ଇଟାଲିୟନ ସାହିତ୍ୟରେ ସ୍ଥାନ ପାଇଲା କଳାହାଣ୍ଡିର କବିଙ୍କ କବିତା

ଭବାନୀପାଟଣା, (କେପିଏନ୍‌ଏସ୍‌) : ହିନ୍ଦୀ ଓ ଓଡ଼ିଆ ସାହିତ୍ୟରେ ଦୀର୍ଘ ଦୁଇ ଦଶନ୍ଧୀ ଧରି ସକ୍ରିୟ ରହିବା ସହିତ ଏକାଧିକ ପୁସ୍ତକର ଲେଖକ ଓ ସମ୍ଭ୍ରାନ୍ତ ସାହିତ୍ୟ ପତ୍ରିକା ମହୁରିର ମୁଖ୍ୟ ସଂପାଦକ ଭାବେ ଓଡ଼ିଆ ସାହିତ୍ୟର ଜଣେ ଆଗଧାଡ଼ିର କବି ଓ ସାହିତ୍ୟ ସଂଗଠକ ଭାବେ ସୁପରିଚିତ କବି ଭବାନୀଶଙ୍କର ନିଆଲ ଏଥର ଅନ୍ତର୍ଜାତୀୟ ସ୍ତରରେ ଖ୍ୟାତି ଅର୍ଜନ କରିଛନ୍ତି । କରୋନା ଜନିତ ଲକଡାଉନ୍ ବେଳେ ସେ ଲେଖିଥିବା ଦୁଇଟି ମର୍ମସ୍ପର୍ଶୀ କବିତାର ଇଂରାଜୀ ଅନୁବାଦ ସାମାଜିକ ଗଣମାଧ୍ୟମରେ ବେଶ୍ ଚର୍ଚ୍ଚିତ ହୋଇଥିବା ବେଳେ ଏହି କବିତାର ଭାବାବେଗ ଓ ସାହିତ୍ୟିକ ମୂଲ୍ୟବୋଧରେ ପ୍ରଭାବିତ ହୋଇ ଇଟାଲୀର ଖ୍ୟାତନାମା ଲେଖିକା ଇମାନୁଏଲ୍ ରିଜ୍ଜୋ ଏହାକୁ ଇଟାଲିୟାନ ଭାଷାରେ ଅନୁବାଦ କରିଛନ୍ତି । ଇଟାଲିୟାନ ଭାଷାରେ ଅନୁଦିତ ହେବା ପରେ କବିତା ଯୋଡ଼ିକ ଇଟାଲୀର ସାହିତ୍ୟ ଜଗତରେ ଆଲୋଡନ ସୃଷ୍ଟି କରିଛନ୍ତି । ଏ ସଂପର୍କରେ ଖବର ମିଳିବା ପରେ ରାଜ୍ୟର ସାହିତ୍ୟିକ ଓ ଶ୍ରୀ ନିଆଲଙ୍କ ଶୁଭେଚ୍ଛୁ ମହଲରେ ଖୁସିର ଲହରୀ ଖେଳିଯାଇଛି ।

ଏପରିକି ସାମାଜିକ ଗଣମାଧ୍ୟମରେ ତାଙ୍କ କବିତା ଏକପ୍ରକାର ଛାଇଯାଇଛି । ସୂଚନାଯୋଗ୍ୟ, ଏହି କବିତାରେ ଥିବା ମାନବୀୟ ସମ୍ବେଦନ ତଥା ସାମାଜିକ ପ୍ରଗତିର ଦିଶା କବିତାଟିକୁ ଆହୁରି ଜୀବନ୍ତ ଓ ପ୍ରାସଙ୍ଗିକ କରିଥିବାବେଳେ କବିତା ଦୁଇଟିକୁ ଅଧ୍ୟାପକ ବଙ୍କିମ ମୁଣ୍ଡଙ୍କ ଇଂରାଜୀରେ ଅନୁବାଦ କରିଥିଲେ । କବି ଶ୍ରୀ ନିଆଲଙ୍କର ଅନେକ କବିତା ଜାତୀୟ ସ୍ତରର ପତ୍ରପତ୍ରିକାରେ ପ୍ରକାଶ ପାଇ ବିପୁଳ ଲୋକପ୍ରିୟତା ହାସଲ କରିଛି । ହିନ୍ଦୀର ପ୍ରମୁଖ ଖବରକାଗଜ ‘ଦୈନିକ ଜାଗରଣ’ ଓ ‘ନବଭାରତ’ରେ ମୁଖ୍ୟତଃ ଶ୍ରୀ ନିଆଲଙ୍କ କବିତାମାନ ପ୍ରକାଶ ପାଇଛି । ଓଡ଼ିଆ ଭାଷାରେ କବିଙ୍କର ତିନୋଟି କବିତା ସଙ୍କଳନ “ସୃଷ୍ଟି’, “ପଚାଶ ବର୍ଷର ପଚାଶଟି ଫସଲ’, “ଝିଅର ଚିତ୍ରଖାତା’ ପ୍ରକାଶ ପାଇଛି । ଉଭୟ ହିନ୍ଦୀ ଓ ଓଡ଼ିଆରେ ତାଙ୍କର ଅନେକ କବିତା ସଙ୍କଳିତ ହେବାକୁ ଅଛି । କବି ଶ୍ରୀ ନିଆଲଙ୍କ ଏହି ସଫଳତାରେ କଳାହାଣ୍ଡିର ସମସ୍ତ କବି ଓ ଅନୁଷ୍ଠାନ ଶୁଭେଚ୍ଛା ଜଣାଇଛନ୍ତି ।

Leave A Reply

Your email address will not be published.