ବ୍ରହ୍ମପୁର, (କେପିଏନ୍ଏସ୍) : ବର୍ଷିଆନ ସମାଜସେବୀ, ଗାନ୍ଧୀବାଦୀ ଏସ.ଏନ୍. ସୁବାରାଓଙ୍କ ବିୟୋଗରେ ସ୍ଥାନୀୟ ନବୀନ କାର୍ଯ୍ୟାଳୟଠାରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ନବୀନର ସମ୍ପାଦକ ରବି ରଥଙ୍କ ଆବାହକତ୍ୱରେ ଅନୁଷ୍ଠିତ ଶୋକସଭାରେ ବରିଷ୍ଠ ଭେଷଜ ବିଶେଷଜ୍ଞ ତଥା ସମାଜସେବୀ ପ୍ରଫେସର ଡ଼ା. ପି.ସି. ସାହୁ, ବୈଜ୍ଞାନିକ ଡ଼ମ୍ବରୁଧର ସାହୁ, ପ୍ରଫେସର ମନ୍ମଥ ପାଢ଼ୀ, ଲୋକ ସେବକ ମଣ୍ଡଳ ଆଜୀବନ ସଦସ୍ୟ ରାଜେନ୍ଦ୍ର କୁମାର ଜେନା, ଶିକ୍ଷାବିତ କୃଷ୍ଣଚନ୍ଦ୍ର ତ୍ରିପାଠୀ, ସମାଜସେବୀ ଏସ. ପ୍ରକାଶ ଚନ୍ଦ୍ର ପାତ୍ର, ରାମକୃଷ୍ଣ ପାତ୍ର, କପିଳ ଚନ୍ଦ୍ର ମହାନ୍ତି, ସୁଶାନ୍ତ କର, ମାନସ ରଞ୍ଜନ ତ୍ରିପାଠୀ, ରଞ୍ଜନ କୁମାର ସାହୁ, ମଞ୍ଜୁ ରଥ, ପବିତ୍ର କୁମାର ଚୌଧୁରୀ, ରାଜ କୁମାର ରଥ ପ୍ରମୁଖ ଯୋଗଦେଇ ସୁବାରାଓଙ୍କ କର୍ମମୟ ଜୀବନର ବିଭିନ୍ନ ଦିଗ ସମ୍ପର୍କରେ ଆଲୋକପାତ କରିଥିଲେ । ସୁବାରାଓ ଚମ୍ବଲ ଉପତ୍ୟକାକୁ ଦସ୍ୟୁମାନଙ୍କ କବଳରୁ ମୁକ୍ତ କରିବା ଏବଂ ବିଶ୍ୱରେ ଶାନ୍ତି ସଦଭାବନା ପାଇଁ ତାଙ୍କର ଅହରହ ଉଦ୍ୟମ ଚିର ସ୍ମରଣୀୟ ହୋଇ ରହିବ ବୋଲି ଏଥିରେ ମତ ପ୍ରକାଶ ପାଇଥିଲା । ସଭାପତି ଶ୍ରୀ ରଥ ତାଙ୍କ ଭାଷଣରେ ସୁବାରାଓଙ୍କୁ ମହାତ୍ମା ଗାନ୍ଧୀଙ୍କ ଦ୍ୱିତୀୟ ଅବତାର ବୋଲି ବର୍ଣ୍ଣନା କରି ବାବ୍ରି ମସଜିଦ୍ ଭଙ୍ଗ ଘଟଣା ଓ ଫୁଲବାଣୀରେ ସାମ୍ପ୍ରଦାୟିକ ଦଙ୍ଗା ପରବର୍ତ୍ତୀ ସମୟରେ ଦେଶରେ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ସୃଷ୍ଟି କରିବାରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ବୋଲି କହିଥିଲେ । ଏହି ଅବସରରେ ଅମର ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା ।