମହିଳା ସଶକ୍ତୀକରଣ ପାଇଁ ଭାରତ ସରକାରଙ୍କ ଦୃଷ୍ଟିକୋଣକୁ ଜୀବନ୍ତ କରୁଛି । ଡିଜିଟାଲ ପ୍ରଦର୍ଶନୀରେ ଦର୍ଶାଯାଇଛି ଯେ, ନାରୀ ଶକ୍ତି ବନ୍ଦନ ଆଇନ ମାଧ୍ୟମରେ ଲୋକସଭା ଓ ବିଧାନସଭାର ୩୩% ଆସନ ଏବେ ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି । ବର୍ତ୍ତମାନ ସୁଦ୍ଧା ୧୦ କୋଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ଆତ୍ମନିର୍ଭରଶୀଳ ହୋଇଥିବା ବେଳେ ୧ କୋଟିରୁ ଅଧିକ ମହିଳା ଲଖପତି ଦିଦି ହୋଇଛନ୍ତି । ଆହୁରି ୨ କୋଟି ମହିଳା ଲଖପତି ଦିଦିଙ୍କୁ ଗଢ଼ି ତୋଳିବାକୁ ଲକ୍ଷ୍ୟ ରଖାଯାଇଛି ।ନାରୀ ସମ୍ମାନ କାର୍ଯ୍ୟକ୍ରମ ଅଧୀନରେ ପିଏମ୍ ଆବାସ ଯୋଜନାରେ ନିର୍ମିତ ଗୃହଗୁଡ଼ିକ ମହିଳାଙ୍କ ନାମରେ ପଞ୍ଜୀକୃତ ହୋଇଥାଏ । ନମୋ ଡ୍ରୋନ୍ ଦିଦି ଯୋଜନାରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ଆତ୍ମନିର୍ଭରଶୀଳ କରିବା ଲକ୍ଷ୍ୟ ରଖାଯାଇଛି । ହଜାରେ ନମୋ ଡ୍ରୋନ୍ ଦିଦିଙ୍କୁ ଡ୍ରୋନ୍ ଯୋଗାଇ ଦିଆଯାଇଛି । ଏହାବ୍ୟତୀତ ୪ କୋଟିରୁ ଅଧିକ ସୁକନ୍ୟା ସମୃଦ୍ଧି ଆକାଉଣ୍ଟ ଖୋଲାଯାଇଛି, ଯେଉଁଥିରେ ମୋଟ ୨.୬ ଲକ୍ଷ କୋଟି ଟଙ୍କା ଜମା ରହିଛି, ଯାହା କି ଝିଅମାନଙ୍କ ପାଇଁ ଏକ ସୁରକ୍ଷିତ ଭବିଷ୍ୟତ ସୁନିଶ୍ଚିତ କରିଛି । ସେହିପରି ଆୟୁଷ୍ମାନ ଭାରତ ଯୋଜନା ଅଧୀନରେ ପ୍ରାୟ ୬୮ କୋଟି ଲୋକଙ୍କୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ମିଳିଥିବା ବେଳେ ୩୬ କୋଟିରୁ ଅଧିକ ଆୟୁଷ୍ମାନ କାର୍ଡ ଜାରି କରାଯାଇଛି । ଆୟୁଷ୍ମାନ ବୟ ବନ୍ଦନ କାର୍ଡ ଦ୍ୱାରା ୭୦ ବର୍ଷରୁ ଅଧିକ ବୟସର ୬ କୋଟିରୁ ଅଧିକ ବରିଷ୍ଠ ନାଗରିକ ଉପକୃତ ହେଉଛନ୍ତି । ମେଡିକାଲ ସିଟ୍ ସଂଖ୍ୟା ୨୦୧୪ରେ ୫୧ ହଜାର ଥିବା ବେଳେ ଏବେ ତାହା ଦ୍ୱିଗୁଣିତ ହୋଇ ୧ ଲକ୍ଷ ୧୮ ହଜାରରେ ପହଞ୍ଚିଛି । ୧୪ ହଜାରରୁ ଅଧିକ ଜନଔଷଧି କେନ୍ଦ୍ର ସୁଲଭ ମୂଲ୍ୟରେ ଔଷଧ ଯୋଗାଇ ଦେଉଛନ୍ତି । ଶିଶୁ ଓ ମହିଳାଙ୍କ ପାଇଁ ନିୟମିତ ଟିକାକରଣ ରେକର୍ଡ ରଖିବା ପାଇଁ ଏକ ୟୁ-ୱିନ୍ ପୋର୍ଟାଲ ଆରମ୍ଭ କରାଯାଇଛି । ପ୍ରୟାଗରାଜର ମହାକୁମ୍ଭରେ ଏକତା ଉପରେ କେନ୍ଦ୍ରିତ ଏହି ଦିବ୍ୟ ଏବଂ ଭବ୍ୟ ଡିଜିଟାଲ ପ୍ରଦର୍ଶନୀ ଜନସାଧାରଣଙ୍କୁ ଏହି ସୂଚନା ପ୍ରଦାନ କରୁଛି । ଏହି ପ୍ରଦର୍ଶନୀକୁ ନିୟମିତ ଶହ ଶହ ଲୋକ ପରିଦର୍ଶନ କରୁଛନ୍ତି ଏବଂ ସରକାରୀ କଲ୍ୟାଣକାରୀ ଯୋଜନା ବିଷୟରେ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିଥିବାରୁ ଏହାକୁ ପ୍ରଶଂସା କରାଯାଉଛି ।

Leave A Reply

Your email address will not be published.