ନୂଆଦିଲ୍ଲୀ, (ପିଆଇବି) : ଉପଭୋକ୍ତା ବ୍ୟାପାର ବିଭାଗ ଦ୍ୱାରା ‘‘ମରାମତି ସୂଚକାଙ୍କ ମାଧ୍ୟମରେ ଉପଭୋକ୍ତାଙ୍କୁ ସଶକ୍ତ କରିବା’’ ଉପରେ ଏକ ଲୋଗୋ ଡିଜାଇନ୍ ପ୍ରତିଯୋଗିତାର ଶୁଭାରମ୍ଭ କରାଯାଇଛି । ମାଇଗଭ୍ ଏବଂ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ, ଦିଲ୍ଲୀର ଉପଭୋକ୍ତା ଆଇନ ବିଭାଗ ସହଯୋଗରେ ଆରମ୍ଭ ହୋଇଥିବା ଏହି ପ୍ରତିଯୋଗିତାର ଉଦ୍ଦେଶ୍ୟ ହେଉଛି ମରାମତି ମିଶନରେ ଜନସାଧାରଣଙ୍କ ବ୍ୟାପକ ଯୋଗଦାନକୁ ପ୍ରୋତ୍ସାହିତ କରିବା । ଏହି ପଦକ୍ଷେପର ଲକ୍ଷ୍ୟ ହେଉଛି ସାରା ଦେଶର ନାଗରିକମାନଙ୍କ ଠାରୁ ସୃଜନଶୀଳ ଚିନ୍ତାଧାରାକୁ ଏକତ୍ରିତ କରିବା ଏବଂ ମିଶନରେ ବ୍ୟାପକ ଜନସାଧାରଣଙ୍କୁ ନିୟୋଜିତ କରିବା । ଏହାପୂର୍ବରୁ, ଉପଭୋକ୍ତା ବ୍ୟାପାର ବିଭାଗ ଗ୍ରାହକମାନଙ୍କୁ ସଶକ୍ତ କରିବା ଏବଂ ସ୍ୱଚ୍ଛ ଓ ସୂଚିତ ଉତ୍ପାଦ ପସନ୍ଦକୁ ସକ୍ଷମ କରି ଇ-ବର୍ଜ୍ୟବସ୍ତୁ ହ୍ରାସ କରିବା ଲକ୍ଷ୍ୟରେ ‘ମରାମତି ଯୋଗ୍ୟତା ସୂଚକାଙ୍କ ଢାଞ୍ଚା ମାଧ୍ୟମରେ ମରାମତି କରିବାର ଅଧିକାର’ ବିକଶିତ କରିସାରିଛି । ଏହି ଢାଞ୍ଚା ଗୁରୁତ୍ୱପୂର୍ଣ୍ଣ କାରଣ ଏହା ଗ୍ରାହକମାନଙ୍କୁ ସମ୍ପୂର୍ଣ୍ଣ ନୂଆ ଉତ୍ପାଦ କିଣିବା ପରିବର୍ତ୍ତେ ସର୍ବୋତ୍ତମ ମୂଲ୍ୟରେ ସେମାନଙ୍କ ଉତ୍ପାଦ ମରାମତି କରିବାର ସୁଯୋଗ ଦେବ ।
ଏହି ଲୋଗୋ ଦ୍ୱାରା ନିମ୍ନଲିଖିତ ଉଦ୍ଦେଶ୍ୟ ପୂରଣ ହେବ :
୧. କୌଣସି ଉତ୍ପାଦର ମରାମତି ସୂଚକାଙ୍କ ରେଟିଂକୁ ସ୍ପଷ୍ଟ ଭାବରେ ସୂଚିତ କରିବା ।
୨. ମରାମତି ଅଧିକାର ଏବଂ ଚକ୍ରାକାର ଅର୍ଥବ୍ୟବସ୍ଥାର ମୂଳ ସିଦ୍ଧାନ୍ତର ପ୍ରତୀକ କରିବା ।
୩. ଏକ ପ୍ରମାଣପତ୍ର ଚିହ୍ନ ରୂପରେ କାର୍ଯ୍ୟ କରିବା ଯାହା ଗ୍ରାହକମାନେ ସହଜରେ ଚିହ୍ନଟ କରିପାରିବେ ।
ପ୍ରସ୍ତାବିତ ଲୋଗୋ ଏକ ଚକ୍ରାକାର ଅର୍ଥବ୍ୟବସ୍ଥା ଆଡକୁ ଭାରତର ପରିବର୍ତ୍ତନରେ ଏକ ସ୍ପଷ୍ଟ ଭାବରେ କାର୍ଯ୍ୟ କରିବ । ଏହା ଦାୟିତ୍ୱବାନ ଉପଯୋଗ ଏବଂ ଉପଭୋକ୍ତା ସଶକ୍ତିକରଣକୁ ପ୍ରୋତ୍ସାହିତ କରିବ ।
