jayashree

ବିଜୁ ପଟ୍ଟନାୟକ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି

  • ‘ବୀରତ୍ୱର ପ୍ରତୀକ ହେଉଛନ୍ତି ବିଜୁବାବୁ’

ବଲାଙ୍ଗିର, (କେପିଏନ୍‌ଏସ୍‌) : ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ୧୦୭ତମ ଜୟନ୍ତୀ ବଲାଙ୍ଗିର ଟାଉନ୍‌ ହଲ୍‌ଠାରେ ସମାଜସେବୀ ଅମନ ନାଗଙ୍କ ନେତୃତ୍ୱରେ ଆୟୋଜିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ସୂଚନା ଅଧିକାର କର୍ମୀ ହେମନ୍ତ କୁମାର ପଣ୍ଡା ଯୋଗଦାନ କରି ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ପଟ୍ଟନାୟକଙ୍କ ଛାତ୍ର ଜୀବନ, ରାଜନୈତିକ ଜୀବନ ଏବଂ ସାମାଜିକ ଜୀବନର ଉତ୍ତରଣ ବିଷୟରେ ସବିଶେଷ ଆଲୋଚନା କରିଥିଲେ । ଜଣେ ସ୍ୱାଧୀନତା ସଂଗ୍ରାମୀ, ବୀର ପୁରୁଷ ଭାବେ ସେ କିଭଳି କାଶ୍ମୀର ଘାଟିରେ ବିମାନ ଯୋଗେ ସୈନ୍ୟ ଅବତରଣ କରି ପ୍ରେରଣା ଯୋଗାଇଥିଲେ ତାହା ବର୍ଣ୍ଣନା କରିଥିଲେ । ଇଣ୍ଡୋନେସିଆରୁ ଡାକଟା ବିମାନ ଯୋଗେ ସେଠାକାର ନଜରବନ୍ଦୀ ଥିବା ଉପରାଷ୍ଟ୍ରପତି ଏବଂ ପ୍ରମୁଖ ନେତୃବୃନ୍ଦଙ୍କୁ ପ୍ରତିକୂଳ ପରିସ୍ଥିତିିରେ ଉଠାଇ ଆଣିଥିଲେ ତାହା କହିଥିଲେ । ଜଣେ ରାଷ୍ଟ୍ରଭକ୍ତ ଭାବେ ଅଦମ୍ୟ ସାହସ ଦେଖାଇବା ସହ ଜଣେ ଓଡିଆ ଭାବେ ସେ ସବୁବେଳେ ଅନ୍ୟମାନଙ୍କୁ ପ୍ରେରିତ କରିଆସିଛନ୍ତି । ଆଜିର ଖୋର୍ଦ୍ଧା-ବଲାଙ୍ଗିର ରେଳ ପ୍ରକଳ୍ପର ଅଗ୍ରଗତିରେ ତାଙ୍କର ଅବଦାନ ସବୁଠୁ ବେଶି ବୋଲି ସେ କହିଥିଲେ । ବିଜୁବାବୁ ସବୁ ପିଢ଼ିର ଲୋକଙ୍କ ପାଇଁ ପ୍ରେରଣାର ଜ୍ୱଳନ୍ତ ମଶାଲ ହୋଇରହିଛନ୍ତି ବୋଲି କହିଥିଲେ । ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିବା ସାମ୍ବାଦିକ ବୀରେନ୍ଦ୍ର କୁମାର ଝାଙ୍କର ପଞ୍ଚାୟତିରାଜ ବ୍ୟବସ୍ଥା ଏବଂ ମହିଳା ସଶକ୍ତିକରଣ ଦିଗରେ ବିଜୁ ପଟ୍ଟନାୟକଙ୍କ ଅବଦାନ ବିଷୟରେ କହିଥିଲେ । ସଭାପତୀୟ ଅଭିଭାଷଣରେ ବିଶିଷ୍ଠ ସଙ୍ଗଠକ ନାଗ ବିଜୁ ଆଦର୍ଶ ତାଙ୍କୁ କିଭଳି ଛାତ୍ର ଜୀବନରୁ ଅନୁପ୍ରାଣିତ କରିଛି ଏବଂ ସମାଜସେବା କ୍ଷେତ୍ରରେ ସେ କିଭଳି ବିଜୁପଥିକ ସାଜିଛନ୍ତି ତାହା କହିଥିଲେ । ସଭାରେ ଅଜିତ ନାଗ ମଞ୍ଚାସୀନ ଥିଲେ ଏବଂ ସଭାକୁ ଆଡଭୋକେଟ ଅଶୋକ କୁମାର ରାଉତ ସଂଯୋଜନା କରିଥିଲେ । ଏସ୍‌ଏଚ୍‌ଜି ମହିଳାମାନେ ମଞ୍ଚ ଉପରକୁ ଯାଇ ବିଜୁ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ଏହି ଅବସରରେ ବଲାଙ୍ଗିର ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରୁ ଆସିଥିବା ଶତାଧିକ ମହିଳା ଏବଂ ପୁରୁଷଙ୍କୁ ସମାଜସେବୀ ଶ୍ରୀ ନାଗଙ୍କ ପକ୍ଷରୁୁ ଶାଢ଼ୀ, ଛତା ଏବଂ ଗାମୁଛା ବଣ୍ଟନ କରାଯାଇଥିଲା । ବିଜୁ ଜୟନ୍ତୀ ଅବସରରେ ପ୍ରଖ୍ୟାତ କଣ୍ଠଶିଳ୍ପୀ ବୁବୁ ଉଦ୍‌ଗାତାଙ୍କ ଟିମ୍‌ ସଙ୍ଗୀତ ପରିବେଷଣ କରି ଜନ୍ମଦିନ ସଭାକୁ ସଙ୍ଗୀତମୟ କରିଥିଲେ । ବିଜ ପଟ୍ଟନାୟକଙ୍କ ଜନ୍ମଦିନ ଉପଲକ୍ଷେ ଏକ କେକ୍‌ କଟାଯାଇ ବଣ୍ଟନ କରାଯାଇଥିଲା ।

ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ଉପଲକ୍ଷେ ଗତକାଲି ପୂର୍ବାହ୍ନରେ ବଲାଙ୍ଗିର ସହର ସ୍ଥିତ ଶିଶୁ ଉଦ୍ୟାନ ପରିସରସ୍ଥ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ଜିଲ୍ଲା ପ୍ରଶାସନ ପକ୍ଷରୁ ମାଲ୍ୟାର୍ପଣ କରାଯାଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା । ଜିଲାପାଲ୍ଲା ଚଞ୍ଚଳ ରାଣା, ଅତିରିକ୍ତ ଜିଲ୍ଲାପାଳ ଲମ୍ବୋଦର ଧରୁଆ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ସୁଶାନ୍ତ କୁମାର ସିଂ, ବଲାଙ୍ଗିର ଉପଜିଲ୍ଲାପାଳ କୁମାର ନାଗଭୂଷଣ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଜୟଦେବ ପାଣିଗ୍ରାହୀ, ପୌର ପରିଷଦ ନିର୍ବାହୀ ଅଧିକାରୀ ସାମି ରେଡ୍ଡୀ ଜୟଶ୍ରୀ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ବିଜେଡି ପକ୍ଷରୁ ପୌରାଧ୍ୟକ୍ଷା ଲିକା ସାହୁ, ବିଭିନ୍ନ କାଉନସିଲର, ଜିଲ୍ଲା ବିଜେଡି କାର୍ଯ୍ୟକାରୀ ସଭାପତି ଅଶୋକ କୁମାର ମହାନ୍ତି, ଆଡଭୋକେଟ ଓଙ୍କାର ନାୟକ, ଜୟରାମ ମିଶ୍ର, ଧ୍ରୁବ ଜୁଏଡ, ଟିମା ମହାନ୍ତି ଓ ଅନ୍ୟମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.