ଫିଲ୍ମ ଷ୍ଟାଇଲରେ ଗଞ୍ଜେଇ ଗାଡିକୁ ଧରିଲା ପୋଲିସ : ସାମ୍ବାଦିକ ସମ୍ମିଳନୀରେ ଏସ୍‌ଡ଼ିପିଓଙ୍କ ସୂଚନା

ସଇଁତଲା, (ଖୁସିରାନୀ ସାହୁ) : ଫିଲ୍ମ ଷ୍ଟାଇଲରେ ଗଞ୍ଜେଇ ଗାଡିକୁ ଧରିବାରେ ସଫଳ ହେଲା ସଇଁତଲା ପୋଲିସ । ବଲାଙ୍ଗିର ଜିଲ୍ଲା ସଇଁତଲା ଥାନା ଅଧିକାରୀ ସୁଶାନ୍ତ ବଢ଼େଇଙ୍କ ନେତୃତ୍ୱରେ ୩ଟି ଟିମ୍‌ ଗଠନ କରି ଥାନା ଅଂଚଳର ବିଭିନ୍ନ ସ୍ଥାନରେ ପଇଁତରା ମାରୁଥିବାବେଳେ ଦ୍ରୁତଗତିରେ ଆସୁଥିବା ଏକ ଚାରି ଚକିଆ ହଣ୍ଡା ଏମ୍‌ଜେ ଗାଡିକୁ ଥାନା ସାମ୍ନାରେ ଅଟକାଇ ତଦନ୍ତ କରିବା ପରେ ଥାନାକୁ ଆଣିଥିଲେ । ପରେ ଆଉ ଏକ ଚାରି ଚକିଆ ଆରଟିକା ଗାଡିକୁ ଅଟକ ରଖିବା ପରେ ସେଥିରୁ ମଧ୍ୟ ଗଞ୍ଜେଇ ଧରିବାରେ ପୋଲିସ ସଫଳ ହୋଇଥିଲା । ସୋନପୁର ଜିଲ୍ଲାରୁ ସଇଁତଲା ଦେଇ ଟିଟିଲାଗଡ଼କୁ ଗଞ୍ଜେଇ ଚାଲାଣ ହେବାକୁ ଯାଉଥିବା ବେଳେ ଗାଡିକୁ ଧରିବାରେ ପୋଲିସ ସଫଳତା ହାସଲ କରିଛି । ଅଭିଯୁକ୍ତମାନେ ହେଲେ ସୋନପୁର ଜିଲ୍ଲା ପଟାବାହାଡି ଗାଁର ସଂଜୀବ କୁମାର ମିଶ୍ର ଓ ବୌଦ୍ଧ ଜିଲ୍ଲା ଥଣ୍ଟିପାଲି ଗାଁର ଦେବନ୍ତ କର୍ଣ୍ଣ । ୧୦୦ କେଜି ୪୦୦ ଗ୍ରାମ ଗଞ୍ଜେଇ ସହ ଦୁଇଟି ଚାରି ଚକିଆ ଗାଡି,୨୮.୩୫୦ ଟଙ୍କା, ଦୁଇଟି ମୋବାଇଲ ଫୋନ, ୬ ଟିଏଟିଏମ କାର୍ଡକୁ ପୋଲିସ ଜବତ କରିଥିବା ବେଳେ ଗଞ୍ଜେଇର ଆନୁମାନିକ ମୂଲ୍ୟ ୧୦ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି । ଅଭିଯୁକ୍ତମାନଙ୍କୁ ଆଜି କୋର୍ଟ ଚାଲାଣ କରାଯିବ ବୋଲି ସାମ୍ବାଦିକ ସମ୍ମିଳନୀରେ ଟିଟିଲାଗଡ଼ ଏସଡ଼ିପିଓ ଯଶୋବନ୍ତ ପ୍ରଧାନୀ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.