ଭାବନଗର-ଆଯୋଧ୍ୟା ସାପ୍ତାହିକ ଟ୍ରେନକୁ ପତାକା ଦେଖାଇ ଶୁଭାରମ୍ଭ କଲେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

• ଭାବନଗର- ଆଯୋଧ୍ୟା ଏକ୍ସପ୍ରେସ ସଂସ୍କୃତି ଏବଂ ବିଶ୍ୱାସକୁ ଏକତ୍ର କରିବ: କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ
• ଆଧୁନିକୀକରଣ ସହିତ, ଦେଶର ଲୋକମାନେ ସମୟୋଚିତ ଏବଂ ଉନ୍ନତ ରେଳ ସେବା ଦ୍ୱାରା ଲାଭାନ୍ୱିତ ହେଉଛନ୍ତି: ଡକ୍ଟର ମନସୁଖ ମାଣ୍ଡଭୀୟ
• ଭାବନଗର-ଆଯୋଧ୍ୟା ସାପ୍ତାହିକ ଟ୍ରେନ ଭାବନଗରର ଶକ୍ତିକୁ ଅଯୋଧ୍ୟାର ଭକ୍ତି ସହିତ ସଂଯୋଗ କରୁଥିବା ସେତୁ ଭାବରେ କାର୍ଯ୍ୟ କରିବ : ନିମୁବେନ ବାମ୍ଭନିଆ
• ଭାବନଗରରେ ଦୁଇଟି ନୂତନ ରେଳ ଟର୍ମିନାଲ ଏବଂ ଗୋଟିଏ ବନ୍ଦର କଣ୍ଟେନର ଟର୍ମିନାଲର ବିକାଶ ଲାଗି ଘୋଷଣା କଲେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ଗୁଜରାଟର ଭାବନଗରରୁ ତିନୋଟି ନୂତନ ଏକ୍ସପ୍ରେସ୍ ଟ୍ରେନ୍ ସେବା – ଭାବନଗର-ଅଯୋଧ୍ୟା ଏକ୍ସପ୍ରେସ୍, ରେୱା-ପୁଣେ (ହଡପସର) ଏକ୍ସପ୍ରେସ୍ ଏବଂ ଜବଲପୁର-ରାୟପୁର ଏକ୍ସପ୍ରେସକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଡକ୍ଟର ମୋହନ ଯାଦବ ଏବଂ ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେଓ ସାଏ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଯୋଗ ଦେଇଥିଲେ । ଭାବନଗର-ଅଯୋଧ୍ୟା ସାପ୍ତାହିକ ଟ୍ରେନର ଶୁଭାରମ୍ଭ ଉତ୍ସବରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, କେନ୍ଦ୍ର ଶ୍ରମ ଓ ନିୟୋଜନ, ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡାଭୀୟ ଏବଂ ଉପଭୋକ୍ତା ବ୍ୟାପାର, ଖାଦ୍ୟ ଏବଂ ସାଧାରଣ ବଣ୍ଟନ ରାଷ୍ଟ୍ରମନ୍ତ୍ରୀ ନିମୁବେନ ବାମ୍ଭାନିଆ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମ ଅବସରରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ଏହି ତିନୋଟି ଟ୍ରେନ୍ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଭାବନଗର-ଅଯୋଧ୍ୟା ଏକ୍ସପ୍ରେସ୍ ସଂସ୍କୃତି ଏବଂ ଭକ୍ତିକୁ ସଂଯୋଗ କରିବ । ଭାବନଗରରେ ବାଣିଜ୍ୟ ଏବଂ ପର୍ୟ୍ୟଟନକୁ ବୃଦ୍ଧି କରିବ । ସେହିପରି ଏକ ପ୍ରମୁଖ ଶିଳ୍ପ ସହର ପୁଣେ ଆଜି ରେୱା, ଜବଲପୁର, ସତନା ଏବଂ ମୈହାର ସହିତ ଯୋଡ଼ି ହୋଇଛି । ଏହି ଟ୍ରେନ୍ ଏହି ଆଦିବାସୀ ଅଞ୍ଚଳ ପାଇଁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ହେବ । ସେ ଆହୁରି କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ରେଳବାଇ ସହିତ ଏକ ଭାବଗତ ସମ୍ପର୍କ ରହିଛି । ସେ ସର୍ବଦା ନୂତନ ପ୍ରଯୁକ୍ତିବିଦ୍ୟା କାର୍ଯ୍ୟକାରୀ କରିବା ଏବଂ ନେଟୱାର୍କ ସମ୍ପ୍ରସାରଣ କରିବା ଭଳି ରେଳବାଇର ବିକାଶ ଉପରେ ଗୁରୁତ୍ୱ ଦିଅନ୍ତି । ଗତ ୧୧ ବର୍ଷ ମଧ୍ୟରେ, ରେଳବାଇରେ ଏକ ବ୍ୟାପକ ପରିବର୍ତ୍ତନ ଆସିଛି । ଏହି ସମୟ ମଧ୍ୟରେ, ୩୪ ହଜାର କିଲୋମିଟର ନୂତନ ରେଳପଥ ଟ୍ରାକ୍ ନିର୍ମାଣ କରାଯାଇଛି । ପ୍ରତିଦିନ ହାରାହାରି ୧୨ କିଲୋମିଟର ରେଳ ଟ୍ରାକ୍ ନିର୍ମାଣ କରାଯାଉଛି । ଏହା ଇତିହାସରେ ପୂର୍ବରୁ କେବେ ଦେଖାଯାଇନଥିଲା । ବର୍ତ୍ତମାନ ୧୩ ଶହ ଷ୍ଟେସନର ପୁନଃବିକାଶ କରାଯାଉଛି ଯାହାକି ବିଶ୍ୱର ସର୍ବବୃହତ ଷ୍ଟେସନ ଆଧୁନିକୀକରଣ କାର୍ଯ୍ୟକ୍ରମ । ଅନ୍ୟ ଦେଶମାନଙ୍କ ପରି ଭାରତରେ ଉନ୍ନୟନମୂଳକ କାର୍ଯ୍ୟ ସମୟରେ ଷ୍ଟେସନ ଏବଂ ଟ୍ରେନ୍ ବନ୍ଦ ହେଉନାହିଁ । ଭାରତରେ ଏହି କାର୍ଯ୍ୟ ବିନା କୌଣସି ବାଧାରେ ଦ୍ରୁତ ଗତିରେ ଆଗକୁ ବଢ଼ୁଛି । ରେଳ ମନ୍ତ୍ରୀ ଏହି ଅବସରରେ କେତେକ ଗୁରୁତ୍ୱପୂର୍ଣ୍ଣ ଘୋଷଣା ମଧ୍ୟ କରିଛନ୍ତି । ସେ କହିଛନ୍ତି, ନୂତନ ପୋରବନ୍ଦର-ରାଜକୋଟ ଟ୍ରେନ ଖୁବ୍ ଶୀଘ୍ର ଦୈନିକ ଚଳାଚଳ ଆରମ୍ଭ କରିବ । ରଣଭାଓ ଷ୍ଟେସନରେ ଏକ ନୂତନ କୋଚ୍ ରକ୍ଷଣାବେକ୍ଷଣ ସୁବିଧା, ନୂତନ ସାରାଦିଆ-ୱାନ୍ସଜାଲିଆ ରେଳ ଲାଇନ, ଭଦ୍ରକାଳୀ ଗେଟ୍, ପୋରବନ୍ଦର ସହରରେ ଏକ ନୂତନ ଫ୍ଲାଏଓଭର, ଦୁଇଟି ନୂତନ ଗତି ଶକ୍ତି କାର୍ଗୋ ଟର୍ମିନାଲ ଏବଂ ଭାବନଗରରେ ଏକ ନୂତନ ବନ୍ଦର ଟର୍ମିନାଲ ନିର୍ମାଣ କାମ ଯୋଜନା ପ୍ରସ୍ତୁତି ସ୍ତରରେ ଅଛି । ସେ ଏହା ମଧ୍ୟ ଉଲ୍ଲେଖ କରିଛନ୍ତି ଯେ ମୁମ୍ବାଇରୁ ଅହମ୍ମଦାବାଦକୁ ଦେଶର ପ୍ରଥମ ବୁଲେଟ୍ ଟ୍ରେନ ଖୁବ୍ ଶୀଘ୍ର ଚଳାଚଳ ଆରମ୍ଭ କରିବ । ନିର୍ମାଣ କାମ ଦ୍ରୁତ ଗତିରେ ଚାଲିଛି, ଏବଂ ଏହା କାର୍ଯ୍ୟକ୍ଷମ ହେବା ପରେ, ମୁମ୍ବାଇ ଓ ଅହମ୍ମଦାବାଦ ମଧ୍ୟରେ ଯାତ୍ରା ସମୟ ମାତ୍ର ୨ ଘଣ୍ଟା ୭ ମିନିଟ୍ ହେବ । ବର୍ଦ୍ଧିତ ଯାତ୍ରୀ ସୁବିଧା ବିଷୟରେ ଆଲୋକପାତ କରି ସେ କହିଛନ୍ତି ଯେ ଏକ ନୂତନ ଅମୃତ ଭାରତ ଟ୍ରେନ ଆରମ୍ଭ କରାଯାଇଛି । ଏପର୍ଯ୍ୟନ୍ତ ପ୍ରାୟ ଆଠଟି ଏପରି ଟ୍ରେନ ଆରମ୍ଭ ହୋଇଛି । ଅମୃତ ଭାରତ ଟ୍ରେନଗୁଡ଼ିକରେ ବନ୍ଦେ ଭାରତ ଭଳି ସୁବିଧା ରହିଛି କିନ୍ତୁ ଯାତ୍ରୀଭଡା ଯଥେଷ୍ଟ କମ୍ ଅଛି, ଯାହା ସେମାନଙ୍କୁ ଅଧିକ ଯାତ୍ରୀଙ୍କ ପାଇଁ ସୁଲଭ କରିଥାଏ । କେନ୍ଦ୍ର ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭୀୟ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦୀ ଜୀଙ୍କ ନେତୃତ୍ୱରେ ଦେଶ ଦ୍ରୁତ ଗତିରେ ପରିବର୍ତ୍ତନ ହେଉଛି ଏବଂ ପ୍ରଗତି ହାସଲ କରୁଛି । ଏକ ନୂତନ ଭାରତ ଉଦୟ ହେଉଛି, ଏବଂ ପରିବର୍ତ୍ତନ ସହ ତାଳ ଦେଇ ରେଳବାଇ ମଧ୍ୟ ଏକ ବୈପ୍ଳବିକ ରୂପାନ୍ତରଣ ଦେଇ ଗତି କରୁଛି । ରେଳ ସୁବିଧାର ଆଧୁନିକୀକରଣ ସହିତ, ନାଗରିକମାନେ ଏବେ ସମୟୋଚିତ ଏବଂ ଉନ୍ନତ ରେଳ ସେବା ପାଉଛନ୍ତି । ରେଳବାଇ କ୍ଷେତ୍ରରେ ପରିବର୍ତ୍ତନ ଏକ ବିକଶିତ ଭାରତ ଗଠନର ଏକ ପ୍ରମୁଖ ଅଂଶ । ସେ ଆହୁରି ମଧ୍ୟ କହିଛନ୍ତି ଯେ ସୌରାଷ୍ଟ୍ର ହେଉଛି ସନ୍ଥ, ଋଷି ଏବଂ ଭକ୍ତିର ଭୂମି । ଅଯୋଧ୍ୟାକୁ ଟ୍ରେନ ମାଧ୍ୟମରେ, ଏହି ଅଞ୍ଚଳର ଲୋକମାନେ ଏବେ ରାମଲଲ୍ଲାଙ୍କୁ ଦର୍ଶନ କରିବାର ସୌଭାଗ୍ୟ ପାଇବେ । ଏହି ପଦକ୍ଷେପ ପାଇଁ ସେ ରେଳମନ୍ତ୍ରୀଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରିଛନ୍ତି । କେନ୍ଦ୍ର ମନ୍ତ୍ରୀ ନିମୁବେନ ବାମ୍ଭାନିଆ ଏହି ନୂତନ ଟ୍ରେନ ରୂପରେ ଭାବନଗରକୁ ଏହି ମୂଲ୍ୟବାନ ଉପହାର ପାଇଁ ରେଳ ମନ୍ତ୍ରୀଙ୍କୁ କୃତଜ୍ଞତା ପ୍ରକାଶ କରିଥିଲେ । ସେ କହିଥିଲେ ଯେ ଏହି ଟ୍ରେନ ଭାବନଗରର ଶକ୍ତିକୁ ଅଯୋଧ୍ୟାର ଭକ୍ତି ସହିତ ସଂଯୋଗ କରୁଥିବା ଏକ ସେତୁ ଭଳି । ଏହା କେବଳ ଭାବନଗରର ଲୋକମାନଙ୍କୁ ନୁହେଁ ବରଂ ଆଖପାଖ ଜିଲ୍ଲାର ଲୋକଙ୍କୁ ମଧ୍ୟ ଲାଭ ପହଞ୍ଚାଇବ । ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଜନପ୍ରତିନିଧି, ବରିଷ୍ଠ ରେଳ ଅଧିକାରୀ ଏବଂ ବହୁସଂଖ୍ୟାରେ ସାଧାରଣ ଜନତା ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.