ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲା ପ୍ରଶାସନ, ପର୍ଯ୍ୟଟନ ବିଭାଗ ଏବଂ ରାଜ୍ୟ ପରିବନ ବିଭାଗର ମିଳିତ ଆନୁକୂଲ୍ୟରେ ‘ଶ୍ରୀଜଗନ୍ନାଥ ଦର୍ଶନ’ ଯାତ୍ରାର ଶୁଭାରମ୍ଭ ହୋଇଯାଇଛି । ଅତିରିକ୍ତ ଜିଲ୍ଲାପାଳ ପବିତ୍ର ବେହେରା ପତାକା ଦେଖାଇ ଯାତ୍ରାର ଶୁଭାରମ୍ଭ କରିଥିଲେ ଏବଂ ଯାତ୍ରା କରୁଥିବା ସମସ୍ତ ଶ୍ରଦ୍ଧାଳୁମାନଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଥିଲେ । ଶ୍ରଦ୍ଧାଳୁମାନଙ୍କ ଦର୍ଶନ କିପରି ଭଲରେ ହେବ ସେଥିପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଥିବା ସେ ସୂଚନା ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ଟାଲିନା ପ୍ରଧାନ, ଜିଲ୍ଲା ସଂସ୍କୃତି ଅଧିକାରୀ ରଶ୍ମି ରଞ୍ଜନ ମିଶ୍ର, ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଲକ୍ଷ୍ମୀ ସାକିଆ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଯୋଜନା ମାଧ୍ୟମରେ ଜିଲ୍ଲାର ବିଭିନ୍ନ ବ୍ଲକ ଓ ପୌରାଞ୍ଚଳରୁ ସମୁଦାୟ ୧୮୫ ଜଣ ବରିଷ୍ଠ ନାଗରିକ ଏବଂ ବିଧବା ମା’ମାନେ ଶ୍ରୀକ୍ଷେତ୍ର ପୁରୀ ଅଭିମୁଖେ ଯାତ୍ରା କରିଛନ୍ତି । ଯାତ୍ରୀମାନଙ୍କ ପାଇଁ ପ୍ରଶାସନ ପକ୍ଷରୁ ୫ଟି ସ୍ୱତନ୍ତ୍ର ବସର ବ୍ୟବସ୍ଥା କରାଯାଇଛି । ଯାତ୍ରୀମାନଙ୍କ ସୁବିଧା ବୁଝିବା ପାଇଁ ୫ ଜଣ ଏସକର୍ଟ ଅଫିସର, ୫ ଜଣିଆ ମେଡିକାଲ ଟିମ୍ ଏବଂ ଓଡିଶା ରାଜ୍ୟ ସଡ଼କ ପରିବହନ ନିଗମର ୫ ଜଣ ସୁପରଭାଇଜର ନିୟୋଜିତ କରାଯାଇଅଛି । ଯାତ୍ରା ଆରମ୍ଭ ପୂର୍ବରୁ ସମସ୍ତ ଶ୍ରଦ୍ଧାଳୁଙ୍କର ପ୍ରାଥମିକ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି ଏବଂ ସେମାନଙ୍କୁ ଆବଶ୍ୟକୀୟ ଜରୁରୀକାଳୀନ ଔଷଧ ମଧ୍ୟ ପ୍ରଦାନ କରାଯାଇଛି । ଶ୍ରଦ୍ଧାଳୁମାନେ ପୁରୀରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ସାରି ବଲାଙ୍ଗିର ଅଭିମୁଖେ ପ୍ରତ୍ୟାବର୍ତ୍ତନ କରିବେ । ଏହି ଯାତ୍ରା ବରିଷ୍ଠ ଶ୍ରଦ୍ଧାଳୁମାନଙ୍କ ମଧ୍ୟରେ ଅନେକ ଉତ୍ସାହ ସୃଷ୍ଟି କରିଛି । ଏହି କାର୍ଯ୍ୟକ୍ରମରେ ସନ୍ଦୀପ କୁମାର କୁଅଁର ସଭାକାର୍ଯ୍ୟ ସଂଯୋଜନା କରିଥିବା ବେଳେ ପର୍ଯ୍ୟଟନ ବିଭାଗର କର୍ମଚାରୀ ନୀଳାଞ୍ଚଳ ଦୀପ ସମସ୍ତ କାର୍ଯ୍ୟରେ ସହଯୋଗ କରିଥିଲେ ।
Next Post