ଓଡ଼ିଶା ସମେତ ଦେଶର ଆଠଟି ସ୍ଥାନରେ ୪ଜି ଷ୍ଟାକ୍ ଏବଂ ଡିବିଏନ ପାଣ୍ଠିରେ ନିର୍ମିତ ୪ଜି ଟାୱାରଗୁଡ଼ିକର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ
- ଝାରସୁଗୁଡ଼ାର ଅମଲିପାଲିସ୍ଥିତ ନମୋସ୍ଥଳଠାରେ ଆୟୋଜିତ ହେବ ସମାରୋହ
ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ୨୭ ତାରିଖ, ଶନିବାର ଦିନ ଓଡ଼ିଶା ସମେତ ଆଠଟି ରାଜ୍ୟରେ ଦେଶବ୍ୟାପୀ ସ୍ୱଦେଶୀ ୪ଜି ଷ୍ଟାକ୍ ଏବଂ ଡିଜିଟାଲ ଭାରତ ନିଧି (ଡିବିଏନ)ର ପାଣ୍ଠି ଯୋଗାଣରେ ନିର୍ମିତ ୪ଜି ଟାୱାରଗୁଡ଼ିକର ଶୁଭାରମ୍ଭ କରିବେ । ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଶୁଭାରମ୍ଭ ହେବାକୁ ଥିବା ସାରା ଦେଶର ୯୨,୬୩୩ଟି ୪ଜି ସାଇଟ୍ ୨ କୋଟି ୨୦ ଲକ୍ଷରୁ ଅଧିକ ଉପଭୋକ୍ତାଙ୍କୁ ହାଇସ୍ପିଡ୍ ଇଣ୍ଟରନେଟ୍ ସୁବିଧା ଯୋଗାଇ ଦେବ । ଏମାନଙ୍କ ମଧ୍ୟରୁ ୨୦ ଲକ୍ଷ ଉପଭୋକ୍ତା ପ୍ରଥମ ଥର ପାଇଁ ଡିଜିଟାଲ ସୁବିଧା ପାଇବାକୁ ଯାଉଛନ୍ତି । ଡିଜିଟାଲ ଭାରତ ନିଧି ୪ଜି ମୋବାଇଲ୍ ପ୍ରକଳ୍ପରେ ବିଏସଏନଏଲ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ୧୪,୧୮୦ଟି ଡିବିଏନ ପାଣ୍ଠି ବିଶିଷ୍ଟ ୪ଏ ସାଇଟ୍ ରହିଛି । ସେହିପରି ଘରୋଇ ଦୂରସଞ୍ଚାର ସେବା ପ୍ରଦାନକାରୀ ସଂସ୍ଥା ମାଧ୍ୟମରେ ୪,୭୨୩ ଟି ସାଇଟ୍ ଏଥିରେ ଅନ୍ତର୍ଭୁକ୍ତ ଯାହା ଭାରତର ୨୬,୭୦୭ଟି ଦୂରବର୍ତ୍ତୀ ଗ୍ରାମରେ ୨୦ ଲକ୍ଷ ପରିବାରକୁ ମୋବାଇଲ୍ ଏବଂ ଇଣ୍ଟରନେଟ୍ ସେବା ପ୍ରଦାନ କରିବ । ଉଲ୍ଲେଖଯୋଗ୍ୟ, ୧୮,୯୦୩ଟି ୪ଜି ସାଇଟ୍ ହେଉଛି ସୌର ଶକ୍ତି ଦ୍ୱାରା ପରିଚାଳିତ ହେବ ଯାହାକି ଭାରତରେ ସର୍ବାଧିକ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଝାରସୁଗୁଡ଼ାର ଅମଲିପାଲିସ୍ଥିତ ନମୋସ୍ଥଳଠାରେ ଉପସ୍ଥିତ ରହି ଏସବୁ ପ୍ରକଳ୍ପର ଶୁଭାରମ୍ଭ କରିବେ, ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉପସ୍ଥିତ ରହିବେ । ଏହାବ୍ୟତୀତ ଆନ୍ଧ୍ରପ୍ରଦେଶର