om academy

ଉଚ୍ଚ ଶକ୍ତି ସଂପନ୍ନ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଶ୍ରମିକ ମୃତ

jsm

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରର ଜଣେ ଡାକ୍ତରଙ୍କ ଘରେ ଗଛ କାଟିବା ସମୟରେ ଉଚ୍ଚ ଶକ୍ତି ସଂପନ୍ନ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଶ୍ରମିକଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ବଲାଙ୍ଗିର ଡୁଙ୍ଗୁରିପଡ଼ାରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି । ସୂଚନା ଅନୁସାରେ ଏଠି ରହୁଥିବା ଡାକ୍ତର ଆର୍. ପି. ଶତପଥୀଙ୍କ ବାସଭବନରେ ଏକ ଗଛ କାଟିବା ପାଇଁ କାଲିଝରନ୍ ଗ୍ରାମର କୁମାର ହରପାଲ୍‌ ନାମକ ଜଣେ ଶ୍ରମିକ ନିୟୋଜିତ ହୋଇଥିଲେ । ତେବେ ଛାତ ଉପରୁ ଉଚ୍ଚ ଶକ୍ତି ସଂପନ୍ନ ବିଦ୍ୟୁତ୍ ତାର ଯାଇଥିବା ବେଳେ ବିନା ବିଦ୍ୟୁତ୍ ବିଭାଗର ଅନୁମତିରେ ଏଠି ଗଛ କଟା ଚାଲିଥିଲା । ଗଛ କାଟିବା ସମୟରେ ଉକ୍ତ ଶ୍ରମିକ କୁମାର ହରପାଲ୍ ସେହି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଯାଇଥିଲେ । ଏହାଫଳରେ ତାଙ୍କର ଘଟଣାସ୍ଥଳରେ ହିିଁ ଶୋଚନୀୟ ମୃତ୍ୟୁ ଘଟିଥିଲା । ସେପଟେ ଏହାର ଖବର ପାଇ ଟାଉନ ଥାନା ପୋଲିସ ଓ ମୃତକଙ୍କ ସମ୍ପର୍କୀୟ ଘଟଣାସ୍ଥଳରେ ପହଞ୍ଚିଥିଲେ । ମୃତକଙ୍କ ସମ୍ପର୍କୀୟ ଓ ସହଯୋଗୀ ଶ୍ରମିକମାନେ ସେଠି କ୍ଷତି ପୂରଣ ଓ ଉଚିତ୍‌ କାର୍ଯ୍ୟାନୁଷ୍ଠାନ ଦାବି କରି ଆନ୍ଦୋଳନ କରିଥିଲେ । ଏପରିକି ଶବକୁ ସଂପୃକ୍ତ ଡାକ୍ତରଙ୍କ ଘର ସମ୍ମୁଖରେ ରଖି ଧାରଣା ଦେଇଥିଲେ । ମୃତ କୁମାର ହର୍‌ପାଲ୍‌ଙ୍କ ପୁତୁରା ମୋହନ ହରପାଲ ଅଭିଯୋଗ ଆଣିଛନ୍ତି ଯେ, ବିନା ବିଦ୍ୟୁତ୍ ବିଭାଗର ଅନୁମତି କିମ୍ବା ବିଦ୍ୟୁତ୍ ବିଚ୍ଛିନ୍ନ କରି ଅତି ବିପଦ ସଙ୍କୁଳ ଭାବରେ ଗଛ କଟାରେ ତାଙ୍କ ବଡବାପାଙ୍କୁ ନିୟୋଜିତ କରାଯାଇଥିଲା । ପୁଣି ଏଭଳି ବର୍ଷା ସମୟରେ ତାଙ୍କୁ ନିୟୋଜିତ କରିବା ହେତୁ ତାଙ୍କର ମୃତ୍ୟୁ ହୋଇଛି । ବିଦ୍ୟୁତ୍ କରେଣ୍ଟ ଲାଗିଲା ପରେ ତାଙ୍କୁ ଡାକ୍ତରଖାନା ମଧ୍ୟ ନିଆଯାଇନାହିଁ । ତେଣୁ ଏବେ ତାଙ୍କ ପରିବାରବର୍ଗଙ୍କୁ କ୍ଷତି ପୂରଣ ଦିଆଯାଉ ବୋଲି ସେ ଦାବି କରିଛନ୍ତି । ସେହିପରି ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ସେମାନେ ଦାବି କରିଛନ୍ତି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ସେମାନଙ୍କ ସହ ଆଲୋଚନା କରି ଆଇନ ଅନୁସାରେ ପଦକ୍ଷେପ ନିଆଯିବ ବୋଲି ଆଶ୍ୱାସନା ଦେଇଥିବା ଜଣାପଡ଼ିଛି ।

Leave A Reply

Your email address will not be published.