ଲଜ୍ଜା : ସଦାଇପାଲି ରାସ୍ତା କଡ଼ରେ ଏବେ ବି ଲୋକେ କରୁଛନ୍ତି ମଳ ତ୍ୟାଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବିଶ୍ୱ ଶୌଚାଳୟ ଦିବସ । ଏହି ଦିବସ ପାଳନର ଅନେକ ଯଥାର୍ଥତା ରହିଥିବା ବେଳେ ବାହ୍ୟ ମଳତ୍ୟାଗ ବର୍ଜନ କରି ଶୌଚାଳୟ ବ୍ୟବହାର ପ୍ରତି ଲୋକଙ୍କ ମଧ୍ୟରେ ସଚେତନତା ବୃଦ୍ଧି ମଧ୍ୟ ଏହି ଦିବସ ପାଳନର ବିଶେଷ ଉଦ୍ଦେଶ୍ୟ । ତେବେ ବଲାଙ୍ଗିର ସହରର ଉପକଣ୍ଠରେ ଅବସ୍ଥିତ ସଦାଇପାଲିରେ ପ୍ରତ୍ୟହ ଦେଖିବାକୁ ମିଳୁଛି ଲଜ୍ଜାଜନକ ଦୃଶ୍ୟ । ସ୍ଥାନୀୟ ଶାନ୍ତିପଡ଼ା ପଟରୁ ସଦାଇପାଲିକୁ ଯିବା ସମୟରେ ସଦାଇପାଲିକୁ ପଶିବା ପୂର୍ବରୁ ମୁଖ୍ୟରାସ୍ତା କଡ଼ରେ ଭୋର୍‌ ସକାଳୁ ଓ ସଂଧ୍ୟା ବେଳେ ମହିଳା ଓ ପୁରୁଷମାନେ ମଳତ୍ୟାଗ କରୁଥିବା ଦୃଶ୍ୟ ଏବେ ବି ଦେଖିବାକୁ ମିଳୁଛି । ଯିଏ ବି ଏଇ ରାସ୍ତା ଦେଇ ଯିବା ଆସିବା କରୁଛନ୍ତି, ସେମାନେ ନିଶ୍ଚୟ ଅନୁଭବ କରିଥିବେ ଏହି ସ୍ଥାନର ନାକଫଟା ଅସ୍ୱାସ୍ଥ୍ୟକର ଦୁର୍ଗନ୍ଧ ।

ଏଠାରେ ସୂଚନାଯୋଗ୍ୟ ଯେ, ସଦାଇପାଲି ଆମ ରାଜ୍ୟରେ ବିଶେଷ ସୁନାମ ଅର୍ଜନ କରିଛି । ସଦାଇପାଲିର ଅନେକ ବାସିନ୍ଦା ସାହିତ୍ୟ ସଂସ୍କୃତି ଦିଗରେ ଯେଭଳି ସୁନାମ ଅର୍ଜନ କରିଛନ୍ତି, ସେଭଳି ଜାତୀୟ ସ୍ତରରେ ଉଚ୍ଚ ପଦବୀ ହାସଲ୍‌ କରିବାରେ ମଧ୍ୟ ସଫଳ ହୋଇଛନ୍ତି । ସଦାଇପାଲି ସ୍ଥିତ ବୈଷୟିକ ଶିକ୍ଷାନୁଷ୍ଠାନ ସାରା ଭାରତରେ ନିଜର ସ୍ଥିତି ଜାହିର୍‌ କରିବାରେ ସଫଳ ହୋଇଛି । କିନ୍ତୁ ଦୁଃଖର ବିଷୟ ଯେ, ଏବେ ବି ମୁଖ୍ୟ ରାସ୍ତା କଡ଼ରେ ବାହ୍ୟ ମଳ ତ୍ୟାଗ ଭଳି ଲଜ୍ଜାଜନକ ଦୃଶ୍ୟ ଏଠାରେ ଦେଖିବାକୁ ମିଳୁଛି ।

ସରକାରଙ୍କ ପକ୍ଷରୁ ସମସ୍ତ ପରିବାରରେ ଶୌଚାଳୟ ନିର୍ମାଣ ପାଇଁ ବିଶେଷ ପଦକ୍ଷେପ ନିଆଯାଇଥିବା ସତ୍ୱେ ଏଠାରେ ଏହି ଯୋଜନା ବାଟବଣା ଭଳି ମନେହୁଏ । ଅନ୍ୟପକ୍ଷରେ ବାହ୍ୟ ମଳ ତ୍ୟାଗ ପାଇଁ ସରକାରଙ୍କ ପକ୍ଷରୁ ଜୋରିମାନାର ବ୍ୟବସ୍ଥା ମଧ୍ୟ କରାଯାଇଛି । କିନ୍ତୁ ଏଇଠି ଏସବୁ କିଛି କାମରେ ଆସୁନାହିଁ । ଏଠାରେ ସଚେତନତାର ଅଭାବ, ନା’ ନିଜ ଘରେ ଶୌଚାଳୟ ନିର୍ମାଣର ସୁବିଧା ଲୋକେ ପାଇନାହାନ୍ତି, ତାହା ଅନୁସଂଧାନ ସାପେକ୍ଷ । ତୁରନ୍ତ ଏଦିଗରେ ପ୍ରଶାସନ ପଦକ୍ଷେପ ନେବା ଅତ୍ୟନ୍ତ ଆବଶ୍ୟକ ବୋଲି ବୁଦ୍ଧିଜୀବୀମାନେ ମତବ୍ୟକ୍ତ କରନ୍ତି ।

Leave A Reply

Your email address will not be published.