ବିଜୟୱାଡ଼ା, ଉତ୍ତରପ୍ରଦେଶର ଲକ୍ଷ୍ନୌ, ମହାରାଷ୍ଟ୍ରର ପୁଣେ, ରାଜସ୍ଥାନର ଜୟପୁର, ଆସାମର ଗୌହାଟୀ, ଗୁଜରାଟର ଗାନ୍ଧୀନଗର, ବିହାରର ପାଟନାଠାରେ ସମାନ୍ତରାଳ ଭାବେ ୪ଜି ସାଇଟ୍ ଶୁଭାରମ୍ଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏସବୁ କାର୍ୟ୍ୟକ୍ରମରେ ସମ୍ପୃକ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ, କେନ୍ଦ୍ର ମନ୍ତ୍ରୀ ଏବଂ ଅନ୍ୟ ବିଶିଷ୍ଟ ବ୍ୟକ୍ତିବିଶେଷ ଉପସ୍ଥିତ ରହିବେ । ସୂଚନାଯୋଗ୍ୟ, ଭାରତ, ଦୀର୍ଘ ଦିନ ଧରି ସେବାପ୍ରଦାନ ବା ସର୍ଭିସେସ୍ କ୍ଷେତ୍ରରେ ଏକ ପ୍ରମୁଖ ବିଶ୍ୱମହାଶକ୍ତି ରୂପେ ପରିଚିତ ହୋଇ ଆସିଛି । ଦେଶ ଏବେ ଉତ୍ପାଦ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେବା ସହିତ ସଫ୍ଟୱେର୍ ଏବଂ ଆଇଟି ସେବାରେ ଏହାର ବର୍ଦ୍ଧିତ କ୍ଷମତା ପ୍ରଦର୍ଶନ କରୁଛି । ଭାରତ ପୂର୍ବରୁ ଅଟୋମୋବାଇଲ୍, କଞ୍ଜ୍ୟୁମର ଇଲେକ୍ଟ୍ରୋନିକ୍ସ ଏବଂ ସ୍ମାର୍ଟଫୋନ୍ ଭଳି କ୍ଷେତ୍ରରେ ଅଗ୍ରଗତି କରିସାରିଛି । ଦେଶ ଏବେ ଦୂରସଞ୍ଚାର ହାର୍ଡୱେର୍ ବିକାଶ ଏବଂ ବିନିଯୋଗ ସହିତ ନିଜର ସମ୍ପୂର୍ଣ୍ଣ ସ୍ୱଦେଶୀ ୪ଜି ଷ୍ଟାକ୍ ସହିତ ଆଗକୁ ବଢ଼ୁଛି । ଏହା କେବଳ ବିଏସଏନଏଲ ପାଇଁ ଏକ ପ୍ରକଳ୍ପ ନୁହେଁ, ବରଂ ଏହା ଏକ ଅନ୍ତର୍ଜାତୀୟ ପ୍ରଯୁକ୍ତିବିଦ୍ୟା ସଫଳତା । ଏହା ଭାରତକୁ ବିଶ୍ୱର ମାତ୍ର ପାଞ୍ଚଟି ଦେଶର ଏକ ସ୍ୱତନ୍ତ୍ର କ୍ଲବରେ ସ୍ଥାନିତ କରେ ଯେଉଁ ରାଷ୍ଟ୍ରଗୁଡ଼ିକ ଏକ ସମ୍ପୂର୍ଣ୍ଣ ମୋବାଇଲ୍-ନେଟୱର୍କ ଷ୍ଟାକ୍ ନିର୍ମାଣ ଏବଂ ବିନିଯୋଗ କରିବାରେ ସକ୍ଷମ । ବିଏସଏନଏଲ ଏହାର ୨୫ତମ ପ୍ରତିଷ୍ଠା ବର୍ଷ ପାଳନ କରୁଥିବା ସମୟରେ ଏହି ସଫଳତା ଅତ୍ୟନ୍ତ ଗୁରୁତ୍ୱ ବହନ କରେ । ବହୁ ଦଶନ୍ଧି ଧରି, ବିଏସଏନଏଲ କ୍ଷତି, ପୁରୁଣା ଭିତ୍ତିଭୂମି ଦ୍ୱାରା ଭାରାକ୍ରାନ୍ତ ଆହ୍ୱାନକୁ ନେଇ ସଂଘର୍ଷ କରୁଥିଲା । ଆଜି ଏହାର ସ୍ଥିତରେ ଆସିଥିବା ପରିବର୍ତ୍ତନ ଆତ୍ମନିର୍ଭର ଭାରତର ପ୍ରମାଣ ଦେଉଛି ।