- ପାଉଣା ଦାବୀରେ ଧାରଣା ଦେଲେ ମନହିରାର ମନରେଗା ଶ୍ରମିକ
- କରୋନା କାଳରେ ଶ୍ରମିକଙ୍କୁ ପାଉଣା ପ୍ରଦାନରେ ସରକାର ହେଉଛନ୍ତି ଫେଲ – ନରସିଂହ
ବଲାଙ୍ଗିର, (ଦେବାଶିଷ ମିଶ୍ର) : କରୋନା କାଳରେ ଶ୍ରମିକଙ୍କୁ ରୋଜଗାର ଯୋଗାଇ ଦେବା ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି କେନ୍ଦ୍ର ଓ ରାଜ୍ୟ ସରକାର । ଏହି ଯୋଜନା ମାଧ୍ୟମରେ କୋଟି କୋଟି ଶ୍ରମିକଙ୍କୁ ପାଉଣା ଯୋଗାଇ ଦେଉଥିବା ନେଇ ଡିମ୍ ଡିମ ପିଟୁଛନ୍ତି ଉଭୟ ସରକାର । କିନ୍ତୁ ମନରେଗା କାମ କରାଇ ବର୍ଷ ବର୍ଷ ଧରି ଶ୍ରମିକଙ୍କୁ ପାଉଣା ଦେଉନଥିବା ଅତି ଦୁଃଖର ବିଷୟ । ମନେରେଗା ଆଇନ କହୁଛି ଶ୍ରମିକ କାମ କରିବା ୧୫ ଦିନ ଭିତରେ ସରକାର ତାଙ୍କୁ ତାଙ୍କର ପାଉଣା ଦେବେ । କିନ୍ତୁ ଦୁଃଖର ବିଷୟ ଆଇନରେ ସ୍ପଷ୍ଟ ଉଲ୍ଲେଖ ଥିଲେ ମଧ୍ୟ ବର୍ଷ ବର୍ଷ ଧରି ସରକାର ପାଉଣା ଦେଉନାହାନ୍ତି ଏବଂ ପଚାରିଲେ ଅସହାୟତା ପ୍ରଦାନ କରୁଛନ୍ତି ବୋଲି ଆଜି ବଲାଙ୍ଗିର ବିଧାୟକ ତଥା ରାଜ୍ୟ ବିଧାନ ସଭାର କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ନିଜ ବିବୃତ୍ତିରେ କହିଛନ୍ତି । ଏଠାରେ ସୂଚନାଯୋଗ୍ୟ ଯେ, ବଲାଙ୍ଗିର ସଦର ବ୍ଲକ ସ୍ଥିତ ମନହୀରା ପଂଚାୟତର ଅନେକ ମନରେଗା ଶ୍ରମିକ ଦୀର୍ଘ ଦିନରୁ କାମ କରିଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ତାଙ୍କର ପାଉଣା ପାଇନାହାନ୍ତି । ଏଥିରୁ କିଛି ଶ୍ରମିକ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କାମ କରିଛନ୍ତି ଏବଂ କିଛି ମନରେଗା ଯୋଜନା ଅନ୍ତର୍ଗତ ଅନ୍ୟାନ୍ୟ ମାଟିକାମ କରିଛନ୍ତି । କିନ୍ତୁ ବାରମ୍ବାର ପଇସା ପାଇଁ ଧାଁ ଧପଡ କରିବା ପରେ ଆଜି ସ୍ଥାନୀୟ ବିଧାୟକ ନରସିଂହ ମିଶ୍ରଙ୍କ ଉପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଧାରଣାରେ ବସିଥିଲେ । ତାଙ୍କର ଅଭିଯୋଗ ଅନୁସାରେ କାମ ବହୁ ମାସରୁ ସରିଥିଲେ ସୁଦ୍ଧା ତାଙ୍କର