ଦାଦନ ଶ୍ରମିକ ଚାଲାଣ ଋତୁର ସମୟ ଆସିଲା : କଡ଼ାକଡ଼ି ହେବ କି ପ୍ରଶାସନିକ ପଦକ୍ଷେପ ?

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦଶହରା ପର୍ବ ସହ ପ୍ରତିବର୍ଷ ଦାଦନ ଶ୍ରମିକ ଚାଲାଣ ଋତୁ ଜମିଯାଏ । ବାସ୍ତବରେ ନୂଆଁଖାଇ ସମୟରୁ ଦାଦନ ଶ୍ରମିକ ସର୍ଦ୍ଦାରମାନେ ବଇନା ଦେଇ ଆବୋରି ପକାନ୍ତି ଶ୍ରମିକ ପରିବାରମାନଙ୍କୁ । ଏତିକି ବେଳୁ ହିଁ ଦାଦନ ଶ୍ରମିକ ଚାଲାଣର ପର୍ବ ଆରମ୍ଭ ହୋଇଯାଇଥାଏ । ପ୍ରତିବର୍ଷ ବଲାଙ୍ଗିର ଜିଲ୍ଲାରୁ ଲକ୍ଷ ଲକ୍ଷ ସଂଖ୍ୟାରେ ଶ୍ରମିକମାନେ ହାଇଦ୍ରାବାଦ, ଆନ୍ଧ୍ରା ଆଦି ରାଜ୍ୟକୁ ଇଟା ଗଢ଼ିବା କାମରେ ଚାଲାଣ ହୁଅନ୍ତି । ସେଠି ନାନା ପ୍ରକାର ନିର୍ୟାତନାର ଶିକାର ବି ହୁଅନ୍ତି, ଯାହା ସାରା ମାନବ ସମାଜ ପାଇଁ ଲଜ୍ଜ୍ୟାର ବିଷୟ ପାଲଟେ । କିନ୍ତୁ ଦାଦନ ଶ୍ରମିକ ଚାଲାଣ ସୁଅ ବନ୍ଦ ହୁଏନାହିଁ । ପେଟ ପୋଷିବା ପାଇଁ ଶ୍ରମିକ ପୁଣି ବଇନା ନିଏ ସର୍ଦ୍ଦାର ଠାରୁ ଏବଂ ହରଡ଼ଘଣାକୁ ନିଜେ ନିଜେ ପୁଣି ପଶିଯାଏ । ଅନ୍ୟପକ୍ଷରେ ଶ୍ରମିକମାନଙ୍କ ଆର୍ଥିକ ସ୍ଥିତିକୁ ସୁଦୃଢ଼ କରିବା ପାଇଁ ସରକାରଙ୍କ ପକ୍ଷରୁ ଯୋଜନା ଉପରେ ଯୋଜନା ପ୍ରଣୟନ ହେଉଥାଏ । କିନ୍ତୁ କାହିଁକି ଦାଦନ ଶ୍ରମିକ ଚାଲାଣ ଉପରେ ଏହାର ପ୍ରଭାବ ପଡେନାହିଁ, ସେଦିଗରେ ମୁଣ୍ଡ ଖେଳାଇବାକୁ ବୋଧହୁଏ ପ୍ରଶାସନ ପାଖରେ ଇଚ୍ଛାଶକ୍ତି ନଥାଏ ।

ସୂଚନାଯୋଗ୍ୟ ଯେ, ଚଳିତ ବର୍ଷ ଦାଦନ ଶ୍ରମିକ ଚାଲାଣର ପେଣ୍ଠସ୍ଥଳୀ କଂଟାବାଂଜିର ଏକ ଲଜ୍‌ ଉପରେ ଚଢ଼ାଉ କରି ବିପୁଳ ଟଙ୍କା ସହ ୭ ଜଣ ମାଲିକଙ୍କୁ କାବୁ କରିଥିଲା କଂଟାବାଂଜି ପୋଲିସ ଏବଂ ସେମାନଙ୍କୁ ଜୁଆଡ଼ି ଭାବେ ଦର୍ଶାଇ ଅର୍ଥ ହେର୍‌ଫେର୍‌ ମାମଲାରେ ଜଣେ ବରିଷ୍ଠ ପୋଲିସ ଅଧିକାରୀ ଛନ୍ଦି ହୋଇ ଏବେ ଅଡ଼ୁଆରେ ପଡ଼ିଛନ୍ତି । ଏହି ଘଟଣା ପରେ ପୋଲିସ ବିଭାଗର ମୁଖା ସଂପୂର୍ଣ୍ଣ ଭାବେ ଖୋଲି ଯାଇଥିବା ବେଳେ ଦାଦନ ଶ୍ରମିକ ଚାଲାଣ ମାମଲାରେ ପୋଲିସ ପ୍ରତିବର୍ଷ ମାଲେମାଲ୍‌ ହେଉଥିବା କଥା ହାଟରେ ବାଟରେ ଚର୍ଚ୍ଚାର ବିଷୟ ପାଲଟିଛି । ପୁଣି ନାମକୁ ମାତ୍ର କିଛି ଶ୍ରମିକଙ୍କୁ ଇଟାଗଢ଼ା କାମରେ ପଠାଇବାକୁ ଲାଇସନ୍ସ ପ୍ରାପ୍ତ ଶ୍ରମିକ ସର୍ଦ୍ଦାରମାନେ ପ୍ରଶାସନିକ ଅନୁମତି ନେଇ ମନଇଚ୍ଛା ତୁହାକୁ ତୁହା ଶ୍ରମିକ ପଠାଇ ଚାଲିଥିଲେ ବି ଆଖି ବୁଜି ଦେଉଥାଏ ପ୍ରଶାସନ । କିନ୍ତୁ ଚଳିତ ବର୍ଷ ଦାଦନ ଶ୍ରମିକ ଚାଲାଣ ଜମିବା ବେଳେ ଏଭଳି ଏକ ଘଟଣା ବଲାଙ୍ଗିର ଜିଲ୍ଲାରେ ଚହଳ ସୃଷ୍ଟି କରିଛି । ତେବେ ଏ ବର୍ଷ ଦାଦନ ଶ୍ରମିକ ଚାଲାଣ ପ୍ରତି ପ୍ରଶାସନ କଡ଼ାକଡ଼ି ପଦକ୍ଷେପ ଗ୍ରହଣ କରିବ କି ବୋଲି ବୁଦ୍ଧିଜୀବୀମାନଙ୍କ ମହଲରେ ଚର୍ଚ୍ଚା ହେଉଛି ।

Leave A Reply

Your email address will not be published.

error: Content is protected !!