oom

ବଲାଙ୍ଗିରରେ ବିଶ୍ଵ ମୃତ୍ତିକା ଦିବସ ପାଳିତ

jsmm
  • ମାଟିର ଉପଯୁକ୍ତ ପରୀକ୍ଷା, ଯତ୍ନ ଓ ସଂରକ୍ଷଣ ଉପରେ ଗୁରୁତ୍ଵାରୋପ

ବଲାଙ୍ଗିର, (କେପିଏନ୍‌ଏସ୍‌) : କୃଷି ବିଭାଗର ତାଲିମ ପ୍ରତିଷ୍ଠାନଠାରେ ଜିଲ୍ଲା କୃଷି ବିଭାଗ ଓ କୃଷି ବିଜ୍ଞାନ କେନ୍ଦ୍ର ମିଳିତ ଆନୁକୁଲ୍ୟରେ ବିଶ୍ଵ ମୃତ୍ତିକା ଦିବସ ପାଳିତ ହୋଇଯାିଛି । କେବିକେ ମୁଖ୍ୟ ବୈଜ୍ଞାନିକ ସତ୍ୟମୟ ଶତପଥୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଚେତନତା ସଭାରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଦେବକୀ ସାହୁ ମୁଖ୍ୟ ଅତିଥିଭାବେ ଯୋଗଦେଇ ଚାଷୀମାନେ ମୃତ୍ତିକା ସଂରକ୍ଷଣ ତଥା ମାଟିର ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହେବା ସହ ମାଟିର ଉର୍ବରତା ବୃଦ୍ଧି ସକାଶେ ମାଟିର ପରୀକ୍ଷା କରିବା ଉପରେ ଗୁରୁତ୍ଵାରୋପ କରିଥିଲେ । ଚାଷୀମାନଙ୍କ ନିମନ୍ତେ ସରକାରଙ୍କ ପକ୍ଷରୁ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ସମ୍ପର୍କରେ ବ୍ୟାପକ ସଚେତନତା ସୃଷ୍ଟି କରିବା ଦିଗରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ଅଧିକାରୀମାନେ ଯତ୍ନବାନ ହେବାକୁ ପରାମର୍ଶ ଦେଇଥିଲେ ପୌରପରିଷଦ ଅଧ୍ୟକ୍ଷା ଲିକା ସାହୁ । ସଚେତନତା ସଭାରେ ଅନ୍ୟମାନଙ୍କ ମଧ୍ୟରୁ ନାବାର୍ଡ ଡ଼ିଡ଼ିଏମ ଡ଼ଃ. ବିବେକ ନାୟକ, ଉଦ୍ୟାନ କୃଷି ବିଭାଗ ଉପନିର୍ଦ୍ଦେଶକ ପ୍ରଫୁଲ୍ଲ ଚନ୍ଦ୍ର ଭଞ୍ଜ, ଅତିରିକ୍ତ ଜିଲ୍ଲା କୃଷି ଅଧିକାରୀ ପ୍ରମୋଦ କୁମାର ବଡ଼ପଣ୍ଡା, ରାଇଟ ପ୍ରିନସିପାଲ ଲାଲ ବିହାରୀ ମଲିକ, ବ୍ଲକ କୃଷି ଅଧିକାରୀ ସୁଧାକର ନନ୍ଦ ପ୍ରମୁଖ ଯୋଗଦେଇ ମୃତ୍ତିକା ସ୍ୱାସ୍ଥ୍ୟ ପରୀକ୍ଷା, ଯତ୍ନ, ଗୁଣବତ୍ତା ତଥା ସଂରକ୍ଷଣର ଆବଶ୍ୟକତା ଉପରେ ବକ୍ତ୍ୟବ୍ୟ ପ୍ରଦାନ କରିଥିଲେ । ବରିଷ୍ଠ ବୈଜ୍ଞାନିକ ଡ଼ଃ. ସତ୍ୟମୟ ଶତପଥି ମୃତ୍ତିକା ପରୀକ୍ଷାର ପ୍ରକ୍ରିୟା, ଉପାଦେୟତା ଏବଂ ସମନ୍ଵିତ ଖାଦ୍ୟସାର ପରିଚାଳନା ଉପରେ ସୂଚନା ପ୍ରଦାନ କରିବା ସହ ଚାଷୀମାନେ ଏହାର ଆବଶ୍ୟକତା ଉପରେ ସଚେତନ ହେବାକୁ ପରାମର୍ଶ ଦେଇଥିଲେ । ଜିଲ୍ଲା କୃଷି ବିଭାଗର ମୃତ୍ତିକା ରସାୟନବିତ ସୁନନ୍ଦା ସାହୁ ବିଶ୍ଵ ମୃତ୍ତିକା ଦିବସ ପାଳନର ତାତ୍ପର୍ଯ୍ୟ ସମ୍ପର୍କରେ ପ୍ରାରମ୍ଭିକ ବକ୍ତବ୍ୟ ପ୍ରଦାନ କରିବା ସହ ସଭା କାର୍ଯ୍ୟ ପରିଚାଳନା କରିଥିଲେ । ଏହି ଦିବସ ପାଳନ ଉପଲକ୍ଷେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଅନୁଷ୍ଠିତ ବକ୍ତୃତା ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ଅତିଥିମାନେ ପୁରସ୍କାର ଓ ମାନପତ୍ର ପ୍ରଦାନ କରିଥିଲେ । ଏହି ସଚେତନତା ସଭାରେ କୃଷି ବିଭାଗର ଅଧିକାରୀ, କ୍ଷେତ୍ର କର୍ମଚାରୀଙ୍କ ସମେତ ବିଭିନ୍ନ ଅଞ୍ଚଳରୁ ଆସିଥିବା ଚାଷୀମାନେ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.