centurian jitm

ଜିଲ୍ଲା ସ୍ତରୀୟ ଧାନ ଇନ୍‌ପୁଟ୍‌ ରାଶି ଶୁଭାରମ୍ଭ କାର୍ଯ୍ୟରେ ଯୋଗଦେଲେ ସ୍ୱାସ୍ଥ୍ୟମନ୍ତ୍ରୀ

nschool

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ବରଗଡ଼ ଜିଲ୍ଲାର ସୋହେଲା ଠାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ବର୍ଣ୍ଣାଢ୍ୟ ଉତ୍ସବରେ କ୍ୱିଣ୍ଟାଲ ପିଛା ଧାନର ସର୍ବନିମ୍ନ ସହାୟତା ମୂଲ୍ୟ ୨୩୦୦ ଟଙ୍କା ଉପରେ ରାଜ୍ୟ ବଜେଟରୁ ୮୦୦ ଟଙ୍କାର ଇନ୍‌ପୁଟ୍‌ ସହାୟତା ରାଶି ସହିତ ଚାଷୀଙ୍କୁ ସମୁଦାୟ ୩୧୦୦ ଟଙ୍କା ପ୍ରଦାନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁଭାରମ୍ଭ କରିଛନ୍ତି । ଚାଷୀ ହେଉଛନ୍ତି ଅନ୍ନଦାତା । ଚାଷୀଙ୍କର ଆୟ ବୃଦ୍ଧିକୁ ଦୁଇଗୁଣା କରିବା ପାଇଁ ଯେଉଁ ପ୍ରତିଶ୍ରୁତି ଦିଆଯାଇଥିଲା ତାହା ଆଜି ନୂଆ ସରକାର ଛଅ ମାସ ମଧ୍ୟରେ ପୂରଣ କରିଛନ୍ତି । ସେଥିପାଇଁ ମୁଁ ଆନନ୍ଦିତ ବୋଲି ଲାଇଭ ଷ୍ଟ୍ରିମିଂ ମାଧମରେ ରାଜ୍ୟର ଦଶଗୋଟି ଜିଲ୍ଲାର ବିଭିନ୍ନ ସ୍ଥାନରେ ଆୟୋଜିତ ସଂଯୁକ୍ତ ଜିଲ୍ଲାସ୍ତରୀୟ ସମାରୋହରେ ଉପସ୍ଥିତ ଚାଷୀ ମାନକୁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ସମ୍ବୋଧନ କରିଥିଲେ । ଏହି ଅବସରରେ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ମା’ ମାଣିକେଶ୍ଵରୀ ବିଶ୍ୱବିଦ୍ୟାଳୟ ଖେଳ ପଡିଆ ଠାରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଡ଼.ମୁକେଶ ମହାଲିଙ୍ଗ, ସଂସଦୀୟ ବ୍ୟାପାର, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ଇଲୋକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ଯୋଗଦେଇ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମର ଶୁଭ ଉଦ୍‌ଘାଟନ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଧାନର ସହାୟତା ମୂଲ୍ୟ ବୃଦ୍ଧି କରାଯାଇ ଆଜି ଚାଷିଙ୍କ ଆୟକୁ ବୃଦ୍ଧି କରାଯାଇ ଚାଷୀଙ୍କ ବହୁଦିନର ଦାବି ପୂରଣ କରାଯାଇଥିବାରୁ ଚାଷୀଭାଇଙ୍କ ମୁହଁରେ ହସ ଫୁଟିଛି । ପୂର୍ବରୁ ଚାଷୀମାନେ ଦଲାଲର ଶିକାର ହେଉଥିଲେ ଏବଂ ଧାନର ଉଚିତ୍ ମୂଲ୍ୟ ପାଇପାରୁନ ଥିଲେ । ବର୍ତ୍ତମାନ ଦଲାଲର କୌଣସି ସ୍ଥାନ ନାହିଁ ଚାଷୀ ମାନେ ସିଧାସଳଖ ଧାନ ମଣ୍ଡିରେ ନିଜର ଧାନ ବିକ୍ରୟ କରି ସରକାରଙ୍କ ଦ୍ଵାରା ଧାର୍ଯ୍ୟ ଉଚିତ୍ ମୂଲ୍ୟ ପାଇପାରିବେ ବୋଲି ମୁଖ୍ୟ ଅତିଥି ଶ୍ରୀ ମହାଲିଙ୍ଗ ତାଙ୍କ ବକ୍ତବ୍ୟରେ ପ୍ରକାଶ କରିଥିଲେ । ସରକାରଙ୍କର ବିଭିନ୍ନ ଜନହିତକର ଯୋଜନା ବିଶେଷ କରି ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣିବା ପାଇଁ ଖାଲି ପଡିଥିବା ଆବଶ୍ୟକ ପଦବୀ ଗୁଡିକ ପୂରଣ ପାଇଁ ସରକାର ତତ୍ପରତା ସହିତ ନେଉଥିବା ପଦକ୍ଷେପ ସମ୍ପର୍କରେ ସୂଚନା ଦେଇଥିଲେ । ଏହି ଅବସରେ ଜୟପାଟଣାର ହୃଦାନନ୍ଦ କଂସାରି, ମଙ୍ଗଳପୁରର ତ୍ରିବେଣୀ ସାହୁ, କୋକସରା ଝରିଆଗୁଡାର ବିରାଟ ପଟ୍ଟନାୟକ, ହେମନ୍ତ ଗହୀର, ରୂପରାର ନେପାଲ ବିଶ୍ଵାଳ, ନର୍ଲାର ଲବ କୁମାର, ଟେମରାର ଜମ୍ବେ ପ୍ରସାଦ ଚୌଧୁରୀ ପିପିସି, ପିଏସିଏସ୍‌ରେ ତାଲିକାଭୁକ୍ତ ଚାଷୀଙ୍କୁ କ୍ୱିଣ୍ଟାଲ ପିଛା ଧାନର ସର୍ବନିମ୍ନ ସହାୟତା ମୂଲ୍ୟ ୨୩୦୦ଟଙ୍କା ଉପରେ ରାଜ୍ୟ ସରକାରଙ୍କ ଦ୍ଵାରା ୮୦୦ ଟଙ୍କାର ଇନ୍‌ପୁଟ୍‌ ସହାୟତା ରାଶି ସହିତ ସମୁଦାୟ ୩୧୦୦ ଟଙ୍କାର ଡମି ଚେକ୍ ମୁଖ୍ୟ ଅତିଥି ମାନ୍ୟବର ମନ୍ତ୍ରୀଙ୍କ ଦ୍ଵାରା ପ୍ରଦାନ କରାଯାଇଥିଲା । ଜିଲ୍ଲାପାଳ ପାୱାର ସଚିନ ପ୍ରକାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ କଳାହାଣ୍ଡି ସାଂସଦ ମାଳବିକା ଦେବୀ, ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଷୀ, ଜିଲ୍ଲାପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ, ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ ପ୍ରମୁଖ ଯୋଗ ଦେଇଥିଲେ । ଚାଷୀଙ୍କ ହିତ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ଏହି କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିବାରୁ ଧନ୍ୟବାଦ ଜଣାଇଥିଲେ । କାର୍ଯ୍ୟକ୍ରମକୁ ଡ. ଉମେଶ ଶତପଥି ପରିଚାଳନା କରିଥିଲେ । ଶେଷରେ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.