ଭବାନୀପାଟଣାଠାରେ ଶିଶୁ ଶ୍ରମିକ ନିରାକରଣ ସଚେତନତା ରଥ ପରିକ୍ରମାର ଶୁଭାରମ୍ଭ

କଳାହାଣ୍ଡି, (ପି.କେ. ସାହୁ) : ସ୍ଥାନୀୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ, କଳାହାଣ୍ଡି ତରଫରୁ ଏକ ଶିଶୁ ଶ୍ରମିକ ସଚେତନତା ରଥକୁ ଅତିରିକ୍ତ ଜିଲ୍ଲାପାଳ ସୁବ୍ରତ କୁମାର ନାୟକ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି । ଏହି ସଚେତନତା ରଥ ଜିଲ୍ଲାର ବିଭିନ୍ନ ବ୍ଲକ, ଏନ୍‌ଏସି ଅଂଚଳ ପରିକ୍ରମା କରି ଶିଶୁ ଶ୍ରମିକ ନିରାକରଣ ଓ ଶିଶୁ ତଥା କିଶୋରମାନଙ୍କୁ ବିଭିନ୍ନ କର୍ମସଂସ୍ଥାନରେ ନିୟୋଜନ ନିଷେଧ ଉପରେ ସଚେତନତା ସୃଷ୍ଟି କରିବ । ଶିଶୁ ଓ କିଶୋର (ନିରାକରଣ ଓ ନିୟନ୍ତ୍ରଣ) ୧୯୮୬ ନିୟମ ଅନୁଯାୟୀ ୧୪ ବର୍ଷ ବୟସ ପର୍ଯ୍ୟନ୍ତ ଶିଶୁମାନଙ୍କୁ ବିଭିନ୍ନ ବୃତ୍ତିରେ ନିଯୁକ୍ତି ଦେବା ନିଷେଧ ଏବଂ ୧୫ରୁ ୧୮ ବର୍ଷ ପର୍ଯ୍ୟନ୍ତ କିଶୋରମାନଙ୍କୁ ବିପଦ ସଙ୍କୁଳ କର୍ମ ସଂସ୍ଥାନ ଓ ପ୍ରକ୍ରିୟାରେ ନିୟୋଜନ କରିବା ଏକ ଧର୍ତ୍ତବ୍ୟ ଅପରାଧ ଅଟେ । ଏଭଳି ନିୟୋଜନ କରିଥିବା ବ୍ୟକ୍ତିଙ୍କୁ ଦୋଷୀ ସାବ୍ୟସ୍ତ ହେଲେ ୫୦,୦୦୦ ଟଙ୍କା ଆର୍ଥିକ ଜୋରିମାନା ଓ ୩ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ଭୋଗିବାକୁ ପଡିବ । ଦେଖାଯାଉଛି ବିଭିନ୍ନ ହୋଟେଲ, ବ୍ୟବସାୟିକ ପ୍ରତିଷ୍ଠାନମାନଙ୍କରେ ଅସାଧୁ ବ୍ୟବସାୟୀ କମ୍‌ ପାରିଶ୍ରମିକ ଦେଇ ଶିଶୁ ଶ୍ରମିକ ନିୟୋଜନ କରୁଛନ୍ତି ଏହି ବିଷୟରେ ଜନ ସାଧାରଣ ସଚେତନ ହୋଇ ଶ୍ରମ କାର୍ଯ୍ୟାଳୟରେ ଅଭିଯୋଗ କରିପାରିଲେ ଶିଶୁ ଶ୍ରମିକ ମୁକ୍ତ ଓଡ଼ିଶାର ସଂକଳ୍ପ ପୂରଣ ହୋଇପାରିବ ବୋଲି ଆଶା କରାଯାଉଛି । ସଚେତନତା ରଥ ଶୁଭାରମ୍ଭ ସମୟରେ ଜିଲ୍ଲା ଶ୍ରମ ଅଧିକାରୀ ସୁବାସ ଚନ୍ଦ୍ର ମଣ୍ଡଳ,ସହକାରୀ ଶ୍ରମ ଅଧିକାରୀ ଜିତମ୍ ମାଝୀ, ଟ୍ରେଡ ୟୁନିଅନ୍ ସଭାପତି ଶିଶିର ପଟ୍ଟନାୟକ, ଡିଆଇପିଆର୍‌ଓ ମନୋଜ ବେହେରା, ଜିଲ୍ଲା ଶିଶୁ ସୁରକ୍ଷାର କର୍ମଚାରୀ ଅଂଶୁମାନ ବାବୁ ଓ ଅନ୍ୟ କର୍ମକର୍ତ୍ତା ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.