centurian jitm

ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦେବେନ୍ଦ୍ର ପ୍ରଧାନଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି

ନୂଆଦିଲ୍ଲୀ, (ପିଆଇବି) : ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦେବେନ୍ଦ୍ର ପ୍ରଧାନଙ୍କ ବିୟୋଗରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ବ୍ୟକ୍ତ କରିଛନ୍ତି । ରାଷ୍ଟ୍ରପତି ତାଙ୍କର ଶୋକବାର୍ତ୍ତାରେ କହିଛନ୍ତି, ‘‘ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ବରିଷ୍ଠ ରାଜନେତା ଦେବେନ୍ଦ୍ର ପ୍ରଧାନଙ୍କ ବିୟୋଗରେ ଦୁଃଖିତ । ଅନେକ ବର୍ଷ ଧରି ତାଙ୍କୁ ଜାଣିଥିବାରୁ, ଜନସେବା ପ୍ରତି ତାଙ୍କର ସମର୍ପଣ, ଓଡ଼ିଶା ତଥା ଦେଶର ବିକାଶରେ ତାଙ୍କର ଅବଦାନ, ଦୀର୍ଘ ସମୟ ଧରି ସେ ଜନସେବାରେ ରହିବାର ସାକ୍ଷୀ ହେବାର ସୁଯୋଗ ମୋତେ ମିଳିଥିଲା । ତାଙ୍କ ସୁପୁତ୍ର ତଥା କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପରିବାରର ଅନ୍ୟ ସଦସ୍ୟ ଏବଂ ପ୍ରଶଂସକମାନଙ୍କୁ ହୃଦୟରୁ ସମବେଦନା ଜଣାଉଛି ।’’
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀ ଠାରେ ସ୍ୱର୍ଗତ ଦେବେନ୍ଦ୍ର ପ୍ରଧାନଙ୍କର ଶେଷ ଦର୍ଶନ କରିବା ସହିତ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଥିଲେ । ସେ ତାଙ୍କର ଶୋକ ବାର୍ତ୍ତାରେ କହିଛନ୍ତି, ‘‘ଡକ୍ଟର ଦେବେନ୍ଦ୍ର ପ୍ରଧାନ ଜଣେ ପରିଶ୍ରମୀ ଏବଂ ନମ୍ର ନେତା ଭାବେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ । ଓଡ଼ିଶାରେ ବିଜେପିକୁ ମଜବୁତ କରିବା ପାଇଁ ସେ ଅନେକ ପ୍ରୟାସ କରିଥିଲେ । ଦାରିଦ୍ର୍ୟ ଦୂରୀକରଣ ଏବଂ ସାମାଜିକ ସଶକ୍ତିକରଣ ଉପରେ ଗୁରୁତ୍ୱ ଦେଇ ଜଣେ ସାଂସଦ ଏବଂ ମନ୍ତ୍ରୀ ଭାବେ ତାଙ୍କର ଅବଦାନ ମଧ୍ୟ ଉଲ୍ଲେଖନୀୟ । ତାଙ୍କ ବିୟୋଗରେ ମୁଁ ମର୍ମାହତ । ମୁଁ ତାଙ୍କର ଶେଷ ଦର୍ଶନ କରିବା ସହିତ ତାଙ୍କ ପରିବାର ପ୍ରତି ସମବେଦନା ଜଣାଇଛି। ଓଁ ଶାନ୍ତି ।’’
କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ପୂର୍ବତନ କେନ୍ଦ୍ର ମନ୍ତ୍ରୀଙ୍କ ବିୟୋଗରେ ଶୋକ ପ୍ରକାଶ କରି କହିଛନ୍ତି, ‘‘ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଡକ୍ଟର ଦେବେନ୍ଦ୍ର ପ୍ରଧାନଙ୍କ ସାରା ଜୀବନ ରାଷ୍ଟ୍ରସେବା ପାଇଁ ସମର୍ପିତ ଥିଲା । ଅଟଳ ବିହାରୀ ବାଜପେୟୀଙ୍କ ସରକାରରେ ମନ୍ତ୍ରୀ ଭାବେ ଦେଶର