ମୁରିବାହାଲ ବ୍ଲକସ୍ତରୀୟ ଲୋକ ମହୋତ୍ସବରୁ ୧୩ରୁ ଅଧିକ ସାଂସ୍କୃତିକ ଦଳ ଟିଟିଲାଗଡ ଉପଖଣ୍ଡ ସ୍ତରୀୟକୁ ମନୋନୀତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ କାର୍ଯ୍ୟାଳୟ ପରିସରରେ ଗୁରୁବାର ଅନୁଷ୍ଠିତ ବ୍ଲକସ୍ତରୀୟ ଲୋକ ମହୋତ୍ସବରୁ ମୋଟ ୭୭ଟି ଦଳରୁ ଶ୍ରେଷ୍ଠ ବିବେଚିତ ୧୩ରୁ ଅଧିକ ସାଂସ୍କୃତିକ ଦଳ ଟିଟିଲାଗଡ ଉପଖଣ୍ଡ ସ୍ତରୀୟ ଲୋକ ମହୋତ୍ସବକୁ ମନୋନୀତ ହୋଇଛନ୍ତି । ଏଥିରେ ଲୋକ ସଙ୍ଗୀତ ଏକକରେ ଭୋଇପଡ଼ାର ଚନ୍ଦ୍ରହାସ୍ୟ ବାଗ ଓ ସନ୍ଧିବାହାଲିର ମାର୍କଣ୍ଡ ମାହାକୁର, ଲୋକ ସଙ୍ଗୀତ ଦଳୀୟରେ ମାଳିଶିରାର ଜୟ ଜଗନ୍ନାଥ ପାଲା ପାର୍ଟି, ଲୋକବାଦ୍ୟ ଏକକରେ ମାଲିବାହାଲର ଟୁନିଆ ଛତ୍ରିଆ ଓ କନ୍ଦାଖାଲର କୁଞ୍ଜବିହାରୀ ସାହୁ, ଲୋକବାଦ୍ୟ ଦଳୀୟରେ ଗମ୍ଭାରୀଖୋଲାର ବାରଭାଇ ଲାନ୍ଥବୁଢ଼ା ଦୁଲଦୁଲି ଓ ପତ୍ରାପାଲିର ନୀଳମାଧବ ଘୁମୁରା ଦଳ, ଲୋକନୃତ୍ୟ ଏକକରେ ବଡଉଡାରର ରୋମାଞ୍ଚ ଗହୀର ଓ କଚାରଭାଡ଼ିର ନିକିତା ତାଣ୍ଡି, ଲୋକ ନୃତ୍ୟ ଦଳୀୟରେ ହଳଦୀର ଡଙ୍ଗରବୁଢା କଳାପରିଷଦ ଓ ପତ୍ରାପାଲିର ମାଁ ମାଉଲି ଦଣ୍ଡନୃତ୍ୟ ତଥା ଲୋକ ନାଟକ ଦଳୀୟରେ ମୁରିବାହାଲ ସଦରର ଚେରେଗୁଡ଼ି କଳା ପରିଷଦ (ରାମଲୀଳା) ଓ ମୁରିବାହାଲର ଶ୍ରୀରାମ ଲୀଳା କମିଟି ରହିଥିବା ଜଣାପଡିଛି । ଏହି ଶ୍ରେଷ୍ଠ ବିବେଚିତ ସାଂସ୍କୃତିକ ଦଳଗୁଡିକ ଆସନ୍ତା ୧୫ତାରିଖ ଦିନ ଟିଟିଲାଗଡରେ ଅନୁଷ୍ଠିତ ହେବାକୁ ଥିବା ଉପଖଣ୍ଡସ୍ତରୀୟ ଲୋକ ମହୋତ୍ସବରେ ଅଂଶଗ୍ରହଣ କରିବେ ବୋଲି ବ୍ଲକ କଳା ଓ ସଂସ୍କୃତି ସଂଘ ସଭାପତି ତଥା ବିଡ଼ିଓ ବାସନ୍ତୀ ସେଠୀ ପ୍ରକାଶ କରିଛନ୍ତି । ଗୁରୁବାର ଲୋକ ମହୋତ୍ସବରେ ଅଂଶଗ୍ରହଣ କରିବା ପାଇଁ କଳାକାରମାନଙ୍କ ମଧ୍ୟରେ ବିପୁଳ ଉତ୍ସାହ ପରିଲକ୍ଷିତ ହୋଇଥିବା ବେଳେ ମହୋତ୍ସବ ଦେଖିବା ପାଇଁ ବିପୁଳ ଜନସମାଗମ ହୋଇଥିଲା ।

Leave A Reply

Your email address will not be published.