
ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଜଣାଶୁଣା ଡାକ୍ତର ମହେଶ୍ଵର ସିଂହଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଓ ସ୍ମୃତିସଭା ବାସନ୍ତୀ କଲୋନୀ ସ୍ଥିତ କନ୍ୟକା ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି । ପଟ୍ଟାମୁଣ୍ଡାଇର ପ୍ରାକ୍ତନ ବିଧାୟକ ରାଧାକାନ୍ତ ସେଠୀଙ୍କ ସଭାପତିତ୍ୱ ଓ ଅନିଲ କୁମାର ଦାଶଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ପ୍ରାକ୍ତନ ପ୍ରଶାସକ ମହେନ୍ଦ୍ର ପଟ୍ଟନାୟକ, ମୁଖ୍ୟବକ୍ତା ଭାବେ ପ୍ରାଧ୍ୟାପକ ଡଃ ସନାତନ ପ୍ରଧାନ ଓ ସମ୍ମାନିତ ଅତିଥି ଭାବେ ଜର୍ଣ୍ଣାଲିଷ୍ଟ ଆସୋସିଏସନ୍ର ଉପସଭାପତି ତଥା କବି କୁଞ୍ଜବିହାରୀ ରାଉତ, କେନ୍ଦ୍ରୀୟ ଉତ୍କଳ ସମ୍ମିଳନୀର ଉପସଭାପତି ବିଚିତ୍ରାନନ୍ଦ ସାହୁ, ଶିକ୍ଷାବିତ ପ୍ରଫେସର ଜେ.କେ ରାଓ, ଡା ଅନିଲ କୁମାର ମିଶ୍ର, ତନୁଶ୍ରୀ ଜେନା, ଅକ୍ଷୟ ପ୍ରସାଦ ସିଂ ପ୍ରମୁଖ ଯୋଗଦେଇ ସ୍ୱର୍ଗତ ଡାକ୍ତର ସିଂହଙ୍କ ସ୍ମୃତିଚାରଣ କରିଥିଲେ । ସଭାପତି ଓ ଅତିଥିମାନେ ଡାକ୍ତର ସିଂହଙ୍କୁ ଜଣେ ପରୋପକାରୀ, ସ୍ନେହୀ, ଅନ୍ୟକୁ ଆପଣାର କରି ପାରୁଥିବା ବ୍ୟକ୍ତିତ୍ୱ ଭାବେ ଅବହିତ କରି ପଇସା ପତ୍ରକୁ ଗୁରୁତ୍ୱ ନଦେଇ କିପରି ସେବାକୁ ଗୁରୁତ୍ୱ ଦେଉଥିଲେ ତଥା ତାଙ୍କ ବିଚାରରେ ପରିବାର ଓ ପରିବେଶ କିପରି ଏକାକାର ହୋଇଯାଉଥିଲା ସେ ସଂପର୍କରେ ଆଲୋଚନା କରିଥିଲେ । ଏହି ଅବସରରେ କବି ଶ୍ରୀ ରାଉତ ଡା ସିଂହଙ୍କ ଉଦ୍ଦେଶ୍ୟରେ ଏକ କବିତା ପାଠ କରିଥିଲେ । ପ୍ରାରମ୍ଭରେ ଡା ସିଂହଙ୍କ ଆତ୍ମାର ସଦଗତି ନିମନ୍ତେ ଏକ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । ଏହି ଅବସରରେ ଅତିଥିମାନେ ତାଙ୍କ ଉଦ୍ଦେଶ୍ୟରେ ଏକ ସ୍ମରଣିକାକୁ ଉନ୍ମୋଚନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସହଧର୍ମିଣୀ ନିର୍ମଳପ୍ରଭା ସିଂହ, ସରୋଜ ପାତ୍ର, ଛବିଳା ତ୍ରିପାଠୀ, ଖଗେଶ୍ୱର ଓଝା, ଧର୍ମାନନ୍ଦ ପୃଷ୍ଟି, ଶ୍ରୀବତ୍ସ କୁଅଁର, ଡଃ ପୂର୍ଣ୍ଣଚନ୍ଦ୍ର ପ୍ରଧାନ, କନ୍ୟା ଇଂ ଲିସା ପ୍ରିୟଦର୍ଶନୀ, ପୁତ୍ର ଡାକ୍ତର ଜ୍ୟୋତିପ୍ରକାଶ ସିଂହ, ଅଙ୍କିତା ବଳ ପ୍ରମୁଖ ସ୍ୱର୍ଗତ ସିଂହଙ୍କ ସହ ବିତାଇଥିବା ମୁହୁର୍ତ୍ତକୁ ସ୍ମୃତି ଚାରଣ କରିଥିଲେ । ଶେଷରେ କେନ୍ଦ୍ରାପଡାର ଆଇନଜୀବୀ ସ୍ମୃତିରଂଜନ ସିଂହ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ସ୍ମୃତି ଚାରଣ ସଭାରେ ସହରର ବହୁ ଡାକ୍ତର, ଶିକ୍ଷାବିତ୍, ସମାଜସେବୀ, ସାମାଜିକ କର୍ମୀ, ରାଜନେତା, ଆଇନଜୀବୀ, ସାମ୍ବାଦିକ ପ୍ରମୁଖ ଯୋଗ ଦେଇଥିଲେ ।