jayashree

ଟାଙ୍ଗଣାପଲ୍ଲୀ ହାଇସ୍କୁଲର ବାର୍ଷିକ କ୍ରୀଡା ଉତ୍ସବ ଉଦ୍‌ଘାଟନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଳକ ଅନ୍ତର୍ଗତ ଟାଙ୍ଗଣାପଲ୍ଲୀ ଶ୍ରୀ ନୀଳକଣ୍ଠେଶ୍ୱର ନୋଡାଲ ବିଦ୍ୟାପୀଠର ବାର୍ଷିକ କ୍ରୀଡା ଉତ୍ସବ ପ୍ରଧାନ ଶିକ୍ଷକ ବିଷ୍ଣୁ ପ୍ରସାଦ ତ୍ରିପାଠୀ ଅଧ୍ୟକ୍ଷତାରେ ଉଦ୍‌ଘାଟିତ ହୋଇଯାଇଛି । ଏହି ଉତ୍ସବରେ ବିଦ୍ୟାଳୟର ପ୍ରାକ୍ତନ ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ସେବା ନିବୃତ୍ତ ପ୍ରଧାନ ଶିକ୍ଷକ କାମରାଜୁ ମହାରଣା ମୁଖ୍ୟ ଅତିଥି ରୂପେ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ ସହ ଉତ୍ସବ ଉଦ୍‌ଘାଟନ କରିଥିଲେ । ଶାରିରୀକ ଓ ମାନସିକ ସୁସ୍ଥତା ପାଇଁ ଖେଳ କସରତ ଉପରେ ଧ୍ୟାନ ଦେବା ପାଇଁ ଏବଂ ନିଜ ଶରୀରକୁ ସୁସ୍ଥ ରଖିଲେ ଅନ୍ୟର ସେବା କରିହେବ ବୋଲି ସେ ପରାମର୍ଶ ଦେଇଥିଲେ । ସମ୍ମାନିତ ଅତିଥି ରୂପେ ଟାଙ୍ଗଣା ପଲ୍ଲୀ ସରପଞ୍ଚ ବି. ସୁଦାମ ଯୋଗଦେଇ ବିଦ୍ୟାଳୟରେ ତାଙ୍କର ଛାତ୍ର ଅବସ୍ଥାର ସ୍ମୃତି ଚାରଣ କରି ବିଦ୍ୟାର୍ଥୀମାନେ ଖେଳ କସରତରେ ମନୋନିଯୋଗ କରିବା ପାଇଁ ପରାମର୍ଶ ଦେଇଥିଲେ । ଗଂଜାମ ଜିଲ୍ଲା ଶାରିରୀକ ଶିକ୍ଷା ପରିଦର୍ଶକ ଭାଗରଥି ସ୍ୱାଇଁ ମୁଖ୍ୟ ବକ୍ତା ରୂପେ ଯୋଗଦେଇ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ଓ ଇଛାଶକ୍ତି ଦ୍ୱାରା ଜଣେ ନିଜର ପାରଦର୍ଶିତା ପ୍ରମାଣ କରିପାରେ ବୋଲି ପ୍ରକାଶ କରିଥିଲେ । ସମିତି ସଭ୍ୟ ପ୍ରତିନିଧି ଅମରେଶ୍ୱର ସାହୁ ମଧ୍ୟ ସମ୍ମାନିତ ଅତିଥି ରୂପେ ଯୋଗଦେଇ ଥିଲେ । ଖେଳ ଶିକ୍ଷକ ନନ୍ଦିନୀ ସେଠୀ ପ୍ରାରମ୍ଭିକ ସୂଚନା ଏବଂ ଏନ.ସି.ସି.ର ଫାଷ୍ଟ ଅଫିସର ସୁଧାକର ବଳୀ ଅତିଥି ପରିଚୟ ପ୍ରଦାନ କରିଥିଲେ । ବରିଷ୍ଠ ଶିକ୍ଷକ ଅଭିରାମ ସାହୁ, ବିଷ୍ଣୁପ୍ରିୟା ପାଢୀ, ସ୍ନେହାଶୀଷ ମହାନ୍ତି, ଯୁଧିଷ୍ଠିର ବେହେରା, ଯମୁନା ରେଡ୍ଡୀ, ଭାଗୀରଥି ମିଶ୍ର, ଉଷାରାଣୀ ମିଶ୍ର, ପର୍ଶୁରାମ ପାତ୍ର ପ୍ରମୁଖ ଉତ୍ସବ ପରିଚାଳନାରେ ସହଯୋଗ କରିଥିଲେ । ଛାତ୍ରୀମାନଙ୍କ ଦ୍ୱାରା ପ୍ରାରମ୍ଭିକ ସଙ୍ଗୀତ ପରିବେଷଣ କରିଥିଲେ ।

Leave A Reply

Your email address will not be published.