ପ୍ରାପ୍ୟ ପାଇବାର ଅଧିକାରରୁ ତାଙ୍କୁ ବଂଚିତ କରାଯାଇଛି । ଆଜି ମଧ୍ୟ ସେମାନେ ତାଙ୍କର ଗୋଟିଏ ଶ୍ରମଦିବସକୁ ନଷ୍ଟ କରି ଭୋକ ଉପାସରେ ଗାଡି ଭଡା ଦେଇ ଜିଲ୍ଲାପାଳଙ୍କ ଅଫିସକୁ ଆସିଛନ୍ତି । ଏହାର ଭରଣା କିଏ କରିବ ବୋଲି ପ୍ରଶାସନ ଆଗରେ ପ୍ରଶ୍ନ ରଖିଥିଲେ । ଏହି ସମସ୍ୟାକୁ ନେଇ ଅତିରିକ୍ତ ଜିଲ୍ଲାପାଳ, ସଦରବ୍ଲକ ବିଡିଓ, ଏବିଡିଓଙ୍କ ସହ ଆଲୋଚନାରୁ କିଛି ଫଳ ନ ମିଳିବାରୁ ସେ ତତ୍କ୍ଷଣାତ୍ ପଂଚାୟତିରାଜ ବିଭାଗର ସଚିବ ଶ୍ରୀ ମୀନାଙ୍କ ସହ ଫୋନ ଯୋଗେ ଏହାର ସମାଧାନର ରାସ୍ତା ବାହାର କରିବା ପାଇଁ ଆଲୋଚନା କରିଥିଲେ କିନ୍ତୁ ଆଲୋଚନା ସମୟରେ ପଂଚାୟତ ବିଭାଗର ପ୍ରମୁଖ ସଚିବ ଅଶୋକ କୁମାର ମୀନା ମଧ୍ୟ ନିଜର ଅସହାୟତା ପ୍ରକାଶ କରିବା ସରକାରଙ୍କ ମିତ୍ୟା ଶ୍ରମିକ ପ୍ରୀତିର ପର୍ଦ୍ଦାଫାସ କରୁଛି । ଆଲୋଚନା ସମୟରେ ଏହା ମଧ୍ୟ ଜଣାଯାଇଥିଲା ଯେ, ମନରେଗା କାମକୁ ନେଇ ରାଜ୍ୟ ଓ କେନ୍ଦ୍ର ସରକାର ମନଇଚ୍ଛା ସମୟ ସମୟରେ ବେଆଇନ ଭାବରେ ବିଭିନ୍ନ ନିର୍ଦ୍ଦେଶ ଦେଉଛନ୍ତି । ଏହାକୁ ନେଇ ବିଧାୟକ ଶ୍ରୀ ମିଶ୍ର ସ୍ପଷ୍ଟ ଭାବରେ କହିଛନ୍ତି ଯେ ମନରେଗା ଯୋଜନା ଏକ ଆଇନରେ ବନ୍ଧା । କୋ÷÷ଣସି ବି ସରକାର ତାଙ୍କର ମନଇଚ୍ଛା ତାହାକୁ ଏପଟ ସେପଟ କରିପାରିବେ ନାହିଁ । ତେଣୁ ଆଇନ ଯାହା କହୁଛି ସେ ହିସାବରେ ଶ୍ରମିକମାନଙ୍କୁ ଶୀଘ୍ର କାମ ଦିଅ ନଚେତ ସରକାରମାନେ ଶ୍ରମିକଙ୍କୁ ଆନ୍ଦୋଳନର ସମ୍ନା କରିବେ । ଆନ୍ଦୋଳନରତ ଚାଷୀମାନେ ସେମାନଙ୍କ ପାଉଣାକୁ ନେଇ ପ୍ରଶାସନ ଆଗାମୀ ୭ଦିନ ଭିତରେ ଯଦି ପ୍ରଦାନ କରିନପରିବେ ତେବେ କାମ କରିଥିବା ଶ୍ରମିକମାନେ ସପରିବାର ଆସି ଜିଲ୍ଲାପାଳ ଅଫିସ ସାମନାରେ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି । ଏହି ସମସ୍ୟାର ସମାଧାନକୁ ନେଇ ଏଡିଏମ୍ ଅନନ୍ତ ନାରାୟଣ ସିଂଲାଗୁରୀ, ବଲାଙ୍ଗିର ବ୍ଲକ ବିଡିଓ, ଏବିଡିଓ କିଛି ଦିନର ମହଲତ ମାଗିବା ପରେ ଧାରଣାରତ ଶ୍ରମିକମାନେ ଧାରଣାରୁ ଉଠିଥିଲେ ।