ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଓ ଲଖନା ଗ୍ରାମ ପଞ୍ଚାୟତ ଯାଦବ ସମାଜ ତରଫରୁ ୨୭ତମ ଗିରିଗୋବର୍ଦ୍ଧନ ପୂଜା ଓ ଅଷ୍ଟପ୍ରହର ନାମଯଜ୍ଞ ପାଇଁ ମଙ୍ଗଳବାର ଅପରାହ୍ନରେ ମହା ଆଡମ୍ବରରେ ଭବ୍ୟ କଳସ ଶୋଭାଯାତ୍ରା, ଗଙ୍ଗା ଆବାହନ ଓ ଅଧିବାସ ପର୍ବ ଅନୁଷ୍ଠିତ ହୋଇଯାଇଛି । ଗିରି ଗୋବର୍ଦ୍ଧନ ପୂଜାରେ କର୍ତ୍ତା ଭାବେ କବିରାଜ ବାଗ ଓ ତାଙ୍କ ଧର୍ମପତ୍ନୀ ରୀତା ବାଗ, ଅଷ୍ଟ ପ୍ରହର ନାମଯଜ୍ଞର କର୍ତ୍ତା ଭାବରେ ଶ୍ରୀପତି ଷାଣ୍ଢ ଓ ତାଙ୍କର ଧର୍ମପତ୍ନୀ ସାବିତ୍ରୀ ଷାଣ୍ଡ, ପୂଜକ ଭାବରେ କାଶୀନାଥ ଦାଶ, ସ୍ଵସ୍ତିକ ଯୋଶୀ ଓ ଶୁଭମରଞ୍ଜନ ଦାଶ ଦାୟିତ୍ୱ ନିର୍ବାହ କରୁଛନ୍ତି । ବୁଧବାର ନାମାରମ୍ଭ ହେବ ବୋଲି ଜଣାପଡିଛି । ଆୟୋଜକ ଗିରି ଗୋବର୍ଦ୍ଧନ ପୂଜା କମିଟି ସଭାପତି ସୁଧାଂଶୁ ପୋଢ଼ ଯାଦବ, କାର୍ଯ୍ୟକାରୀ ସଭାପତି ଦେବାର୍ଚ୍ଚନ ଥପା, ସାଧାରଣ ସମ୍ପାଦକ ଦିଲ୍ଲୀପ ବାଗ ଓ କୋଷାଧ୍ୟକ୍ଷ ଦୈତାରୀ ହାତୀଙ୍କ ସହ ମୁରିବହାଲ ଓ ଲଖନା ପଞ୍ଚାୟତର ଶତାଧିକ ମହିଳା ଓ ଯାଦବମାନେ କଳସ ଶୋଭାଯାତ୍ରାରେ ସାମିଲ ହୋଇ ସମ୍ପୂର୍ଣ୍ଣ ସହଯୋଗ କରୁଛନ୍ତି । ସେହିପରି ବ୍ଲକର ଚଣାବାହାଲ ପଞ୍ଚାୟତ ପୁଡ଼ାପାଲି ଗ୍ରାମର କରାଡୁଙ୍ଗୁରୀ ଓ ଡଙ୍ଗରପଡ଼ା ପଞ୍ଚାୟତ କୋକଡୁଙ୍ଗୁରୀ ଛକ ସମେତ ବ୍ଲକର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହେବାକୁ ଥିବା ଗିରି ଗୋବର୍ଦ୍ଧନ ପୂଜା ଓ ଷୋହଳ ପ୍ରହରୀ ନାମଯଜ୍ଞ ପାଇଁ ମଙ୍ଗଳବାର ଭବ୍ୟ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିବା ବେଳେ ବୁଧବାର ପୂଜାର୍ଚ୍ଚନା ଓ ନାମାରମ୍ଭ ହେବ ବୋଲି ଜଣାପଡିଛି ।
Prev Post