ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୮ତମ ଜୟନ୍ତୀରେ ଭାରତ ପାଳୁଛି ପରାକ୍ରମ ଦିବସ

  • ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳୟରେ ୨୩ ଜାନୁୟାରୀରେ ର୍କ୍ୟାକ୍ରମ ଉଦ୍‌ଘାଟନ କରିବେ ଓଡିଶା ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ, (ପିଆଇବି) : ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମସ୍ଥାନ ଐତିହାସିକ କଟକ ସହରର ବାରବାଟୀ ଦୁର୍ଗ ଭିତରେ ୨୩ ଜାନୁୟାରୀରୁ ୨୫ ଜାନୁୟାରୀ ପର୍ଯ୍ୟନ୍ତ ପରାକ୍ରମ ଦିବସ ପାଳନ କରାଯିବ । ନେତାଜୀଙ୍କ ୧୨୮ତମ ଜୟନ୍ତୀ ଉପଲକ୍ଷେ ତିନି ଦିନ ଧରି ଚାଲିବାକୁ ଥିବା ବହୁମୁଖୀ କାର୍ଯ୍ୟକ୍ରମକୁ ଓଡିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦ୍‌ଘାଟନ କରିବେ । କେନ୍ଦ୍ର ସରକାରଙ୍କ ନିଷ୍ପତି କ୍ରମେ ଦେଶରେ ପ୍ରଥମ ପରାକ୍ରମ ଦିବସ କୋଲକାତା ସ୍ଥିତ ଭିକ୍ଟୋରିଆ ମେମୋରିଆଲ ହଲରେ ପାଳନ କରାଯାଇଥିଲା । ୨୦୨୨ ମସିହାରେ ନୂଆଦିଲ୍ଲୀର ଇଣ୍ଡିଆ ଗେଟଠାରେ ନେତାଜୀଙ୍କ ହଲୋଗ୍ରାମ ରହିଥିବା ଏକ ଷ୍ଟାଚ୍ୟୁକୁ ଅନାବରଣ କରାଯାଇଥିଲା । ୨୦୨୩ ମସିହାରେ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜରେ ରହିଥିବା ୨୧ଟି ଛୋଟ ବଡ ଦ୍ୱୀପକୁ ୨୧ ଜଣ ପରମବୀର ଚକ୍ର ବିଜେତାଙ୍କ ନାମରେ ନାମକରଣ କରାଯାଇଥିଲା । ୨୦୨୪ରେ ନୂଆଦିଲ୍ଲୀ ସ୍ଥିତ ଐତିହାସିକ ଲାଲକିଲ୍ଲାରେ ପ୍ରଧାନମନ୍ତ୍ରୀ ଏହି କାର୍ଯ୍ୟକ୍ରମ ଉଦ୍‌ଘାଟନ କରିଥିଲେ । ତେବେ ଏହି ପରମ୍ପରା କ୍ରମେ ଚଳିତବର୍ଷ ନେତାଜୀଙ୍କ ଜନ୍ମସ୍ଥାନ କଟକ ସହରରେ କେନ୍ଦ୍ର ସଂସ୍କୃତି ବିଭାଗ ପକ୍ଷରୁ ଜାତୀୟ ପରାକ୍ରମ ଦିବସ ପାଳନର କାର୍ଯ୍ୟକ୍ରମ ରହିଛି । ଏହି ତିନି ଦିନିଆ କାର୍ଯ୍ୟକ୍ରମ ଅଧୀନରେ ଓଡିଶା ମୁଖ୍ୟମନ୍ତ୍ରୀ ଓ ଅନ୍ୟ ପଦାଧିକାରୀମାନେ ନେତାଜୀଙ୍କ ଜନ୍ମସ୍ଥାନ ସଂଗ୍ରହାଳୟରେ ରହିଥିବା ତାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ସଂଗ୍ରହାଳୟ ପରିସରରେ ଜାତୀୟ ପତାକା ଉତ୍ତୋଳନ କରିବେ । ପରେ ପରେ ବାରବାଟୀ ଦୁର୍ଗ ଭିତରେ ଜାତୀୟସ୍ତରୀୟ ପରାକ୍ରମ ଦିବସ ପାଳନ କରାଯିବ । ପ୍ରଧାନମନ୍ତ୍ରୀଙ୍କ ଏକ ଭିଡିଓ ମେସେଜରୁ ଆରମ୍ଭ ହୋଇ ନେତାଜୀଙ୍କ ସମ୍ପର୍କିତ ବିଭିନ୍ନ ପୁସ୍ତକ, ଫଟୋ, ଚିଠି, କାଗଜପତ୍ରର ପ୍ରଦର୍ଶନ ମଧ୍ୟ କରାଯିବ । ନେତାଜୀଙ୍କ ଜୀବନ ବୃତ୍ତାନ୍ତ ଓ ସ୍ୱାଧୀନତା ସଂଗ୍ରାମ ଉପରେ ଆଧାରିତ ବିଭିନ୍ନ ତଥ୍ୟ ପ୍ରଦର୍ଶିତ କରାଯିବ । ଏହି ଅବସରରେ ଚିତ୍ରକଳା ଶିବିର ସହ ଭାସ୍କର୍ଯ୍ୟ ଶିଳ୍ପ ନିର୍ମାଣ କରିବାର ମଧ୍ୟ ବନ୍ଦୋବସ୍ତ କରାଯାଇଛି । ନେତାଜୀ ଏବଂ ଓଡିଶା ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗରେ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଚଳଚ୍ଚିତ୍ର ପ୍ରଦର୍ଶନ କରାଯିବ ।
ଚଈଊ/ଝଙ୍ଗବୟଷସଦ୍ଭ

Leave A Reply

Your email address will not be published.