ବିକାଶ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ହେଉ ବା ଓଡ଼ିଶାରେ ବିଜେପିର ରାଜ୍ୟ ସଭାପତି ଭାବେ ସଙ୍ଗଠନକୁ ସୁଦୃଢ କରିବା ହେଉ, ସେ ସର୍ବଦା ନିଜର କର୍ତ୍ତବ୍ୟ ପ୍ରତିବଦ୍ଧତାର ସହ ସୂଚାରୁରୂପେ ନିର୍ବାହ କରି ଉଦାହରଣ ସୃଷ୍ଟି କରିଥିଲେ । ଆଜି ନୂଆଦିଲ୍ଲୀ ଠାରେ ତାଙ୍କର ଶେଷ ଦର୍ଶନ କରି ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ତାଙ୍କର ସୁପୁତ୍ର ଧର୍ମେନ୍ଦ୍ର ପ୍ରଧାନ ଏବଂ ପରିବାର ସଦସ୍ୟଙ୍କୁ ସମବେଦନା ଜଣାଇଛି । ଇଶ୍ଵର ଦିବଂଗତ ପୁଣ୍ୟାତ୍ମାଙ୍କୁ ନିଜ ଶ୍ରୀଚରଣରେ ସ୍ଥାନ ଦିଅନ୍ତୁ । ଓଁ ଶାନ୍ତି ।’’
କେନ୍ଦ୍ର ରେଳ, ସୂଚନା ଓ ପ୍ରସାରଣ, ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ମଧ୍ୟ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦେବେନ୍ଦ୍ର ପ୍ରଧାନଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି । ଶ୍ରୀ ବୈଷ୍ଣବ ତାଙ୍କର ଶୋକ ବାର୍ତ୍ତାରେ କହିଛନ୍ତି, ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଲୋକପ୍ରିୟ ଜନନେତା ଦେବେନ୍ଦ୍ର ପ୍ରଧାନଙ୍କ ବିୟୋଗ ଖବର ଶୁଣି ମୁଁ ଅତ୍ୟନ୍ତ ଦୁଃଖିତ ଓ ମର୍ମାହତ । ଓଡ଼ିଶାର ବିକାଶ ପାଇଁ ତାଙ୍କର ସେବା, ଲୋକଙ୍କ କଲ୍ୟାଣ ଓ ସଂକଳ୍ପ ମନୋଭାବ ସର୍ବଦା ସ୍ମରଣୀୟ ରହିବ। ଦିବଙ୍ଗତ ଆତ୍ମାର ସଦଗତି କାମନା କରିବା ସହ ତାଙ୍କ ସୁପୁତ୍ର ତଥା କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ସମସ୍ତ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ମୋର ଗଭୀର ସମବେଦନା ଜଣାଉଛି ।’’
ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା ଆଜି ନୂଆଦିଲ୍ଲୀରେ ସ୍ୱର୍ଗତ ପ୍ରଧାନଙ୍କର ଶେଷ ଦର୍ଶନ କରିଛନ୍ତି । ସେ ତାଙ୍କର ଶୋକ ବାର୍ତ୍ତାରେ କହିଛନ୍ତି, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପିତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଡକ୍ଟର ଦେବେନ୍ଦ୍ର ପ୍ରଧାନ ଓଡ଼ିଶାରେ ଭାରତୀୟ ଜନତା ପାର୍ଟିକୁ ସୁଦୃଢ଼ କରିବା ସହିତ ଜନସେବା କ୍ଷେତ୍ରରେ ଅବିସ୍ମରଣୀୟ ଅବଦାନ ଦେଇଥିଲେ । ତାଙ୍କର ବିୟୋଗରେ ସେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହିତ ଶୋକସନ୍ତପ୍ତ ପରିବାର ପ୍ରତି ଗଭୀର ସମବେଦନା ଜଣାଇଛନ୍ତି ।

Leave A Reply

Your email address will not be published.