ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସବଡ଼ିଭିଜନ ଅଧୀନସ୍ଥ ଗଞ୍ଜାମ ବ୍ଲକ କରପଡା ଗ୍ରାମର ଲକ୍ଷ୍ମୀ ନାରାୟଣ ମନ୍ଦିର ପ୍ରାଙ୍ଗଣରେ ଭାଗବତ ସପ୍ତାହ ପାଳନ ଅବସରରେ ଦୈନିକ ପ୍ରବୋଚନ କାର୍ଯ୍ୟକ୍ରମ ବର୍ଣ୍ଣାଢ଼୍ୟ ସମାରୋହରେ ଶୁଭାରମ୍ଭ ହୋଇଯାଇଛି । ଏକ ସପ୍ତାହ ଧରି ପ୍ରଚଳିତ ହୋଇ ଆସୁଥିବା ଉକ୍ତ କାର୍ଯ୍ୟକ୍ରମରେ ଭାଗବତ ଭାସ୍କର ବ୍ୟାସଶ୍ରୀ ଜଗନ୍ନାଥ ପଣ୍ଡା ପ୍ରବଚନ ଦେଇ ଅଗଣିତ ଶ୍ରୀମଦ ଭାଗବତଗୀତା ପ୍ରେମୀଙ୍କୁ ଶୁଣାଇ ବିମୁଗ୍ଧ କରିଛନ୍ତି । ବ୍ୟାସଶ୍ରୀ ଜଗନ୍ନାଥ ପଣ୍ଡା ଅଗଣିତ ଭକ୍ତଜନଙ୍କୁ ସରଳ ଭାବରେ ଭାଗବତ କଥା ପ୍ରସଙ୍ଗ ବାଖ୍ୟା ମାଧ୍ୟମରେ ପ୍ରାସଙ୍ଗିକତା ଉପରେ ଆଲୋକପାତ କରୁଛନ୍ତି । ଦୈନିକ ଭାଗବତ ପାଠ ଶୁଣିବା ପାଇଁ ହଜାର ହଜାର ଆଧ୍ୟାତ୍ମିକ ପ୍ରେମୀ ମାନଙ୍କ ଭିଡ଼ ଜମୁଥିବା ଦେଖାଦେଇଛି । ପ୍ରଥମ ଦିବସରେ ମା’ ରାମଚଣ୍ଡୀ ପୂଜା କମିଟିର ସଭାପତି ସି.ଏଚ୍. ଦୟାନନ୍ଦ ରେଡ୍ଡୀ, ଉପଦେଷ୍ଟା କୃଷ୍ଣଚନ୍ଦ୍ର ନାୟକ ପ୍ରମୁଖ ଅତିଥି ଯୋଗଦାନ କରିଥିଲେ । ପ୍ରମୁଖ ଅତିଥିଙ୍କ ଦ୍ଵାରା ପ୍ରଦୀପ ପ୍ରଜ୍ୱଳନ ସ୍ୱରୂପ ଏହାକୁ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରାଯାଇଥିଲା । ଭାଗବତ ଟୁଙ୍ଗୀର ପରିଚାଳକ ଜଗନ୍ନାଥ ନାୟକ ଅତିଥିମାନଙ୍କୁ ଉପଢୌକନ ଦେଇ ଆମନ୍ତ୍ରଣ କରି ସମ୍ୱର୍ଦ୍ଧିତ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଲକ୍ଷ୍ମୀ ନାରାୟଣ ମନ୍ଦିର ଅଧିକାରୀ ତଥା ପୂଜାକମିଟି ଉପସଭାପତି ଦିବାକର ନାୟକ, ପୂଜାକମିଟି ଉପଦେଷ୍ଟା ତ୍ରିପତି ବାଲାଜୀ ମିଶ୍ର, ନାରାୟଣ ଚର୍ତ୍ତୀ, ଗୋବର୍ଧନ ନାୟକ,ରାମ ନାୟକ, ମକୁନ୍ଦ ନାୟକ, ଉତ୍ତମ ନାୟକ, କୁଞ୍ଜ ନାୟକଙ୍କ ସହିତ କରପଡା ଗ୍ରାମର ଭାଗବତ ଟୁଙ୍ଗୀର ମୁଖ୍ୟ ପରିଚାଳକ ନିଶାକର ନାୟକଙ୍କ ସହିତ ଶତାଧିକ ଭକ୍ତ ଓ ଗ୍ରାମବାସୀ ଉପସ୍ଥିତ ଥିଲେ । ସନାତନ ଓ ହିନ୍ଦୁ ପରମ୍ପରାକୁ ବଜାୟ ରଖିବା ସହିତ ଆଧ୍ୟାତ୍ମିକ ଭାବ ଜାଗୃତି କରିବା ପାଇଁ କରପଡା ଗ୍ରାମରେ ପ୍ରତ୍ୟେକ ବର୍ଷ ଏହିପରି ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ ଏବଂ ଏହା ସହିତ ଭକ୍ତମାନଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିବା କୁହାଯାଇଛି । ଗଞ୍ଜାମ ଥାନା ପୋଲିସ ପ୍ରଶାସନ ଓ ଜିଲ୍ଲା ପ୍ରଶାସନର ମିଳିତ ସହଯୋଗରେ ଉକ୍ତ କାର୍ଯ୍ୟକ୍ରମ ଶାନ୍ତିଶୃଙ୍ଖଳାର ସହିତ ସମାହିତ ହୋଇଆସୁଛି ।