ସ୍ୱର୍ଗୀୟ ଶ୍ରୀମତୀ ସରୋଜିନୀ ପଟ୍ଟନାୟକଙ୍କ ସ୍ମୃତିରେ ଆର୍ଥିକ ସୌଜନ୍ୟରେ ଉତ୍ସର୍ଗୀକୃତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ସ୍ୱର୍ଗୀୟ ଶିକ୍ଷୟିତ୍ରୀ ସରୋଜିନୀ ପଟ୍ଟନାୟକଙ୍କ ସ୍ମୃତିରକ୍ଷା ନିମନ୍ତେ ତାଙ୍କ ପରିବାର ପ୍ରୟାସ ଜାରି ରଖିଛନ୍ତି । ସ୍ୱର୍ଗୀୟ ଶ୍ରୀମତୀ ସରୋଜିନୀ ପଟ୍ଟନାୟକଙ୍କ ସ୍ମାରକୀ ପୁରସ୍କାର ଓ ମେଧାବୀ ସମ୍ମାନରେ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରାଯାଉଛି । ପ୍ରକାଶ ଥାଉକି, ସ୍ୱର୍ଗୀୟ ସରୋଜିନୀ ପଟ୍ଟନାୟକଙ୍କ ସ୍ୱାମୀ ଅବସରପ୍ରାପ୍ତ ସରକାରୀ ଅଫିସର କିଶୋର କୁମାର ପଟ୍ଟନାୟକ ଜଣେ ସାଧୁବାଦୀ ବ୍ୟକ୍ତି ଅଟନ୍ତି । ତାଙ୍କ ଧର୍ମପତ୍ନୀଙ୍କ ସ୍ମୃତି ନିମନ୍ତେ ଅଦ୍ୟାବଧି ନିଜର ଗୁରୁଦାୟିତ୍ୱ ସମ୍ପନ୍ନ କରିଆସୁଛନ୍ତି । ସ୍ୱର୍ଗୀୟ ଶ୍ରୀମତୀ ସରୋଜିନୀ ପଟ୍ଟନାୟକ ଜଣେ ସହକାରୀ ଶିକ୍ଷୟିତ୍ରୀ ଭାବେ ରାଜ୍ୟ ସରକାରଙ୍କ ଶିକ୍ଷା ବିଭାଗରେ ନିଯୁକ୍ତି ପାଇଥିଲେ । ସେ ଛାତ୍ର ବତ୍ସଳା, ଉତ୍ସାହି, ମେଳାପି ଶିକ୍ଷୟିତ୍ରୀ ଥିଲେ । ବିଦ୍ୟାର୍ଥୀଙ୍କ ପ୍ରତି ରହିଥିବା ତାଙ୍କର ଅନାବିଳ ସ୍ନେହ, ମମତାକୁ ପ୍ରତିପାଦନ କରିବା ଉଦ୍ଦେଶ୍ୟରେ ତାଙ୍କର ଶ୍ୱଶୁର ଘର ଗ୍ରାମ ତଥା କିଶୋର କୁମାର ପଟ୍ଟନାୟକଙ୍କ ଜନ୍ମମାଟିରେ ଅବସ୍ଥାପିତ ଛତ୍ରପୁର ବ୍ଲକ୍ ଅନ୍ତର୍ଗତ ରାଜପୁର ହାଇସ୍କୁଲ ଓ ରାଜପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରତିବର୍ଷ ପ୍ରତିଟି ଶ୍ରେଣୀର ପ୍ରଥମ ସ୍ଥାନରେ କୃତିତ୍ୱ ହାସଲ କରୁଥିବା ମେଧାବୀ ଛାତ୍ରଛାତ୍ରୀଙ୍କୁ ବୃତ୍ତିନାମାରେ ସମ୍ମାନିତ କରାଯାଉଛି । ଏଥିପାଇଁ ସରୋଜିନୀ ପଟ୍ଟନାୟକଙ୍କ ନାମରେ ୧ ଲକ୍ଷ ଟଙ୍କା ରାଜପୁର ହାଇସ୍କୁଲ କମିଟିଙ୍କ ଜମା ଖାତାରେ ବ୍ୟାଙ୍କରେ ଫିକ୍ସଡ଼ ଡ଼ିପୋଜିଟ କରାଯାଇ ସେହି ସଞ୍ଚୟ ଜମାର ସୁଧତକ ଟଙ୍କା ମେଧାବୀ ପିଲାମାନଙ୍କ ପାଇଁ ଉତ୍ସର୍ଗୀକୃତ କରାଯାଉଛି । ଠିକ୍‌ ସେହିପରି ରାଜପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସ୍ୱତନ୍ତ୍ର ଭାବେ ୧ ଲକ୍ଷ ଟଙ୍କା ସୁରକ୍ଷିତ କରାଯାଇଛି । ଏପରିକି ଇତିମଧ୍ୟରେ ଛତ୍ରପୁର ସହରାଞ୍ଚଳ ସ୍ଥିତ ରିକାପଲ୍ଲୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସରୋଜିନୀ ପଟ୍ଟନାୟକଙ୍କ ସ୍ମୃତି ରକ୍ଷାକୁ ପ୍ରତିପାଳନ ଉଦ୍ଦେଶ୍ୟରେ ମେଧାବୀ ଛାତ୍ରଛାତ୍ରୀଙ୍କ ସମ୍ମାନାର୍ଥେ ୧ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି ଏବଂ ମୋ’ ସ୍କୁଲ ସୌଜନ୍ୟତା ସ୍ୱରୂପ ଆଉ ୫୦ ହଜାର ଟଙ୍କା ଦିଆଯାଇଛି । ଏହା ସ୍କୁଲ କମିଟିରେ ଦୀର୍ଘ ମିଆଦୀ ଯୋଜନାରେ ଜମା କରାଯାଇଛି । ଆଦର୍ଶ ଶିକ୍ଷୟିତ୍ରୀ ସ୍ୱର୍ଗୀୟ ସରୋଜିନୀ ପଟ୍ଟନାୟକଙ୍କ ସ୍ମୃତିରେ ରିକାପଲ୍ଲୀ ସ୍କୁଲକୁ ସର୍ବମୋଟ ୧ ଲକ୍ଷ ୫୦ ହଜାର ଟଙ୍କା ଦାନ କରାଯାଇଛି । ସୂଚନାଯୋଗ୍ୟ ଯେ, ଛତ୍ରପୁର ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ଆନୁଷ୍ଠାନିକ ଭାବେ ସରୋଜିନୀ ପଟ୍ଟନାୟକଙ୍କ ସ୍ୱାମୀ କିଶୋର କୁମାର ପଟ୍ଟନାୟକ ବିଇଓ ସୀତାରାମ ପାତ୍ରଙ୍କୁ ଏକ ଚେକ୍ ପ୍ରଦାନ କରାଯାଇଛି । ଆନୁଷ୍ଠାନିକ ଭାବେ ଏହି ନଗଦ ଚେକ୍ ପ୍ରଦାନ ବେଳେ ଅନ୍ୟମାନଙ୍କ ମଧ୍ୟରେ ଏବିଇଓ ନିଗମାନନ୍ଦ ପଣ୍ଡା ଓ ଶ୍ରୀମତୀ ସୁଧାଂଶୁ ବାଳା ପଟ୍ଟନାୟକ କସ୍ତୁରବା ଗାନ୍ଧୀ ବାଳିକା ଆବାସିକ ବିଦ୍ୟାଳୟର ଇନଚାର୍ଜ ତଥା ରିକାପଲ୍ଲୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ରୀତା ରଥ ପ୍ରମୁଖ ଉପସ୍ଥିତ ଥିଲେ । ସ୍ୱର୍ଗୀୟ ଶ୍ରୀମତୀ ସରୋଜିନୀ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ କରାଇ ସୌଜନ୍ୟମୂଳକ ଭାବେ ଆର୍ଥିକ ସେବା ଯୋଗାଇଥିବା ହେତୁ ଛତ୍ରପୁରର ଜନସାଧାରଣ ତଥା ବୁଦ୍ଧିଜୀବୀଗଣ କିଶୋର କୁମାର ପଟ୍ଟନାୟକ ଓ ତାଙ୍କ ପରିବାର ବର୍ଗଙ୍କୁ କୃତଜ୍ଞତାର ସହ ସାଧୁବାଦ ଜଣାଇଛନ୍ତି ।

Leave A Reply

Your email address will not be published.