ରାଜ୍ୟସ୍ତରୀୟ ଫରେଷ୍ଟ ସ୍ପୋର୍ଟସ୍ ମିଟରେ ଲିଜି ମହାପାତ୍ରଙ୍କୁ ସ୍ୱର୍ଣ୍ଣ ଏବଂ ରୌପ୍ୟ ପଦକ ହାସଲ

ବରଗଡ, (ନିରୋଜ କୁମାର ପାଣୀ) : ଅନୁଗୁଲ ସ୍ଥିତ ଓଡିଶା ବନରାଜିକ ମହା ବିଦ୍ୟାଳୟର ଗ୍ରାଉଣ୍ଡରେ ୨ ଦିନ ଧରି ଚାଲିଥିବା ରାଜ୍ୟସ୍ତରୀୟ ଫରେଷ୍ଟ ସ୍ପୋର୍ଟସ୍ ମିଟର ଡିସକସ୍ – ଥ୍ରୋ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରି ସ୍ଵର୍ଣ୍ଣପଦକ ଏବଂ ହାମର୍ – ଥ୍ରୋ ପ୍ରତିଯୋଗିତାରେ ଦ୍ୱିତୀୟ ସ୍ଥାନ ଅଧିକାର କରି ରୌପ୍ୟ ପଦକ ହାସଲ କରିଛନ୍ତି ବରଗଡ ଜିଲ୍ଲା ଗାଇସିଲେଟ ବ୍ଲକ ଅନ୍ତର୍ଗତ ଗୁଦେରପାଲି ଗାଁର ଦେବତା ପରିବାରର ବହୂ ତଥା ସାମ୍ବାଦିକ ରିଙ୍କୁ ଦେବତାଙ୍କ ସ୍ତ୍ରୀ ବନରକ୍ଷୀ ଲିଜି ମହାପାତ୍ର । ବର୍ତ୍ତମାନ ଶ୍ରୀମତୀ ମହାପାତ୍ର ପଦ୍ମପୁର ବନାଞ୍ଚଲରେ କାର୍ଯ୍ୟରତ ଅଛନ୍ତି । ଏହି କ୍ରୀଡା ପ୍ରତିଯୋଗିତାରେ ରାଜ୍ୟର ମୋଟ ୧୨୩ ଟି ବନଖଣ୍ଡ ଓ ଜଙ୍ଗଲ ପ୍ରତିଷ୍ଠାନର ୩୭୭ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । ପ୍ରତିଯୋଗିମାନଙ୍କ ମଧ୍ୟରେ ୨୬୨ ଜଣ ପୁରୁଷ ଓ ୧୧୫ ଜଣ ମହିଳା ଖେଳାଳି ରହିଥିଲେ । ଖେଳାଳିମାନଙ୍କ ମଧ୍ୟରେ ଯୋରଦାର ଟକର୍ ହୋଇଥିଲା । ଶ୍ରୀମତୀ ମହାପାତ୍ର ବିଗତ ଦିନରେ ସମ୍ବଲପୁରର ଭିଏସଏସ ଷ୍ଟାଡିୟମରେ ହୋଇଥିବା ଜୋନାଲ ଫରେଷ୍ଟ ସ୍ପୋର୍ଟସ ଡିସକସ୍ – ଥ୍ରୋ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରି ଜୋନାଲରୁ ରାଜ୍ୟସ୍ତରୀୟ କ୍ରୀଡା ପ୍ରତିଯୋଗିତାକୁ ମନୋନିତ ହୋଇଥିଲେ । ତାଙ୍କ ଏହି କୃତିତ୍ୱ ପାଇଁ ବରଗଡ ଡିଏଫଓ ବିକ୍ରମଦେବ ପଟ୍ଟନାୟକଙ୍କ ସହ ସମସ୍ତ ଅଧିକାରୀ ଏବଂ କର୍ମଚାରୀ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

Leave A Reply

Your email address will not be published.