ବଲାଙ୍ଗିର, (କେପିଏନ୍ଏସ୍) : ସ୍ପେସିଆଲ୍ ସମରି ରିଭିଜନ୍-୨୦୨୪ ଆଧାରରେ ବଲାଙ୍ଗିର ଜିଲ୍ଲା ପ୍ରଶାସନ ପକ୍ଷରୁ ପଥ ଉତ୍ସବ ଓ ୱାକାଥନ ଆୟୋଜିତ ହୋଇଯାଇଛି । ଏହି ଅବସରରେ ଆଜି ସକାଳୁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରୁ ଆରମ୍ଭ ହୋଇଥିବା ୱାକାଥନ୍ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ପହଂଚିଥିଲା । ଏହାକୁ ପତାକା ଦେଖାଇ ଆରମ୍ଭ କରିଥିଲେ ବଲାଙ୍ଗିର ଅତିରିକ୍ତ ଜିଲ୍ଲାପାଳ ଲମ୍ବୋଦର ଧରୁଆ । ଏଥିରେ ଶତାଧିକ ସଂଖ୍ୟାରେ ବଲାଙ୍ଗିର ସହରର ଜନସାଧାରଣ ଓ ବୁଦ୍ଧିଜୀବୀ ସାମିଲ୍ ଥିବା ଦେଖିବାକୁ ମିଳିଛି । ଏହି କ୍ରମରେ ବଲାଙ୍ଗିର ଚିଲ୍ଡ୍ରେନ୍ ପାର୍କ ଓ ଭାଗିରଥୀ ଛକରେ ପଥ ଉତ୍ସବର ଆୟୋଜନ କରାଯାଇଥିବା ଦେଖିବାକୁ ମିଳିଛି । ଗତକାଲି ଚିଠା ଭୋଟର ତାଲିକା ପ୍ରକାଶିତ ହୋଇଥିବା ବେଳେ ଆଜି ସ୍ପେସିଆଲ୍ ସମରି ରିଭିଜନ୍-୨୦୨୪ ଆରମ୍ଭ ହୋଇଯାଇଛି । ତେବେ ଚିଠା ଭୋଟର୍ ତାଲିକାରେ ଯେଉଁମାନେ ସାମିଲ୍ ହୋଇଛନ୍ତି ସେମାନଙ୍କର ଯଦି କୌଣସି ତ୍ରୁଟି ବିଚ୍ୟୁତି ଅଛି, ତେବେ ସେମାନେ ତାର ସଂଶୋଧନ କରାଇପାରିବେ । ଏଥିପାଇଁ ୨୭ ଅକ୍ଟୋବରରୁ ଡିସେମ୍ବର ୯ ତାରିଖ ପର୍ଯ୍ୟନ୍ତ ସ୍ୱତନ୍ତ୍ର ଅଭିଯାନ ଜାରି ରହିବ ବୋଲି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଧରୁଆ କହିଛନ୍ତି ।