ଇଷ୍ଟକୋଷ୍ଟ ରେଲୱେ ଶ୍ରମିକ ୟୁନିୟର ବାଜିମାତ୍‌

ବଲାଙ୍ଗିର, (ଦେବାଶିଷ ମିଶ୍ର) : କଲିକତା ଉଚ୍ଚ ନ୍ୟାୟାଳୟର ନିର୍ଦ୍ଦେଶ କ୍ରମେ ଭାରତୀୟ ରେଳ ବିଭାଗରେ କର୍ମଚାରୀମାନଙ୍କର ବ୍ୟାଙ୍କିଙ୍ଗ ସୁବିଧା ପାଇଁ ଉଦ୍ଦିଷ୍ଟ କର୍ମଚାରୀ ବ୍ୟାଙ୍କ ସମବାୟ ସମିତି (ଅର୍ବାନ ବ୍ୟାଙ୍କ)ର ସୁପରିଚାଳନା ପାଇଁ ଡେଲିଗେଟ୍‌ ଓ ଡାଇରେକ୍ଟର ନିର୍ବାଚନ ଗତ ୨୪.୦୭.୨୦୨୪ ଓ ତା.୨୫.୦୭.୨୦୨୪ ଦିନ ଅନୁଷ୍ଠିତ ହୋଇଯାଇଛି । ରେଳ ପ୍ରଶାସନ ସମସ୍ତ ପ୍ରକାରର ସାମ୍ବିଧାନିକ ବ୍ୟବସ୍ଥା ଭିତରେ ସମଗ୍ର ତିନୋଟି ଜୋନ ଯଥା ଇଷ୍ଟକୋଷ୍ଟ ରେଲୱେ, ଭୁବନେଶ୍ୱର, ସାଉଥ ଇଷ୍ଟର୍ଣ୍ଣ ରେଲୱେ କଳିକତା ଓ ସାଉତ ଇଷ୍ଟ ସେଣ୍ଟ୍ରାଲ ରେଲୱେ ବିଲାସପୁରରେ ନିର୍ବାଚନ ହୋଇଥିଲା । ନିର୍ବାଚନରେ ଅନେକ ଶ୍ରମିକ ସଂଗଠନର ପ୍ରାର୍ଥୀ ଭାଗ ନେଇଥିଲେ ମଧ୍ୟ ଏଆଇଆର୍‌ଏଫ୍‌ ଅଧିନସ୍ତ ଶ୍ରମିକ ୟୁନିୟନ ଓ ଏନ୍‌ଏଫ୍‌ଆଇଆର୍‌ ଅଧିନସ୍ତ ଶ୍ରମିକ କଂଗ୍ରେସ ମଧ୍ୟରେ ଲଢେଇ ଜୋରଦାର ହୋଇଥିଲା । ଗତ ୨୬.୦୭.୨୦୨୪ରେ ଭୋଟ ଗଣନା ଅନୁସାରେ ଶ୍ରମିକ ୟୁନିୟନର ପ୍ରାର୍ଥୀମାନେ ବହୁ ସଂଖ୍ୟାରେ କଂଗ୍ରେସ ଓ ଅନ୍ୟାନ୍ୟ ସଂଗଠନକୁ ପଛରେ ପକାଇ ବିଜୟଲାଭ କରିଛନ୍ତି ଓ ପରବର୍ତ୍ତି ବୋର୍ଡ ଅଫ୍‌ ଡାଇରେକ୍ଟର ଗଠନ କରିବା ପାଇଁ ପ୍ରସ୍ତୁତି ଚଳାଇଛନ୍ତି । ସମ୍ବଲପୁର ରେଳ ମଣ୍ଡଳର ବଲାଙ୍ଗିର କ୍ଷେତ୍ରରେ ପରିଚାଳନା ବିଭାଗରୁ (ହିରାକୁଦରୁ ସିକିର) ନିର୍ବାଚନ ମଣ୍ଡଳି ୧୧୩ରୁ ବଲାଙ୍ଗିର ଶ୍ରମିକ ୟୁନିୟନର ସଭାପତି କମ୍ରେଡ ମଧୁ ସାହୁ, ଶ୍ରମିକ କଂଗ୍ରେସ ପ୍ରାର୍ଥୀ ଓ ଓବିସି ୟୁନିୟନ୍‌ ପ୍ରାର୍ଥୀଙ୍କୁ ପଛରେ ପକାଇ ବାଜିମାତ କରିଛନ୍ତି । ଯାନ୍ତ୍ରିକ ବିଭାଗରେ କମ୍ରେଡ ହରିବନ୍ଧୁ ହାତି କଂଗ୍ରେସ ପ୍ରାର୍ଥୀଙ୍କୁ ପଛରେ ପକାଇ ବିଜୟଲାଭ କରିଛନ୍ତି । ସନ୍ଧ୍ୟାରେ ଶ୍ରମିକ ୟୁନିୟନ୍‌ର ସାଥୀମାନେ ବଲାଙ୍ଗିର ଷ୍ଟେସନ ଓ କଲୋନି ମଧ୍ୟରେ ବିଜୟ ଶୋଭାଯାତ୍ରା କରିବା ସହିତ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା । ସମ୍ବର୍ଦ୍ଧନା ସଭାରେ ବିଜୟୀ ପ୍ରାର୍ଥୀମାନଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ସଭାରେ କେନ୍ଦ୍ରୀୟ ପଦାଧିକାରୀ ବରିଷ୍ଠ ଶ୍ରମିକ ନେତା ଭୁପେଶ ମୁଣ୍ଡ ସମ୍ବଲପୁର, ଶ୍ରମିକ ନେତା ସନ୍ତୋଷ କୁମାର ମିଶ୍ର, ସଂପାଦକ ମହେଶ୍ୱର ନାଏକ, ହରିବନ୍ଧୁ ହାତି, କିଶୋର ବୋଇ ଓ ସୌମ୍ୟରଂଜନ ରଥ ଆଦି ସଂଗଠନର ଏକତା ଓ ସେବା ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଶେଷରେ କମ୍ରେଡ ମଧୁ ସାହୁ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।

Leave A Reply

Your email address will not be published.