ପିପିଲିର ପୂର୍ବତନ ବିଧାୟକ ଯୁଧିଷ୍ଠିର ସାମନ୍ତରାୟଙ୍କ ପରଲୋକରେ ଶୋକ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପିପିଲି-ଡେଲାଙ୍ଗ ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ଯୁଧିଷ୍ଠିର ସାମନ୍ତରାୟ ଆଉ ଏହି ଜଗତରେ ନାହାନ୍ତି । ସୋମବାର ସକାଳ ପ୍ରାୟ ସାଢେ ଆଠଟାରେ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଯାଇଛି । ସୂଚନା ଅନୁଯାୟୀ ଦିବଂଗତ ପୂର୍ବତନ ବିଧାୟକ ଶ୍ରୀ ସାମନ୍ତରାୟ ଦୀର୍ଘ ଦିନ ଧରି କର୍କଟ ରୋଗରେ ପୀଡିତ ହୋଇ ଚିକିତ୍ସିତ ହେଉଥିଲେ । ତାଙ୍କ ବିୟୋଗରେ ପିପିଲି ଡେଲାଙ୍ଗ ନିର୍ବାଚନ ମଣ୍ଡଳୀରେ ଶୋକର ଛାୟା ଖେଳିଯାଇଛି । ଦିବଂଗତ ନେତା ଶ୍ରୀ ସାମନ୍ତରାୟ କଂଗ୍ରେସରୁ ରାଜନୈତିକ ଜୀବନ ଆରମ୍ଭ କରି ସେତେବେଳର କମ୍ୟୁନିଷ୍ଟକୁ ଘୋର ବିରୋଧ କରି ନିଜର ନେତୃତ୍ବ ପ୍ରତିପାଦିତ କରିପାରିଥିଲେ । ସେ ପ୍ରଥମେ ୧୯୮୨ ମସିହାରେ ପିପିଲି ବ୍ଲକ୍ ଅଧ୍ୟକ୍ଷ ଭାବେ ପାଞ୍ଚ ବର୍ଷ ପାଇଁ ନିର୍ବାଚିତ ହୋଇଥିଲେ । ପରେ ୧୯୯୫ରୁ ୨୦୦୦ ମସିହା ପର୍ଯ୍ୟନ୍ତ କଂଗ୍ରେସ ଦଳର ବିଧାୟକ ପ୍ରାର୍ଥୀ ଭାବେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ସଂଘର୍ଷ ପୂର୍ଣ୍ଣ ରାଜନୀତିରେ ସେ ନିଜର ଗୋଟିଏ ଚକ୍ଷୁ ହରାଇବା ସହ ସାନଭାଇକୁ ମଧ୍ୟ ହରାଇଥିଲେ ହେଁ ପିପିଲି ଡେଲାଙ୍ଗ ରାଜନୀତିରେ ତାଙ୍କର ଦବଦବା ବଜାୟ ରଖିପାରିଥିଲେ । ସେହିପରି ପିପିଲି ଡେଲାଙ୍ଗର ବିକାଶ କାର୍ଯ୍ୟ ଓ ଲୋକଙ୍କ ସେବାରୁ ଶେଷ ଜୀବନ ପର୍ଯ୍ୟନ୍ତ କେବେ ସେ ଦୂରେଇ ଯାଇ ନଥିଲେ । ଏପରିକି ଅସୁସ୍ଥତା ଭିତରେ ପିପିଲି ବଜାର ଦେଇ ବସ୍ କିପରି ଚାଲିବ ଓ ବିଦ୍ୟୁତ୍ ସମସ୍ୟାର ସମାଧାନ ହେବ ସେ ନେଇ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ସମସ୍ୟାର ସମାଧାନ ନହେଲେ ରାଜରାସ୍ତାରେ ଆନ୍ଦୋଳନ କରିବା ପାଇଁ ଚେତାବନୀ ଦେଇଥିଲେ । ସେ ନିର୍ବାଚନରେ ଅନେକ ଥର ହାରିଥିଲେ ମଧ୍ୟ ଜନମାନସରେ ଜଣେ ପ୍ରିୟ ନେତା ହୋଇ ରହିଥିଲେ । ଆଜି ସକାଳେ ତାଙ୍କର ମୃତ୍ୟୁ ଖବର ପାଇବା ପରେ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ବିଭିନ୍ନ ଦଳର ରାଜନେତା ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ପହଞ୍ଚି ଶେଷ ଦର୍ଶନ କରିଥିଲେ । ଭୁବନେଶ୍ୱର ବିଧାନସଭା ପରିସରରେ ଗାର୍ଡ ଅଫ୍‌ ଅନର ଦିଆଯିବା ପରେ ତାଙ୍କ ମରଶରୀରକୁ ପିପିଲି ନିଆଯାଇଥିଲା । ପିପିଲି ବିଧାୟକ ରୁଦ୍ରପ୍ରତାପ ମହାରଥୀ, ଡେଲାଙ୍ଗ ପିପିଲି ଜନକଲ୍ୟାଣ ମଞ୍ଚ ଆବାହକ ରାଧାମୋହନ, ପିପିଲି-ଡେଲାଙ୍ଗ ଜନକଲ୍ୟାଣ ମଞ୍ଚର ମୁଖ୍ୟ ଉପଦେଷ୍ଠା ଜନ୍ମେଜୟ ଜେନା, କଂଗ୍ରେସ ମୁଖପାତ୍ର ନିିଶିକାନ୍ତ ମିଶ୍ର ପହଂଚି ସ୍ବର୍ଗତ ସାମନ୍ତରାୟଙ୍କୁ ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ପିପିଲି ବିଜେଡ଼ି କାର୍ଯ୍ୟାଳୟ ସମ୍ମୁଖରେ ବିଧାୟକ ରୁଦ୍ର ପ୍ରତାପ ମହାରଥୀ, ପିପିଲି ବ୍ଲକ ଅଧକ୍ଷା ଦେବସ୍ଵିନୀ ନନ୍ଦ, ଉପାଧ୍ୟକ୍ଷ ପ୍ରଫୁଲ୍ଲ ସ୍ୱାଇଁ, ପୌରାଧ୍ୟକ୍ଷ ସେକ ବାବୁ, ପ୍ରାକ୍ତନ ବ୍ଳକ୍ ଅଧ୍ୟକ୍ଷ ଯୁଧିଷ୍ଠିର ସ୍ବାଇଁ, ଜିଲ୍ଲା ପରିଷଦ ସଭ୍ୟ ଧରଣୀଧର ସାହୁ, ସୁଶାନ୍ତ ମଲିକ୍, ଡେଲାଙ୍ଗ ବ୍ଲକ ଅଧ୍ୟକ୍ଷା ବାସନ୍ତି ସାହୁ, ଉପାଧ୍ୟକ୍ଷ ଦୁର୍ବାଶା ନିଶଙ୍କ, ଡେଲାଙ୍ଗ ବ୍ଲକ ବିଜେଡି ସଭାପତି ବୈରାଗୀ ଜେନା, ଜିଲ୍ଲା ଯୁବ ବିଜେଡି ସଭାପତି ନାରାୟଣ ସ୍ବାଇଁ, ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କ ସଭାପତି କିଶୋର ଚନ୍ଦ୍ର ଛୋଟରାୟଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଶେଷ ଦର୍ଶନ କରିଥିଲେ । ସେହିପରି ପେଟ୍ରୋଲ ପମ୍ପ ନିକଟରେ ମର ଶରୀରକୁ ବିଜେପି ନେତା ତଥା ଜିଲ୍ଲା ସଭାପତି ଆଶ୍ରିତ ପଟ୍ଟନାୟକଙ୍କ ସମେତ ତାଙ୍କ କର୍ମୀମାନେ ମର ଶରୀରକୁ ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଦେଇଥିଲେ । ସେଠାରୁ ତାଙ୍କ ପାର୍ଥିବ ଶରୀର ବଜାର ପରିକ୍ରମା କରି ହାଟଛକ ଯାାଏଁ ଯାଇଥିଲା ସେଠାରେ ବିଶିଷ୍ଟ ସମାଜ ସେବୀ ବିକ୍ରମ କେଶରୀ ସିଂ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ, ନରେଶ ବସ୍ତିଆ, ସତ୍ୟବାଦୀ ମିଶ୍ରଙ୍କ ସମେତ ବଜାର ବ୍ୟବସାୟ ସଂଘର କର୍ମକର୍ତ୍ତା, ବିଭିନ୍ନ ରାଜନୈତିକ ଦଳର କର୍ମକର୍ତ୍ତା ଓ ସମାଜସେବୀମାନେ ପୁଷ୍ପଗୁଚ୍ଛ ଦେଇ ଶ୍ରଦ୍ଧାଂଜଳି ଅର୍ପଣ କରିଥିଲେ । ପିପିଲିରୁ ମରଶରୀରକୁ ତାଙ୍କ ଜନ୍ମସ୍ଥାନ ମାଧିପୁର ଗାଁକୁ ନିଆଯାଇଥିଲା । ସେଠାରେ ବନ୍ଧୁ ପ୍ରିୟଜନଙ୍କ ପାଇଁ କିଛି ଘଣ୍ଟା ଶେଷ ଦର୍ଶନ ପାଇଁ ରଖାଯିବା ପରେ ପୁରୀ ସ୍ବର୍ଗଦ୍ବାର ନିଆଯାଇଥିଲା । ସେଠାରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା । ଏକ ମାତ୍ର ପୁତ୍ର ରାଜ୍ୟ ଖାଦ୍ୟ ଆୟୋଗ ସଦସ୍ୟ ତଥା ରାଜ୍ୟ ବିଜେଡ଼ି ରାଜ୍ୟ ସାଧାରଣ ସମ୍ପାଦକ ପ୍ରିୟବ୍ରତ ସାମନ୍ତରାୟ ମୁଖାଗ୍ନି ଦେଇଥିଲେ । ଅନ୍ତିମ ସଂସ୍କାର ସମୟରେ ସମସ୍ତ ପରିବାର ସଦସ୍ୟ ଓ ବନ୍ଧୁପରିଜନ ଉପସ୍ଥିତ ଥିଲେ ।

Leave A Reply

Your email address will not be published.