centurian jitm

ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ, ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ନୂଆ ଏକକ କାର୍ଡ ବିତରଣ ଯୋଜନାର ଶୁଭାରମ୍ଭ

nschool

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ହରିରାଜପୁର, ଘୋରଡ଼ିଆ, କଲ୍ୟାଣପୁର, ଇନ୍ଦିପୁର ଓ ଗୁଆଳିପଡ଼ା ସ୍ୱାସ୍ଥ୍ୟ ଆରୋଗ୍ୟ ମନ୍ଦିର ପରିସରରେ ଅନୁଷ୍ଠିତ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ, ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ନୂଆ ଏକକ କାର୍ଡ ବିତରଣ ଏବଂ ଆୟୁଷ୍ମାନ ବୟୋ ବନ୍ଦନା ଯୋଜନାର କାର୍ଯ୍ୟକ୍ରମ ଉଦଘାଟିତ ହୋଇଯାଇଛି । ହରିରାଜପୁର ଠାରେ ବ୍ଲକସ୍ତରୀୟ ଶୁଭାରମ୍ଭ କାର୍ଯ୍ୟକ୍ରମରେ ମାନ୍ୟବର ବିଧାୟକ ଆଶ୍ରିତ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ । ଆୟୁଷ୍ମାନ ଭାରତ ସ୍ଵାସ୍ଥ୍ୟ କ୍ଷେତ୍ରରେ ସଂଜୀବନୀ ବୋଲି ସେ ମତବ୍ୟକ୍ତ କରିଥିଲେ । ଓଡ଼ିଶାର ସ୍ଵାସ୍ଥ୍ୟ କ୍ଷେତ୍ରରେ ଆରମ୍ଭ ହୋଇଛି ଏକ ନୂତନ ଯୁଗ । ଆଜିଠୁ ରାଜ୍ୟରେ କାର୍ଯ୍ୟକାରୀ ହୋଇଛି ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା- ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଏବଂ ଆୟୁଷ୍ମାନ ବୟୋ ବନ୍ଦନା ଯୋଜନା । ହିତାଧିକାରୀ ପରିବାରର ପ୍ରତ୍ୟେକ ସଦସ୍ୟଙ୍କୁ ମିଳିବ ଅଲଗା ଅଲଗା ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା- ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା କାର୍ଡ଼ । ପରିବାର ପିଛା ବାର୍ଷିକ ୫ ଲକ୍ଷ ଟଙ୍କା ଏବଂ ମହିଳାଙ୍କ ପାଇଁ ପରିବାର ପିଛା ବାର୍ଷିକ ଅତିରିକ୍ତ ୫ ଲକ୍ଷ ଟଙ୍କାର ଦେୟମୁକ୍ତ ଚିକିତ୍ସା ସହାୟତା ମିଳିବ । ଆୟୁଷ୍ମାନ ବୟୋ ବନ୍ଦନା ଯୋଜନାରେ ୭୦ ବର୍ଷ କିମ୍ବା ୭୦ ବର୍ଷରୁ ଉର୍ଦ୍ଦ ବରିଷ୍ଠ ନାଗରିକଙ୍କୁ ମିଳିବ ପରିବାର ପିଛା ବାର୍ଷିକ ୫ ଲକ୍ଷ ଟଙ୍କା ଏବଂ ବରିଷ୍ଠ ମହିଳା ହିତାଧିକାରୀଙ୍କ ପାଇଁ ପରିବାର ପିଛା ବାର୍ଷିକ ଅତିରିକ୍ତ ୫ ଲକ୍ଷ ଟଙ୍କାର ଚିକିତ୍ସା ସହାୟତା ଯୋଗାଇ ଦିଆଯିବ । ଏଥିରେ ରାଜ୍ୟର ୧ କୋଟି ୩ ଲକ୍ଷରୁ ଅଧିକ ପରିବାରର ୩ କୋଟି ୪୬ ଲକ୍ଷ ଲୋକ ମାଗଣା ଚିକିତ୍ସା ବା ଦେୟ ମୁକ୍ତ ସ୍ଵାସ୍ଥ୍ୟ ସେବା ପାଇ ପାରିବେ । ପୂର୍ବରୁ ୧୬ ଟି ରାଜ୍ୟର ୯ ଶହ ପଞ୍ଜିକୃତ ଚିକିତ୍ସାଳୟରେ ଚିକିତ୍ସା ସୁବିଧା ଥିଲା । ମାତ୍ର ଏବେ ଦେଶର ୨୯ ହଜାରରୁ ଅଧିକ ସରକାରୀ ଓ ପଞ୍ଜିକୃତ ଘରୋଇ ଚିକିତ୍ସାଳୟରେ ଚିକିତ୍ସା ସୁବିଧା ଉପଲବ୍ଧ ହେବ । ପଶ୍ଚିମବଙ୍ଗକୁ ଛାଡି କାଶ୍ମୀରଠାରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ଭାରତର କୋଣ ଅନୁକୋଣରେ ଯୋଗ୍ୟ ଓଡ଼ିଆ ହିତାଧିକାରୀମାନଙ୍କର ଆଉ ସ୍ୱାସ୍ଥ୍ୟ ସେବା ସମ୍ପର୍କିତ ଅସୁବିଧା ରହିବ ନାହିଁ । ସ୍ଵାସ୍ଥ୍ୟ ହିଁ ସମ୍ପଦ ତେଣୁ ସମସ୍ତ ନାଗରିକଙ୍କୁ ସର୍ବୋତ୍କୃଷ୍ଟ ଚିକିତ୍ସାସେବା ଯୋଗାଇ ଦେବା ହେଉଛି ସରକାରଙ୍କର ଦାୟିତ୍ଵ ଓ କର୍ତ୍ତବ୍ୟ ବୋଲି ବିଧାୟକ ଶ୍ରୀ ପଟ୍ଟନାୟକ ମତବ୍ୟକ୍ତ କରିଥିଲେ । ଏହି ଶୁଭାରମ୍ଭ କାର୍ଯ୍ୟକ୍ରମରେ ବିଡ଼ିଓ କ୍ଷିତିଶ ବେହେରା,ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ଼. ସନ୍ତୋଷ ତ୍ରିପାଠୀ,ସିଡିପିଓ ଜାପାନୀ ମିତ୍ର, ସହକାରୀ ନିର୍ବାହୀ ଯନ୍ତ୍ରୀ ସୁବ୍ରତ କୁମାର ବାରିକ,ସାମାଜିକ ସୁରକ୍ଷା ଅଧିକାରୀ ତପନ କୁମାର ଦାସ,ସମାଜସେବୀ ଵିଷ୍ଣୁ ଚରଣ ଜେନା, ଶ୍ୱେତ ନାୟକ, ହରିରାଜପୁର ଫାଣ୍ଡି ଅଧିକାରୀ ରମେଶ ଚନ୍ଦ୍ର ନିଶଙ୍କ ପ୍ରମୁଖ ଯୋଗ ଦେଇ ନୂତନ ସ୍ୱାସ୍ଥ୍ୟ ଯୋଜନା ସମ୍ପର୍କରେ ଆଲୋକପାତ କରିଥିଲେ ! ସେହିପରି ଘୋରଡ଼ିଆ ସ୍ୱାସ୍ଥ୍ୟ ଓ ଆରୋଗ୍ୟ ମନ୍ଦିର ସମ୍ମୁଖ ପଡ଼ିଆଠାରେ ଆଭାସୀ ମାଧ୍ୟମରେ ଲୋକଙ୍କୁ ସଚେତନ କରାଇବା ସହିତ ଆୟୁଷ୍ମାନ କାର୍ଡ଼ ବଣ୍ଟନ କରାଯାଇଛି। ଏହି ଅବସରରେ ଡେଲାଙ୍ଗ ପଂଚାୟତ ସମିତି ହେଡ଼କ୍ଲର୍କ ଆଶିଷ କୁମାର ପାତ୍ର, ସାଉରିଆ ପଂଚାୟତ ନିର୍ବାହୀ ଅଧିକାରୀ ଚକ୍ରଧର ପାଇକରାୟ, ଜିଆରଏସ ଜ୍ୟୋତିମୟ ପରିଡା, ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ମୈତ୍ରୀ ସ୍ୱାଇଁ, ସୁପରଭାଇଜର ଶାନ୍ତିଲତା ବାରିକ, ପିଏଚସି ର ସ୍ନେହାଞ୍ଜଳି ପଣ୍ଡା ପ୍ରମୁଖ ଉପସ୍ଥିତ ରହି ଲୋକଙ୍କୁ ଆୟୁଷ୍ମାନ ଡେମୋ କାର୍ଡ଼ ବଣ୍ଟନ କରିଥିଲେ। ଏହାର ପ୍ରଚାର ଏବଂ ସବିଶେଷ ତଥ୍ୟ ଲୋକଙ୍କୁ ସଚେତନ କରିବା ପାଇଁ ଏକ ସଚେତନତା ରଥକୁ ବ୍ଲକ ଅଧିକାରୀ ଆଶିଷ ପାତ୍ର ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏହି କାର୍ୟ୍ୟକ୍ରମରେ ସ୍ୱାସ୍ଥ୍ୟ କର୍ମୀ, ଏଏନ ଏମ, ଆଶା କର୍ମୀ, ଅଙ୍ଗାନାୱାଡି କର୍ମୀ, ସ୍ଥାନୀୟ ସାଶକ ଦଳର ନେତୃବୃନ୍ଦ ସମେତ ଶତାଧିକ ମହିଳା ଯୋଗଦେଇଥିଲେ।

Leave A Reply

Your email address will not be published.