ମରାମତି ଯୋଗ୍ୟତା ସୂଚକାଙ୍କ ମାଧ୍ୟମରେ କେତେକ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରକୁ ପ୍ରାରମ୍ଭିକ ପର୍ଯ୍ୟାୟରେ ମରାମତି ଅଧିକାର ପ୍ରଦାନ କରାଯିବ । ସେଗୁଡ଼ିକ ହେଲା – କୃଷି ଉପକରଣ, ମୋବାଇଲ ଫୋନ୍ ଓ ଟାବଲେଟ୍, ଉପଭୋକ୍ତା ଦୀର୍ଘସ୍ଥାୟୀ ବସ୍ତୁ, ଅଟୋମୋବାଇଲ ଏବଂ ଅଟୋମୋବାଇଲ୍ ଉପକରଣ । ଉପଭୋକ୍ତାଙ୍କ ଅଧିକାରକୁ ମଜବୁତ କରିବା, ଦୀର୍ଘସ୍ଥାୟୀ ଉପଯୋଗକୁ ପ୍ରୋତ୍ସାହନ ଦେବା ଏବଂ ଚକ୍ରାକାର ଅର୍ଥବ୍ୟବସ୍ଥାକୁ ସୁଦୃଢ଼ କରିବା ଲାଗି ଉପଭୋକ୍ତା ବ୍ୟାପାର ବିଭାଗ ମରାମତି ଯୋଗ୍ୟତା ସୂଚକାଙ୍କ ଅଧୀନରେ ଏକ ବହୁମୁଖୀ ରଣନୀତି ପ୍ରସ୍ତୁତ କରିଛି । ଏହା ଉପଭୋକ୍ତାଙ୍କର ଅର୍ଥ ସଞ୍ଚୟ କରିବ ଏବଂ ଉପକରଣଗୁଡ଼ିକର ଜୀବନକାଳ, ରକ୍ଷଣାବେକ୍ଷଣ, ପୁନଃଉପଯୋଗ, ଉନ୍ନତିକରଣ, ପୁନଃଚକ୍ରଣ ଏବଂ ବର୍ଜ୍ୟବସ୍ତୁ ପରିଚାଳନାରେ ସୁଧାର ଆଣିବା ସହିତ ଚକ୍ରାକାର ଅର୍ଥବ୍ୟବସ୍ଥାର ଉଦ୍ଦେଶ୍ୟ ପୂରଣରେ ଯୋଗଦାନ କରିବ । ଏହାର ଉଦ୍ଦେଶ୍ୟ ହେଉଛି ଉପଭୋକ୍ତାଙ୍କୁ ସେମାନଙ୍କ କ୍ରୟ ଉପରେ ବାସ୍ତବିକ ମାଲିକାନା ଅଧିକାର ପ୍ରଦାନ କରିବ । ଏଥିସହିତ ପରିବେଶ ପାଇଁ ଜୀବନଶୈଳୀ ଅଭିଯାନ (ମିଶନ୍ ଲାଇଫ୍) ଅନୁକୂଳ ଏବଂ ସୁବିଚାରିତ ଉପଯୋଗ ଆହ୍ୱାନ ଅନୁରୂପ ବ୍ୟବସାୟ ଓ ମରାମତି ଇକୋସିଷ୍ଟମ ମଧ୍ୟରେ ସାମଞ୍ଜସ୍ୟ ଆଣିବ । ଏହି ଉଦ୍ଦେଶ୍ୟକୁ କାର୍ଯ୍ୟକାରୀ କରିବା ଲାଗି ୨୪ ଡିସେମ୍ବର ୨୦୨୨ରେ ଜାତୀୟ ଉପଭୋକ୍ତା ଅଧିକାର ଦିବସ ଉପଲକ୍ଷେ ‘‘ରାଇଟ୍ ଟୁ ରିପେୟାର୍ ପୋର୍ଟାଲ୍ ଇଣ୍ଡିଆ’’ର ଶୁଭାରମ୍ଭ କରାଯାଇଥିଲା । ଏହା ଉପଭୋକ୍ତା, ନିର୍ମାତା ଏବଂ ତୃତୀୟ ପକ୍ଷ ମରାମତିକାରୀଙ୍କ ପାଇଁ ମରାମତି ସଂକ୍ରାନ୍ତ ସୂଚନା ପର୍ଯ୍ୟନ୍ତ ପହଞ୍ଚ ଲାଗି ଗୋଟିଏ ଏକୀକୃତ ଡିଜିଟାଲ ପ୍ଲାଟଫର୍ମ ରୂପେ କାର୍ଯ୍ୟ କରିଥାଏ । ତାଲିକାଭୁକ୍ତ ମୁଖ୍ୟ ମାନଦଣ୍ଡକୁ ଆଧାର କରି ଏହି ଢାଞ୍ଚା ଥରେ କାର୍ଯ୍ୟକାରୀ ହେବା ପରେ, ପ୍ରତ୍ୟେକ ପରିମାପର ସହଜ ମରାମତି ଆଧାରରେ ଉତ୍ପାଦଗୁଡ଼ିକର ମୂଲ୍ୟାଙ୍କନ, ମୂଲ୍ୟାୟନ ଏବଂ ତୁଳନା ପାଇଁ ଆଧାର ଭାବରେ କାର୍ଯ୍ୟ କରିବ । ଏହି ପଦକ୍ଷେପକୁ ଦୃଶ୍ୟମାନ ଭାବରେ ଉପସ୍ଥାପନ କରିବା ଏବଂ ଜନସାଧାରଣଙ୍କ ସ୍ୱୀକୃତି ଓ ବିଶ୍ୱାସ ବୃଦ୍ଧି କରିବା ପାଇଁ ଏକ ଅନନ୍ୟ ଓ ଚିତ୍ତାକର୍ଷକ ଲୋଗୋ ବିକଶିତ କରିବା ଲାଗି ଏହି ପ୍ରତିଯୋଗିତା ଆୟୋଜନ କରାଯାଇଛି । ୧୬ ବର୍ଷ କିମ୍ବା ତଦୁର୍ଦ୍ଧ୍ବ ବୟସର ସମସ୍ତ ଭାରତୀୟ ନାଗରିକ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିପାରିବେ । ଏହା ୧ ନଭେମ୍ବର ୨୦୨୫ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଅଂଶଗ୍ରହଣକାରୀମାନେ ମୌଳିକ ଲୋଗୋ ଡିଜାଇନ୍ ସହିତ ଡିଜାଇନ୍ ଅବଧାରଣା ଏବଂ ବିଷୟ ସହିତ ଏହାର ପ୍ରାସଙ୍ଗିକତା ବ୍ୟାଖ୍ୟା କରୁଥିବା ଏକ ସଂକ୍ଷିପ୍ତ ବିଷୟ ସୂଚନା ପତ୍ର ମଧ୍ୟ ଦାଖଲ କରିବା ଆବଶ୍ୟକ । ମାଇଗଭ୍ ପୋର୍ଟାଲର ଲିଙ୍କ୍ – ‘ମରାମତି ସୂଚକାଙ୍କ ମାଧ୍ୟମରେ ଉପଭୋକ୍ତାଙ୍କୁ ସଶକ୍ତ କରିବା’ (Empowering consumers through Repairability Index | MyGov.in)ରେ ନିର୍ଦ୍ଧାରିତ ଫର୍ମାଟରେ ଆବେଦନ ଦାଖଲ କରାଯିବା ଉଚିତ । ଏଗୁଡ଼ିକ ୩୦ ନଭେମ୍ବର ୨୦୨୫ (ରାତି ୧୧:୪୫) ସୁଦ୍ଧା ଅପଲୋଡ କରାଯିବା ଆବଶ୍ୟକ। ବିଜୟୀ ପ୍ରତିଯୋଗୀଙ୍କୁ ୨୫,୦୦୦ ଟଙ୍କାର ନଗଦ ପୁରସ୍କାର ମିଳିବ ଏବଂ ମନୋନିତ ‘ଲୋଗୋ’କୁ ଆନୁଷ୍ଠାନିକ ଭାବେ ମରାମତି ସୂଚକାଙ୍କ ଢାଞ୍ଚାର ପ୍ରତୀକ ଭାବେ ଗ୍ରହଣ କରାଯାଇପାରିବ । ଉପଭୋକ୍ତା ବ୍ୟାପାର ବିଭାଗ ସାରା ଭାରତର ସୃଜନଶୀଳ ନାଗରିକ, ଡିଜାଇନର୍, ଛାତ୍ରଛାତ୍ରୀ ଏବଂ ଉଦ୍ଭାବକମାନଙ୍କୁ ଏହି ଜାତୀୟ ପ୍ରୟାସରେ ଅଂଶଗ୍ରହଣ କରିବାକୁ ଉତ୍ସାହିତ କରୁଛି । ଯାହାଫଳରେ ଦାୟିତ୍ୱବାନ ଉପଯୋଗ ଏବଂ ଦୀର୍ଘସ୍ଥାୟୀ ଜୀବନଯାପନ ଦିଗରେ ଦେଶ ଆଗକୁ ବଢ଼ିପାରିବ ।