ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଲାଠୋର ଥାନା ଅନ୍ତର୍ଗତ ଫୁଲଝର ଗ୍ରାମରେ ଏକ ହୃଦୟବିଦାରକ ଘଟଣା ଘଟିଛି । ସ୍ୱର୍ଗତ ହୃଦାନନ୍ଦ ପୁଟେଲଙ୍କ ସାନ ଝିଅ ଅନୁପମା ପୁଟେଲ (୨୩) ଶନିବାର ସନ୍ଧ୍ୟାବେଳେ ଘର ଛାତ ଉପରକୁ କିଛି କାମରେ ଯାଇଥିଲେ । ଛାତରୁ ତଳକୁ ପାହାଚ ଓହ୍ଲାଇବା ବେଳେ ଅସାବଧାନତାବଶତଃ ଗୋଡ଼ ଖସିଯାଇ ସେ ତଳେ ପଡ଼ିଯାଇଥିଲେ । ଘଟଣାସ୍ଥଳରେ ଗୁରୁତର ଆହତ ହେବା ସହ ମୁଣ୍ଡରୁ ଅତ୍ୟଧିକ ରକ୍ତସ୍ରାବ ହୋଇଥିବା ଦେଖି ପରିବାରଲୋକେ ତୁରନ୍ତ ତାଙ୍କୁ ଖପ୍ରାଖୋଲ ଡାକ୍ତରଖାନାକୁ ନେଇଥିଲେ । କିନ୍ତୁ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ । ମୁଣ୍ଡର ଗୁରୁତର ଆଘାତ ଏବଂ ଅତ୍ୟଧିକ ରକ୍ତସ୍ରାବ ହିଁ ମୃତ୍ୟୁର ପ୍ରମୁଖ କାରଣ ବୋଲି ତାଙ୍କ ବଡ଼ ଭାଇ ସୂଚନା ଦେଇଛନ୍ତି । ଏହି ଦୁଃଖଦ ଘଟଣାକୁ ନେଇ ଲାଠୋର ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି । ଘଟଣାର ଅଧିକ ତଦନ୍ତ ଚାଲିଥିବା ବେଳେ ଲାଠୋର ଥାନାଧିକାରୀ ଅଭିନାଶ ପଧାନ ଏହି ସୂଚନା ଦେଇଛନ୍ତି । ଉଲ୍ଲେଖନୀୟ, ଅନୁପମାଙ୍କ ବାପାଙ୍କ ଦେହାନ୍ତ ପୂର୍ବରୁ ହୋଇଥିଲା । ବର୍ତ୍ତମାନ ପରିବାରରେ ତାଙ୍କ ମା’, ଦୁଇ ଭାଇ ଓ ସେ ରହୁଥିଲେ । ଘରର ଗେଲ୍ହା ଝିଅର ଏପରି ଆକସ୍ମିକ ମୃତ୍ୟୁରେ ପରିବାର ଉପରେ ଶୋକର ପାହାଡ଼ ଭାଙ୍ଗିପଡ଼ିଛି । ଦୁଇ ଭାଇ ଓ ମା’ ଏହି ଅପୂରଣୀୟ କ୍ଷତିକୁ ନେଇ ଭାଙ୍ଗିପଡ଼ିଥିବା ବେଳେ ସମଗ୍ର ଗ୍ରାମରେ ଶୋକର ଛାୟା ଖେଳିଯାଇଛି ।