jayashree

ଗଞ୍ଜାମ ଜିଲ୍ଲାରେ ଗଡ଼ିଲା ଲକ୍ଷ୍ମୀ ବସ୍ : ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

  • ଗଞ୍ଜାମ ଜିଲ୍ଲାର ସମସ୍ତ ଗ୍ରାମାଞ୍ଚଳରୁ ସହରକୁ ଯାତାୟତ କରିବା ନିମନ୍ତେ ଗମନାଗମନ ପଥ ସୁଗମ ହେଲା

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ପ୍ରତି ପଞ୍ଚାୟତରୁ ନିଜ ନିଜ ବ୍ଲକ୍ ଆସିବାକୁ ଆଉ ଅସୁବିଧା ହେବନାହିଁ । ଗ୍ରାମାଞ୍ଚଳ ଲୋକମାନଙ୍କୁ ଉତ୍ତମ ପରିବହନ ସେବା ଲକ୍ଷ୍ମୀ ବସ୍ ମାଧ୍ୟମରେ ମିଳିବ । ଏନେଇ ଗଞ୍ଜାମ ଜିଲ୍ଲା ପାଇଁ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଲକ୍ଷ୍ମୀ ବସ୍‌ର ବୁଧବାର ପୂର୍ବାହ୍ନରେ ଆଭାସୀ ମାଧ୍ୟମରେ ଶୁଭାରମ୍ଭ ହୋଇଛି । ଜିଲ୍ଲାର ସଦର ମହକୁମା ଛତ୍ରପୁର ସ୍ଥିତ ଅନସ୍ଲୋ ମିନି ଷ୍ଟାଡିଅମଠାରେ ଉଦ୍‌ଘାଟନ ଓ ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଯାହାକି, ମହିଳା ଓ ଛାତ୍ରଛାତ୍ରୀଙ୍କ ପାଇଁ ଭଡା ୫ ଟଙ୍କା ରହିଛି । ରାଜ୍ୟରେ ସାର୍ବଜନୀନ ପରିବହନ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବା ନିମନ୍ତେ ରାଜ୍ୟ ସରକାରଙ୍କ ଏହି ଯୋଜନାର ଲକ୍ଷ୍ୟ ପୂରଣ ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ଏହା ଏକ ଯୁଗାନ୍ତକାରୀ ଯୋଜନା, ଗଞ୍ଜାମ ଜିଲ୍ଲା ପାଇଁ ବୁଧବାର ଏକ ଐତିହାସିକ ଦିନ, ଜିଲ୍ଲାରେ ଗମନାଗମନର ଅସୁବିଧାକୁ ହୃଦୟଙ୍ଗମ କରି ଲକ୍ଷ୍ମୀ ଯୋଜନା ଆରମ୍ଭ କରିଛନ୍ତି । ଏହାଦ୍ୱାରା ଜିଲ୍ଲାର ଲୋକେ ଉପକୃତ ହେବା ସହିତ ଜିଲ୍ଲା ବାହାରୁ ଆସୁଥିବା ବହୁ ପର୍ଯ୍ୟଟକଙ୍କ ପାଇଁ ବେଶ ସହାୟକ ହେବ ବୋଲି ସାଧାରଣରେ କୁହାଯାଇଛି । ଲୋକେ କମ୍ ଖର୍ଚ୍ଚରେ ବିଭିନ୍ନ ପର୍ଯ୍ୟଟନସ୍ଥଳୀକୁ ଯାତାୟତ କରିପାରିବେ । ଗାଁରୁ ସହରକୁ ଆସିବା ନିମନ୍ତେ ସବୁ ବର୍ଗର ଲୋକମାନେ ସୁବିଧାରେ ଗମନାଗମନ କରିପାରିବେ । ମୁଖ୍ୟମନ୍ତ୍ରୀଙ୍କ କରକମଳରେ ଲକ୍ଷ୍ମୀ ବସ୍‌ର ଲୋକାର୍ପଣ ହୋଇଥିବାରୁ ଜିଲ୍ଲାବାସୀଙ୍କ ତରଫରୁ ମୁଖ୍ୟମନ୍ତ୍ରୀ ଓ ୫-ଟି ଅଧ୍ୟକ୍ଷଙ୍କୁ ଜ଼ିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ତଥା ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା ଓ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ, ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା ଅଭିଭାଷଣରେ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି । ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ଶିଳ୍ପ, ପର୍ଯ୍ୟଟନ, ଆଧ୍ୟାତ୍ମିକ ଓ ସଂସ୍କୃତିକୁ ଶୀର୍ଷରେ ପହଞ୍ଚାଇଛନ୍ତି ଆମ ମୁଖ୍ୟମନ୍ତ୍ରୀ । ଏହି ସମସ୍ତ ସଂଯୋଗ କରିବ ପରିବହନ, ଏହା ମୁଖ୍ୟମନ୍ତ୍ରୀଙ୍କ ଦୂର ଦୃଷ୍ଟି ବୋଲି ଏହି ଉଦ୍‌ଘାଟନୀ ଉତ୍ସବରେ ଯୋଗଦେଇଥିବା ଜନପ୍ରତିନିଧି, ପ୍ରଶାସନିକ ଅଧିକାରୀ, ମିଶନ ଶକ୍ତି ମା’ ଏବଂ ସ୍ଥାନୀୟ ଜନସାଧାରଣମାନେ କହିଛନ୍ତି । ଏହି କାର୍ଯ୍ୟକ୍ରମରେ ଆସିକା ସାଂସଦ ପ୍ରମିଳା ବିଷୋୟୀ, ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା, ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ, ସୋରଡ଼ା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ, ଆସିକା ବିଧାୟିକା ମଞ୍ଜୁଳା ସ୍ୱାଇଁ, ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟ, ଜ଼ିଲ୍ଲାପରିଷଦ ସଭାପତି ଶ୍ରୀମତୀ ଅଞ୍ଜଳି ସ୍ୱାଇଁ, ରାଜ୍ୟ ଯୋଜନା ବୋର୍ଡର ସଦସ୍ୟ ଡା. ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ଗଞ୍ଜାମ ଜ଼ିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା ପ୍ରମୁଖ ମଞ୍ଚାସୀନ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ଓଏସ୍‌ଆର୍‌ଟିସିର ଅଧ୍ୟକ୍ଷ ତଥା ଏମଡି ଦୀପତେଶ ପଟ୍ଟନାୟକ, ଜ଼ିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ମଧୁମିତା, ବ୍ରହ୍ମପୁର ଉପ-ଜ଼ିଲ୍ଲାପାଳ ଧୀନା ଦସ୍ତାଗିରୀ, ଅତିରିକ୍ତ ଜ଼ିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି, ଦେବବ୍ରତ ସାହୁ ଓ ପ୍ରମୋଦ କୁମାର ପୃଷ୍ଟି, ଜିଏମ୍‌ ଡିଆସି ପ୍ରସନ୍ନ କୁମାର ପାତ୍ର, ଛତ୍ରପୁର ଉପ-ଜ଼ିଲ୍ଲାପାଳ ଦେବଦତ୍ତ ମହାନ୍ତ, ଜିଲ୍ଲା ପରିଷଦର ଅତିରିକ୍ତ କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରତାପ ଚନ୍ଦ୍ର ପ୍ରଧାନ, ଛତ୍ରପୁର ତହସିଲଦାର ଦିବ୍ୟା ମହାନ୍ତି, ଗଞ୍ଜାମ ଆରଟିଓ ମାନସ ରଞ୍ଜନ ସାହୁ, ଭଞ୍ଜନଗର ଆରଟିଓ ଶୁଭେନ୍ଦୁ ରାୟ, ଓଏସ୍‌ଆର୍‌ଟିସି ଗଞ୍ଜାମ ଜିଲ୍ଲା ଅରୁଣ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ପ୍ରଥମେ ଗଞ୍ଜାମ ଜିଲ୍ଲାରେ ୪୭ ଗୋଟି ଲକ୍ଷ୍ମୀ ବସ ଚାଲିବ ପରେ ପର୍ଯ୍ୟାୟ କ୍ରମେ ଅନ୍ୟ ସବୁ ପଂଚାୟତରେ ଲକ୍ଷ୍ମୀ ବସ୍ ଗଡିବ । ଜିଲ୍ଲାର ୧୨୪ଟି ରୁଟରେ ୧୨୪ଟି ବସ୍‌ର ଏହି ସେବା ଯୋଗାଇ ଦିଆଯିବ । ଏଥି ନିମନ୍ତେ ମୋଟ୍ ୧୩୦ ବସ୍ ଜିଲ୍ଲାକୁ ଆସିବ । ବିଭିନ୍ନ ପଞ୍ଚାୟତରେ ଏବେ ଲକ୍ଷ୍ମୀ ବସ୍ ଷ୍ଟପ୍ ସ୍ଥଳ କରାଯାଇଥିବା ବେଳେ କିଛି ସ୍ଥାନରେ ଏହାର ନିର୍ମାଣ ଜାରୀ ରହିଛି । ବୁଧବାର ଲକ୍ଷ୍ମୀ ବସ୍‌ରେ ଗଞ୍ଜାମ ଜିଲ୍ଲାପାଳ, ଓଏସ୍‌ଆର୍‌ଟିସିର ଅଧ୍ୟକ୍ଷ ତଥା ଏମଡି, ସାଂସଦ, ବିଧାୟକ ଓ ଜିଲ୍ଲା ପ୍ରଶାସନର ବିଭିନ୍ନ ଅଧିକାରୀ ଓ ମହିଳାମାନେ ଟିକେଟ ଦେଇ ଖୁସି ମନରେ ଯାତ୍ରା କରିଥିଲେ ।

Leave A Reply

Your email address will not be published.