- ଆଭ୍ୟନ୍ତରୀଣ ଅଭିଯୋଗ କମିଟି ଗଠିତ
ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟରେ ବାଲେଶ୍ଵର ଫକୀର ମୋହନ ବିଶ୍ୱବିଦ୍ୟାଳୟର ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ଅକାଳ ବିୟୋଗରେ ଏକ ଶୋକସଭା ଅନୁଷ୍ଠିତ ସହ ଆଭ୍ୟନ୍ତରୀଣ ଅଭିଯୋଗ କମିଟି ତଥା ନାରୀ ନିର୍ଯ୍ୟାତନା ସୁରକ୍ଷା କମିଟି ଗଠିତ ହୋଇଯାଇଛି । ସୌମ୍ୟାଶ୍ରୀଙ୍କ ଦେହାନ୍ତ ପରେ ଆଜି ସାରା ରାଜ୍ୟ ମର୍ମାହତ ଏହି ଅବସରରେ ମଙ୍ଗଳବାର ମହାବିଦ୍ୟାଳୟ ପରିସରରେ ସମସ୍ତ ଛାତ୍ରଛାତ୍ରୀ, ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀମାନଙ୍କୁ ନେଇ ସ୍ୱର୍ଗତ ଛାତ୍ରୀ ସୌମ୍ୟାଶ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଶୋକସଭା ଆୟୋଜନ କରାଯାଇଥିଲା । ଶୋକସଭାରେ ଦୁଇ ମିନିଟ ନୀରବ ପ୍ରାର୍ଥନା ପରେ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରି ଏକ ସଚେତନତା ସଭା ଆୟୋଜନ କରାଯାଇଥିଲା । ଭବିଷ୍ୟତରେ କୌଣସି ପରିସ୍ଥିତିରେ ବି ଏଭଳି ଘଟଣା ନିଜ ତଥା ଅନ୍ୟ ଶିକ୍ଷାନୁଷ୍ଠାନଗୁଡ଼ିକରେ ନ ଘଟୁ ବୋଲି ସମସ୍ତେ ମତବ୍ୟକ୍ତ କରିଥିଲେ । ଅଧ୍ୟକ୍ଷ ସରୋଜ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଏକ ଆଭ୍ୟନ୍ତରୀଣ ଅଭିଯୋଗ କମିଟି (ନାରୀ ନିର୍ଯ୍ୟାତନା ସୁରକ୍ଷା କମିଟି) ଗଠନ କରାଯାଇଥିଲା । ଏହି କମିଟିରେ ଅଧ୍ୟାପିକା ଶୈଳିକା ନାଏକ, ଅଧ୍ୟାପିକା ସରିତା ରଣା, କିରାଣୀ ସୁନୀତା ବଘାର ଓ ଚତୁର୍ଥ ଶ୍ରେଣୀ କର୍ମଚାରୀ ପଙ୍କଜିନି ମିଶ୍ର କମିଟିରେ ସଦସ୍ୟ ଅଛନ୍ତି । ଯଦି କେବେ କୌଣସି ଛାତ୍ରୀ ଶାରୀରିକ କି ମାନସିକ ତଥା ଯୌନ ନିର୍ଯ୍ୟାତନାର ଶିକାର ହୁଅନ୍ତି ତାହେଲେ ପ୍ରଥମେ ଏହି କମିଟି ନିକଟରେ ନିଜର ଆପତ୍ତି ଅଭିଯୋଗ ଦାଖଲ କରିପାରିବେ । ମହାବିଦ୍ୟାଳୟ ଅଧ୍ୟକ୍ଷ ସରୋଜ କୁମାର ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଶୋକସଭା ତଥା ସଚେତନତା ସଭାରେ ବରିଷ୍ଠ ଅଧ୍ୟାପକ ଦିଲ୍ଲୀପ ପଶାୟତ, ଭ୍ରୀଙ୍ଗରାଜ ରଣା, ଫାଲଗୁନି ଦାସ, ପ୍ରେମଚାନ୍ଦ ତାଣ୍ଡି, ବାବୁଲା ନାୟକ, ଶରତ ଚନ୍ଦ୍ର ପଧାନଙ୍କ ସହ ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ, ଛାତ୍ରଛାତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ ।
